‘ମା ପାଇଁ ଗଛଟିଏ’ ଅଭିଯାନରେ ବିଭିନ୍ନ ପଂଚାୟତରେ ଚାରାରୋପଣ
ନାଉଗାଁ,(ଓ୍ବାଇଏନଏସ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସ ଅବସରରେ ‘ମା ପାଇଁ ଗଛଟିଏ’ ଅଭିଯାନରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ୧୬ଟି ପଂଚାୟତରେ ଚାରାରୋପଣ କରାଯାଇଛି। ଏହି ଅବସରରେ ଶିଖର ପଂଚାୟତର ବିଲିପଡା ଠାରେ ନଦୀବନ୍ଧ ପାଶ୍ୱର୍ରେ ଚାରାରୋପଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହିତ ଚାରାରୋପଣ କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷାଙ୍କ ସମେତ ସାମାଜିକ କର୍ମୀ ଦିଲ୍ଲିପ ଲେଙ୍କା, ବିଭିନ୍ନ ସ୍ୱୟଂ ସହାୟୀକା ଦଳର ସଦସ୍ୟା ଅଙ୍ଗେଶ୍ୱରପଡା ଉଚ୍ଚ ବିଦ୍ୟାଳୟ ଓ ବିଲିପଡା ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସ୍ଥାନୀୟ ଯୁବକମାନେ ଚାରାରୋପଣରେ ସାହାଯ୍ୟ କରିଥିଲେ। ନଦୀବନ୍ଧ ପାଶ୍ୱର୍ରେ ବିଭିନ୍ନ ପ୍ରକାର ଚାରାରୋପଣ କରାଯାଇ ବାଉଁଶ ଗୋରଡିରେ ଆବଦ୍ଧ କରାଯାଇଥିଲା। ସେହିପରି କୋରୁଅ ପଂଚାୟତରେ ସରପଂଚ ସଂଧ୍ୟାରଣୀ ବେହେରା, ବିଡିଓ ନିରଞ୍ଜନ ପରିଡା, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ. ଅଙ୍କିତା ଜାଲି ପ୍ରମୁଖ ଚିହ୍ନଟ ସ୍ଥାନରେ ଚାରରୋପଣ କରିଥିବା ବେଳେ ଘୋଡାଂଶ ପଂଚାୟତରେ ପଂଚାୟତ ସମିତି ସଭ୍ୟ ତରୁଣକାନ୍ତ ବାରିକ, ପିଇଓ ଚିତରଂଜନ ପରିଡା ପ୍ରମୁଖ ଚାରାରୋପଣ କରିଥିବା ଜଣାଯାଇଛି। ଏହି ଅଭିଯାନରେ ସଠିକ୍ ଭାବେ ଚାରାରୋପଣ କରାଯାଉଛି କି ନାହିଁ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ବିଭିନ୍ନ ପଂଚାୟତ ବୁଲି ତଦାରଖ କରିଥିଲେ।