ମେ ୨୦ ତାରିଖରେ ସର୍ବଭାରତୀୟ ଧର୍ମଘଟ ବାଲେଶ୍ୱରରେ ଜିଲ୍ଲାସ୍ତରୀୟ କନ୍ଭେନ୍ସନ୍
ବାଲେଶ୍ୱର (ସରାେଜ ପଣ୍ଡା): ଆସନ୍ତା ୨୦ ତାରିଖ ଦିନ ସର୍ବଭାରତୀୟ ଧର୍ମଘଟକୁ ବାଲେଶ୍ୱରରେ ସଫଳ କରିବାକୁ ବୁଧବାର ଦିନ ପୂର୍ବାହ୍ନରେ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଜାତୀୟ ଫେଡେରେସନ୍ ପ୍ରତିନିଧିମାନଙ୍କ କନ୍ଭେନ୍ସନ୍ରେ ଦୃଢ଼ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାର ପ୍ରଣୟନ କରିଥିବା ଶ୍ରମିକ ବିରୋଧି ୪ଟି ଶ୍ରମକୋଡ଼୍କୁ ବାତିଲ କରିବା, ସରକରୀ କର୍ମଚାରୀଙ୍କ ଅବସର ପରେ ପୁରୁଣା ପେନସନ୍ ଆଇନ୍ ଲାଗୁକରିବା, ସର୍ବନିିମ୍ନ ମଜୁରୀ ୨୬ ହଜାର ଓ ସର୍ବନିମ୍ନ ପେନସନ୍ ୯ ହଜାର ଟଙ୍କା ସହ ମହଙ୍ଗାଭତ୍ତା, ସ୍କିମ୍ ୱାକର୍ସଙ୍କୁ ସରକାରୀ କର୍ମଚାରୀ ମାନ୍ୟତା, ତୁରନ୍ତ ଭାରତୀୟ ଶ୍ରମ ସମ୍ମିଳନୀ ଆହ୍ୱାନ କରିବା ଓ ଘରୋଇକରଣ ବନ୍ଦ କରିବା ପ୍ରଭୃତି ଦାବି ସହ ବାଲେଶ୍ୱର ବିର୍ଲା ଟାୟାର୍ସର ଶ୍ରମିକମାନଙ୍କୁ ଆଇନଗତ ପ୍ରାପ୍ୟ ଓ ପୁନଃନିଯୁକ୍ତି ଦାବି ସଂପର୍କରେ ବକ୍ତାମାନେ ବିଶଦଭାବେ ଉପସ୍ଥାପିତ କରିଥିଲେ। ଗତ ମାର୍ଚ୍ଚ ୧୮ ତାରିଖ ଦିନ ନୂଆଦିଲ୍ଲୀରେ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଜାତୀୟ ଫେଡେରେସନ୍ ଏବଂ ୧୨୬ଟି ଗଣସଂଗଠନ ପ୍ରତିନିଧିଙ୍କ ଦ୍ୱାରା ଗୃହୀତ ଭିତ୍ତିପତ୍ରକୁ ସଭାପତି ମଣ୍ଡଳୀ ପକ୍ଷରୁ ଭାଗବତ ପ୍ରତିହାରୀ କନ୍ଭେନ୍ସନ୍ରେ ଆଗତ କରିଥିଲେ। ଟିୟୁଏସିସିର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ଓ ଉପାଧ୍ୟକ୍ଷ ଆଇନଜୀବୀ ଶାନ୍ତନୁ ଦାସଙ୍କ ସମେତ କେନ୍ଦ୍ରୀୟ ଶ୍ରମିକ-କୃଷକ ସଂଗଠନମାନଙ୍କ ପକ୍ଷରୁ ରାଜକିଶୋର ଲେଙ୍କା, ନିରାକାର ପାଣ୍ଡବ, ନିରଞ୍ଜନ ବେହେରାଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ସଭା ପରିଚାଳନା କରିଥିଲେ।ସର୍ବଶ୍ରୀ ମାୟାଧର ନାୟକ, ସୁରେଶ କୁମାର ପ୍ରଧାନ, ପ୍ରେମରଂଜନ ପାତ୍ର, ଶିଶିର ହୁଇ, ବନ୍ଦନା ବିଶ୍ୱାସ, ବିଜୟ ପାତ୍ର, ଈଷାଣୀ ଷଡ଼ଙ୍ଗୀ, ଆରତୀ ଦାସମହାପାତ୍ର, ଦୁକୁଲ ଚନ୍ଦ୍ର ଘଡ଼ାଇ ଓ ନିର୍ମଳ ନାୟକ ପ୍ରମୁଖ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବର୍ଗର ଶ୍ରମିକ, କୃଷକ, ଛାତ୍ର ଓ ମହିଳାମାନଙ୍କ ସ୍ୱାର୍ଥବିରୋଧୀ ନୀତି ଓ କାର୍ଯ୍ୟକୁ ଦୃଢ଼ ସମାଲୋଚନା କରିଥିଲେ। ଟିୟୁଏସିସିର ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ବାଲେଶ୍ୱର ଜିଲ୍ଲାରେ ଆସନ୍ତା ସର୍ବଭାରତୀୟ ଧର୍ମଘଟକୁ ଶାନ୍ତିପୂର୍ଣ୍ଣ ଭାବେ ସଫଳ କରିବାପାଇଁ ବିଭିନ୍ନ ପ୍ରସ୍ତାବ ଆଗତ କରି ଆସନ୍ତା ୧୬ ତାରିଖ ସନ୍ଧ୍ୟାରେ ଶେଷ ପ୍ରସ୍ତୁତି ବୈଠକ ପାଇଁ ଘୋଷଣା କରିଥିଲେ। ଜୀବନବୀମା କର୍ମଚାରୀ ନେତା ଶ୍ୟାମସୁନ୍ଦର ଜେନା, ମଞ୍ଚ ଆହ୍ୱାନ କରିଥିଲେ। ସଭାକାର୍ଯ୍ୟ ଆରମ୍ଭରେ ବିଶିଷ୍ଟ ସାମ୍ୟବାଦୀ ନେତା ଦିବାକର ନାୟକ, ସର୍ବଭାରତୀୟ ପରିବହନ ଶ୍ରମିକ ନେତା ନେପାଳ ଦେବଭଟ୍ଟାଚାର୍ଯ୍ୟ, ପହଲ୍ଗାମ୍ ଆତଙ୍କୀ ଆକ୍ରମଣରେ ମୃତ ପର୍ଯ୍ୟଟକ ଓ ଅପରେସନ୍ ସିନ୍ଦୂରରେ ସୀମାନ୍ତ ଅଞ୍ଚଳରେ ଶତ୍ରୁପକ୍ଷ ଆକ୍ରମଣରେ ମୃତ୍ୟୁବରଣ କରିଥିବା ସାଧାରଣ ଜନତା ଏବଂ ସହିଦ୍ ବୀର ଜବାନଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ଟିୟୁଏସିସିର କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶରତ ଚନ୍ଦ୍ର ଦଳାଇ, ଭରତ ଚନ୍ଦ୍ର ସେଠି, ଚନ୍ଦନ ଆଚାର୍ଯ୍ୟ, ସୁବାସ ଚନ୍ଦ୍ର ପ୍ରଧାନ, ଅଜୟ ଦାସ, ଅସିତ୍ ବରଣ ଦାସ ଓ ସୁଶାନ୍ତ ସାହୁପ୍ରମୁଖ ସହାୟତା କରିଥିଲେ।