ଦୃଢ ମନୋବଳ କରିଛି ଆତ୍ମନିର୍ଭରଶୀଳ: ଉଦାହରଣ ସାଜିଛନ୍ତି ଦିବ୍ୟାଙ୍ଗ ସନାତନ
ଆସିକା (ୱାଇଏନ୍ଏସ୍) ଦିବ୍ୟାଙ୍ଗ ହେଲେ ବି ଅନ୍ୟ ଉପରେ ବୋଝ ହୋଇନାହାନ୍ତି । ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ମିଳିଥିବା ବ୍ୟାଟେରୀଚାଳିତ ଅଟୋ ଚଳାଇ ସେ ପରିବାର ଭରଣପୋଷଣ କରିଆସିଛନ୍ତି । ଦୃଢ ମନୋବଳ ଲାଗି ଆତ୍ମନିର୍ଭରଶୀଳ ହୋଇ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସାଜିଛନ୍ତି ଆସିକା ବ୍ଳକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ପଞ୍ଚାୟତର ନବରତ୍ନପୁର ଗ୍ରାମର ଚଳନଶକ୍ତି ବାଧିତ ଦିବ୍ୟାଙ୍ଗ ଯୁବକ ସନାତନ ନାୟକ (ବୟସ ପ୍ରାୟ ୩୭ ବର୍ଷ) । ଆସିକା ନିକଟସ୍ଥ ନବରତ୍ନପୁର ଗ୍ରାମର ସନାତନ ନାୟକ ପିଲାଟି ବେଳରୁ ପୋଲିଓରେ ଆକ୍ରାନ୍ତ ହେବା ସାଙ୍ଗକୁ ସବୁଦିନ ପାଇଁ ତାଙ୍କର ବାମଗୋଡ ଅଚଳ ହୋଇପଡିଥିଲା । ନବରତ୍ନପୁର ଗ୍ରାମର ପ୍ରାଥମିକ ବିଦ୍ୟାଳୟ, ମଙ୍ଗଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ କେନ୍ଦୁପଦର ସ୍ଥିତ ନିମିନା ôବୃନ୍ଦାବନ ଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଭିନ୍ନ ସମୟରେ ଶିକ୍ଷା ସମାପ୍ତ ପରେ ପରିବାର ପ୍ରତିପୋଷଣ ଚିନ୍ତାରେ ସେ ଚିନ୍ତିତ ହୋଇପଡିଥିଲେ । ସରକାରଙ୍କ ପକ୍ଷରୁ ଦିବ୍ୟାଙ୍ଗ ସନାତନ ନାୟକଙ୍କୁ ୧୨ ଶହ ଟଙ୍କା ଭତ୍ତା ମିଳୁଥିଲା ବେଳେ ରୋଜଗାର କରି ଆତ୍ମନିର୍ଭରଶୀଳ ହେବା ଲାଗି ଏକ ବ୍ୟାଟେରୀଚାଳିତ ଅଟୋ ଯୋଗାଇବାକୁ ପ୍ରଶାସନକୁ ଗୁହାରି କରିଥିଲେ । ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଦିବ୍ୟାଙ୍ଗ ସନାତନ ନାୟକଙ୍କୁ ବ୍ୟାଟେରୀଚାଳିତ ଅଟୋ ଯୋଗାଇଦେବା ପରେ ସେ ବର୍ତ୍ତମାନ ପ୍ରତିଦିନ ଅଟୋରେ ଯାତ୍ରୀଙ୍କୁ ନେବା ଆଣିବା କରିବା ସାଙ୍ଗକୁ ଦିନକୁ ପ୍ରାୟ ୩ ଶହରୁ ୪ ଶହ ଟଙ୍କା ରୋଜଗାର କରୁଥିବା ଜଣାପଡିଛି । ପିଲାଟି ଦିନରୁ ପୋଲିଓରେ ଆକ୍ରାନ୍ତ ହୋଇଥିବାରୁ ପ୍ରଥମେ ତାଙ୍କୁ ୮୦ ପ୍ରତିଶତ ଦିବ୍ୟାଙ୍ଗ ପ୍ରମାଣପତ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିଲା ବେଳେ ବର୍ତ୍ତମାନ ତାହାକୁ ପ୍ରଥମେ ୭୦ ପ୍ରତିଶତକୁ ହ୍ରାସ ଓ ବର୍ତ୍ତମାନ ୬୦ ପ୍ରତିଶତକୁ ହ୍ରାସ କରାଯାଇଥିବା ଯୋଗୁଁ ସେ ସରକାରଙ୍କ ଅନ୍ୟାନ୍ୟ ଭିନ୍ନକ୍ଷମ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହୋଇଆସୁଛନ୍ତି ବୋଲି ଅତି କ୍ଷୋଭର ସହ ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ଧ୍ୟାନ ଦେଇ ଦିବ୍ୟାଙ୍ଗ ସନାତନ ନାୟକଙ୍କୁ ଆବଶ୍ୟକୀୟ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇଦେବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।