ମେଗା ପାନୀୟ ଜଳ ପ୍ରକଳ୍ପରେ ସୁରକ୍ଷା କର୍ମୀଙ୍କୁ ବାନ୍ଧି ଲୁଟ ଉଦ୍ୟମ: ପିକଅପ ଭ୍ୟାନ ଜବତ
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପୁରୁଣାପାଣି ଠାରେ ଥିବା ମେଗା ପାନୀୟ ଜଳ ପ୍ରକଳ୍ପରେ ସିକ୍ୟୁରିଟି ଗାର୍ଡଙ୍କୁ ବାନ୍ଧି ଲୁଟ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଗାଁ ଲୋକେ ଆସିଯିବାରୁ ଲୁଟେରା ମାନେ ଆଣିଥିବା ଏକ ପିକଅପ ଭ୍ୟାନ ଛାଡି ଚାଲିଯାଇଥିବା ବେଳେ ପୁଲିସ ଭ୍ୟାନ କୁ ଜବଦ କରିଛି। ସୂଚନାରୁ ଜଣାଯାଇଛି କି ରବିବାର ବିଳମ୍ବିତ ରାତିରେ ପାଖା ପାଖି ୧୫ଜଣ ଲୋକ ଗୋଟିଏ ବୋଲେରୋ ଓ ଗୋଟିଏ ପିକପ ଭ୍ୟାନରେ ଆସି ଧରି ପୁରୁଣାପାଣି ଠାରେ ଥିବା ମେଗା ପାନୀୟ ଜଳ ପ୍ରକଳ୍ପ ଠାରେ ଓହ୍ଲାଇ ଥିଲେ। ସେମାନେ ଭିତରକୁ ପଶି ସେଠାରେ କାର୍ଯ୍ୟରତ ଥିବା ଦୁଇଜଣ ସୁରକ୍ଷା କର୍ମୀଙ୍କୁ ଗଛରେ ବାନ୍ଧି ପକାଇ ଥିଲେ। ସେମାନେ ପ୍ରକଳ୍ପ କାର୍ଯ୍ୟ ଲାଗିଥିବା ଅନେକ ତମ୍ବା କଏଲ କୁ କାଟିଥିଲେ। ଏହି ସମୟରେ ସେଠାରେ କାର୍ଯ୍ୟରତ ଅନ୍ୟ ଜଣେ କର୍ମଚାରୀ ଗାଁ ଳୋକଙ୍କୁ ସୁଚନା ଦେବା ପରେ ଗାଁ ଲୋକେ ଏକଜୁଟ ହୋଇ ପ୍ରକଳ୍ପ ନିକଟକୁ ଦଉଡ଼ି ଆସିଥିଲେ। ଗାଁ ଲୋକଙ୍କୁ ଦେଖି ଦୃର୍ବୁତ୍ତ ମାନେ ବୋଲେରୋ ନେଇ ଛୁ ମାରିଥିଲେ। କିନ୍ତୁ ଓଡ଼ି ୦୧ଏ ୫୨୪୮ ନମ୍ବର ବିଶିଷ୍ଟ ପିକପ୍ ଭ୍ୟାନ ଟିକୁ ଛାଡ଼ିଦେଇ ଥିଲେ। ଷ୍ଟୋର କିପର ଥିବା କାର୍ତ୍ତିକ ଶଙ୍ଖୁଆ ଏନେଇ ସୋ ସୋ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଏକ ମାମଲା ରୁଜୁ କରି ଗାଡିଟିକୁ ଜବଦ କରି ଅଧିକ ତଦନ୍ତ ଚଳାଇଛି।