ବାଲି ମାଫିଆଙ୍କ ନୂଆ ତରିକା: ମିଥ୍ୟା ଟ୍ରାଂଜିଟ ପରମିଟରେ ବାଲି ପରିବହନ

ହାଟଡିହି (ଓ୍ବାଇଏନଏସ): ଆନନ୍ଦପୁର ଉପଖଣ୍ଡରେ ବାଲି ମିଳୁନି। ଯାହା ଫଳରେ ସୁଦୂର ବଲାଙ୍ଗୀର, ଅନୁଗୁଳ, ଯାଜପୁର ର ବିଭିନ୍ନ ନଦୀରୁ ଆସୁଛି ଶହ ଶହ ଟ୍ରିପ ବାଲି। ଏହା ଆମେ କହୁନୁ, ବାଲି ଗାଡି ଗୁଡିକର କାଗଜପତ୍ର ତନଖି ବେଳେ ଏହା ଜଣା ପଡିଛି। ହାଟଡିହି ତହସିଲ ଅଧୀନସ୍ଥ ବୈତରଣୀ ନଦୀର ବିଭିନ୍ନ ବାଲି ଘାଟରୁ ବାଲି ଉତ୍ତୋଳନ ହେଉଥିବା ବେଳେ ତାହା ବାହାର ଜିଲ୍ଲାକୁ ଚାଲାଣ କରାଯାଉଛି। ଖଣି ବିଭାଗ ଓ ପୋଲିସ ପକ୍ଷରୁ ବାରମ୍ବାର ଚଢ଼ାଉ ହେବାଦ୍ବାରା ବାଲି ମାଫିଆ ମାନେ ଏବେ ବାଲି ପରିବହନ ପାଇଁ ନୂଆ ତରିକା ଆପଣେଇଛନ୍ତି। ଯାହାଦ୍ୱାରା ଖଣି ବିଭାଗ କି ପୋଲିସ ଗାଡିକୁ ଅଟକାଇ ପାରିବ ନାହିଁ। ମାସେରୁ ଉର୍ଦ୍ଧ ସମୟ ହେଲା ଏପରି ଭାବେ ହଜାର ହଜାର ଟ୍ରିପ ବେଆଇନ ପରିବହନ ହେଉଥିବା ବେଳେ ପୋଲିସ କି ଖଣି ବିଭାଗ କିପରି ଜାଣି ପାରୁନି ନା, ସମସ୍ତଙ୍କ ଜାଣତରେ ଓ ଅଧିକାରୀ ମାନଙ୍କ ସହଭାଗିତାରେ ଏପରି ଲୁଟ ହେଉଛି ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶେଷକରି ବୈତରଣୀ ନଦୀର ଅନେକ ଲିଜ ଘାଟରୁ ବାଲି ପରିବହନ ହେଉଛି। ବିନା ଟ୍ରାଂଜିଟ ପରମିଟରେ ବାଲି ପରିବହନ ହେଉଥିବା ବେଳେ ଅନେକ ସମୟରେ ପୋଲିସ ଓ ଖଣି ବିଭାଗ ଚଢ଼ାଉ କରିବାରୁ ଗାଡି ମାଲିକ ମାନେ ଲକ୍ଷ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡିଲା। ତେଣୁ ଅନେକ ବାଲି ଘାଟରୁ ପର୍ଯ୍ୟାପ୍ତ ବାଲି ଉଠିପାରିଲା ନି। ହାଟଡିହି ଅଞ୍ଚଳର ବାଲି ଘାଟର ଟ୍ରାଂଜିଟ ପରମିଟ ଦେଲେ ୧୦ ହଜାରରୁ ଉର୍ଦ୍ଧ ପଡୁଥିବା ଯୋଗୁଁ କିଛି ଲିଜ ଧାରୀ ଭିନ୍ନ ଭିନ୍ନ ଘାଟର ଟ୍ରାଂଜିଟ ବ୍ୟବହାର କଲେ। ଏଥିରେ ଧରା ପଡ଼ିବାର ଭୟ ନଥିବା ଓ ଏହି ଟିପିରେ ଅଧିକ ସମୟ ରହୁଥିବାରୁ ଏହି ପଦ୍ଧତିକୁ ସମସ୍ତ ବାଲିଘାଟ ଲିଜ ଧାରୀମାନେ ଆପଣେଇ ନେଇଛନ୍ତି। କିଏ ଅନୁଗୁଳ ଜିଲ୍ଲାର ତ ଆଉ କିଏ ବଲାଙ୍ଗୀର ଜିଲ୍ଲାର ଟିପି ବ୍ୟବହାର କରୁଛନ୍ତି। ବାଲି ଉଠିବ କେନ୍ଦୁଝରରୁ ଟ୍ରାଂଜିଟ ପରମିଟ ବ୍ୟବହାର ହେବ ଫୁଲବାଣୀର। ଗତକାଲି ହାଟଡିହି ତହସିଲର ଜଣେ ଅଧିକାରୀ ଗୋଟେ ବାଲି ବୋଝେଇ ହାଇୱାକୁ ଅଟକାଇ ଯାଞ୍ଚ କରିବାରୁ ସେ ଅନୁଗୁଳ ଜିଲ୍ଲାର ଟିପି ଦେଖାଇଥିଲା। ସେହିପରି  ଆଜି ଆନନ୍ଦପୁର ଉପଜିଲ୍ଲାପାଳ ବଡ଼ ରମ୍ପାସ ନିକଟରେ ଏକ ବାଲି ବୋଝେଇ ହାଇୱା ଯାଞ୍ଚ କରିବାରୁ ସେ ବଲାଙ୍ଗୀର ଜିଲ୍ଲାର ଟ୍ରାଂଜିଟ ପରମିଟ ଦେଖାଇ ଥିଲା। ଏପରିକି ଚାଳକ ଜଣକ ମଧ୍ୟ ବଲାଙ୍ଗୀରରୁ ବାଲି ଆଣିଥିବା କହିଥିଲା। ଯାହା ଦେଖି ଉପଜିଲ୍ଲାପାଳ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ। ସେ ତୁରନ୍ତ ଖଣି ବିଭାଗ ଅଧିକାରୀଙ୍କ ଦୃଷ୍ଟିକୁ ଆଣିଥିଲେ। ଏ ସମ୍ପର୍କରେ ଉପଜିଲ୍ଲାପାଳ ନୀଳ ମାଧବ ସୁନାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ସରକାରୀ ସ୍ୱୀକୃତ ଟିପି ବ୍ୟବହାର ହେଉଛି, କିନ୍ତୁ ଏହାର ଅଧିକ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ସେହିପରି ଜିଲ୍ଲା ଖଣି ଅଧିକାରୀ ତାରିଣୀ ସିଂ ଙ୍କୁ ପଚାରିବାରେ ସେ କହିଛନ୍ତି ଯେ କେଉଁଠୁ ବାଲି ଆସୁଛି ଓ କିପରି ଅନ୍ୟ ଜିଲ୍ଲାର ଟିପି ବ୍ୟବହାର ହେଉଛି ତାହାର ତଦନ୍ତ କରାଯିବ ବୋଲି କହିଛନ୍ତି। ଅନ୍ୟ ପଟେ ବାଲି ପରିବହନର ନୂଆ ତରିକା ଦ୍ୱାରା ବାଲି ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଥିବା ବେଳେ  ମାଫିଆଙ୍କୁ ବେଶ ଲାଭାନ୍ୱିତ କରୁଛି। କେନ୍ଦୁଝର ଜିଲ୍ଲାପାଳ ଏହାର ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ