ସ୍ୱାୟତ୍ତ ଶାସନ ଦିବସ ପାଳିତ
ପୋଲସରା (ଅନୀଲ କୁମାର ମହାରଣା): ପୋଲସରା ଏନଏସି ପକ୍ଷରୁ ଅଗଷ୍ଟ ୩୧ ତାରିଖ ଦିନ ସ୍ୱାୟତ୍ତ ଶାସନ ଦିବସ ବହୁ ଆଡମ୍ବର ସହକାରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଜେନାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାତଃ ରାମଧୂନ ସହ କାର୍ଯ୍ୟାଳୟ ପରିସରରେ ଅଧ୍ୟକ୍ଷା ସଂଗୀତା ବେହେରା ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ ସଫେଇ କର୍ମଚାରୀ ସହ ଅନ୍ୟାନ୍ୟ କର୍ମଚାରୀଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା । ଅପରାହ୍ନରେ ସ୍ୱାୟତ୍ତ ଶାସନ ଦିବସ ଲାଗି ଏକ ସ୍ୱତନ୍ତ୍ର ବୈଠକ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପଶୁ ସମ୍ପଦ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିବା ସହିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା କୃତି ପ୍ରତିଭାଧାରିଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ଏହାସହିତ କାମଧେନୁ ଯୋଜନାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ୫ କୋଟି ଟଙ୍କାର କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରାଧ୍ୟାପକ ପ୍ରମୋଦ କୁମାର ରଥ ଯୋଗଦେଇ ସ୍ୱାୟତ୍ତ ଶାସନ ଦିବସ ଉପରେ ବକ୍ତବ୍ୟ ରଖି ଜନପ୍ରତିନିଧି ଓ ରାଜନେତା ବୃନ୍ଦଙ୍କ ଗଣତାନ୍ତ୍ରିକ ଭାବନା ରହିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ। ସମ୍ମାନିତ ଅତିଥିଭାବେ ଆସିକା ସାଂସଦ ଅନିତା ସୁଭଦର୍ଶିନୀ ପଟ୍ଟନାୟକ, ଏନଏସି ଅଧ୍ୟକ୍ଷା ସଂଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ବ୍ଲକ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ, ବିଡ଼ିଓ ଶଶିଭୂଷଣ ମହାପାତ୍ର, ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ମଲ୍ଲିକ, ଏସଡିପିଓ ସୁଜିତ କୁମାର ନାୟକ, ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ଷଢଙ୍ଗି, ସମାଜସେବୀ କେ. ନୀଳମାଧବ ଆଚାରୀ, ସାଂସଦ ପ୍ରତିନିଧି ସିମାଞ୍ଚଳ ସାହୁ, ପ୍ରଭାକର ପଣ୍ଡା, ଜଗନ୍ନାଥ ବଢ଼େଇ, ଦୀପକ ପ୍ରଧାନ, ମୋତିରାମ ସାହୁଙ୍କ ସମେତ ସମସ୍ତ କାଉନସିଲର ଓ ଏନଏସି ର କର୍ମଚାରୀ ଉପସ୍ଥିତ ଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲ୍ଲାର ପାଞ୍ଚୋଟି ଏନଏସି କୁ ମ୍ୟୁନିସିପାଲଟି ଭାବେ ଘୋଷଣା କରିଥିବା ବେଳେ ପୋଲସରା ଏନଏସି କୁ ମଧ୍ୟ ମ୍ୟୁନିସିପାଲଟି ଭାବେ ଘୋଷଣା କରିଥିବ ଯୋଗୁଁ ଉତ୍ସବ ମୁଖର ହୋଇଥିଲା ସ୍ବାୟତ ଶାସନ ଦିବସ କାର୍ଯ୍ୟକ୍ରମ। ଏହାକୁ ନେଇ ମନ୍ତ୍ରୀ ଓ ସାଂସଦ ଖୁସି ବ୍ୟକ୍ତ କରିବା ସହିତ ସମସ୍ତ ଜନପ୍ରତିନିଧି ଓ ସରକାରୀ କର୍ମଚାରୀ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ। ପୋଲସରା ର ପ୍ରଗତି ପାଇଁ ସମସ୍ତେ ସହଯୋଗ କରିବାକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ମଲ୍ଲିକ ଅନୁରୋଧ କରିଥିଲେ।


