“ସ୍ୱାଧୀନତା ସଂଗ୍ରାମରେ ବାଲିପଦରର ଅବଦାନ” ବିଷୟରେ ଆଲୋଚନା ଚକ୍ର
ବୁଗୁଡା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମର ଅହଲ୍ୟା ଦେବୀ ମହିଳା ମହାବିଦ୍ୟାଳୟ ପରିସରରେ “ଘୁମୁସର ସ୍ୱର” ପକ୍ଷରୁ ପ୍ରତିଷ୍ଠାତା ସଭାପତି ତଥା ଅବସରପ୍ରାପ୍ତ ପ୍ରିନ୍ସପାଲ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ୧୫୬ ତମ ପୂର୍ଣ୍ଣିମା ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟବକ୍ତା ଭାବେ ଗାଳ୍ପିକ ଶିବ ପ୍ରସାଦ ଦାସ ଯୋଗ ଦେଇ ବାଲିପଦରରେ ରଘୁନାଥ ପାଠାଗାର ସ୍ଥାପନ ଓ ସଂଗ୍ରାମୀମାନଙ୍କ ମେଳି ସମ୍ପର୍କରେ ଐତିହାସିକ ତଥ୍ୟ ପ୍ରଦାନ କରିବା ସହ ସ୍ୱାଧୀନତା ସଂଗ୍ରାମକୁ ବାଲିପଦରର ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ଭାବେ ସମାଜସେବୀ ଜି. ରାଜେଶ୍ୱର ପାତ୍ର, ବାଲିପଦର ହାଇ ସ୍କୁଲର ପ୍ରଧାନ ଶିକ୍ଷକ ଇ.ନୀଳାଚଳ ପାତ୍ର, ସମାଜସେବୀ କୈଳାଶ ଚନ୍ଦ୍ର ପ୍ରଧାନ, ଏ. ସର୍ଭିସ ଆଚାରୀ, କବି ସୁରେଶ ଚନ୍ଦ୍ର ପାଢି ପ୍ରମୁଖ ଯୋଗ ଦେଇ ବାଲିପଦର ମାଟିର ସଂଗ୍ରାମୀ ମଧୁସୁଦନ ଦାସ, ହରିବନ୍ଧୁ ଖାଡଙ୍ଗା, ଦୀନବନ୍ଧୁ ପଣ୍ଡା, କତୋକୋଟା ବାଳକୃଷ୍ଣ ପାତ୍ର ପ୍ରଭୃତି ସଂଗ୍ରାମୀ ଗଣଙ୍କ ସ୍ମୃତି ଚାରଣ କରିଥିଲେ। ବାଲିପଦର ମାଟିର ଏହି ସଂଗ୍ରାମୀ ଗଣ ଡକ୍ଟର ହରେକୃଷ୍ଣ ମହତାବ, ବିଶ୍ଵନାଥ ଦାସ ପ୍ରଭୃତି ନେତାଙ୍କ ନେତୃତ୍ୱରେ ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ ଜେଲରେ କଏଦୀ ଜୀବନ, ସେମାନଙ୍କ ସାମ୍ବାଦିକତା ଓ ସଂଗଠନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏହି ସମ୍ପର୍କରେ ଅଧିକ ଗବେଷଣା ହେଲେ ସ୍ଥାନୀୟ ଜନତା ନିଜ ଅଞ୍ଚଳର ଗୌରବମୟ ଅତୀତ ସମ୍ପର୍କରେ ଅଧିକ ଜାଣି ପାରିବେ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମକୁ ଅହଲ୍ୟା ଦେବୀ ମହିଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ବୃନ୍ଦାବନ ମହାନ୍ତିଙ୍କ ସହ ମହାବିଦ୍ୟାଳୟର ଅଧ୍ୟାପିକା ବୃନ୍ଦ ଓ ଛାତ୍ରୀମାନେ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଘୁମୁସର ସ୍ୱର ପକ୍ଷରୁ ଖଲି ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।


