ପାଲା ବାୟକ ମହେଶ୍ୱର ବେହେରାଙ୍କୁ ସାରସ୍ୱତ ସମ୍ବର୍ଦ୍ଧନା
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ଗ୍ରାମର ପାଲା ବାୟକ ମହେଶ୍ୱର ବେହେରାଙ୍କୁ ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦ ପକ୍ଷରୁ ସାରସ୍ୱତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଗତ ଡିସେମ୍ବର ୨୮ ଓ ୨୯ରେ କେନ୍ଦୁଝର ଗଡ ପୌର ପରିଷଦ ପ୍ରେକ୍ଷାଳୟ ଠାରେ ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦ ପକ୍ଷରୁ ଆୟୋଜିତ ୪୮ତମ ବାର୍ଷିକ ରାଜ୍ୟ ପାଲା ଗାୟକ ସମ୍ମିଳନୀରେ ଶ୍ରୀ ବେହେରାଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସାରସ୍ୱତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଉଦ୍ଘାଟନୀ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସାଂସଦ, ବିଧାୟକ, ପୌରାଧ୍ୟକ୍ଷଙ୍କ ସମେତ ବହୁ ବିଶିଷ୍ଟ ଅତିଥି ମାନେ ଯୋଗ ଦେଇଥିଲେ । ଉଦ୍ଯାପନୀ ଦିବସରେ ଅତିଥି ତଥା ‘ପ୍ରାର୍ଥନା’ ପାଲା ମଞ୍ଚର ସମୀକ୍ଷକ ପଣ୍ଡିତ ପଦ୍ମଲାଭ ତ୍ରିପାଠୀଙ୍କ ଠାରୁ ଶ୍ରୀ ବେହେରା ସମ୍ବର୍ଦ୍ଧିତ ହୋଇଥିଲେ । ପ୍ରକାଶ ଥାଉକି, ଶ୍ରୀ ବେହେରା ଦୀର୍ଘ ୪୦ ବର୍ଷ ଧରି ବହୁ ପାଲା ଦଳରେ ବାୟକ ଭାବେ କାର୍ଯ୍ୟ କରି ରାଜ୍ୟ ଓ ରାଜ୍ୟ ବାହାରେ ନିଜର ପାରଦର୍ଶିତା ପ୍ରତିପାଦନ କରି ପାରିଛନ୍ତି । ପିଲାଟି ବେଳରୁ ଏହି ନିଶା ତାଙ୍କୁ ଜଣେ ପ୍ରତିଷ୍ଠିତ ପାଲା ବାୟକ ଭାବେ ପରିଚୟ ଦେଇଛି । ସେ ନିଳୋକ ଗ୍ରାମର ସ୍ୱର୍ଗତ ପ୍ରାଣକୃଷ୍ଣ ବେହେରା ଓ ମାତା ସ୍ୱର୍ଗତା ରମ୍ଭାମଣି ଦାସଙ୍କ ଏକମାତ୍ର ପୁତ୍ର ଅଟନ୍ତି ।


