ଉତ୍କଳ ଦିବସ ଉପଲକ୍ଷେ ଆଲୋଚନା ଚକ୍ର
ଛତ୍ରପୁର, (ଓ୍ବାଇଏନଏସ) : ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟିର ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ସଦରମହକୁମା ଛତ୍ରପୁର ସ୍ଥିତ ଅନସ୍ଲୋ ଶିକ୍ଷାନୁଷ୍ଠାନ ଉଚ୍ଚ ବିଦ୍ୟାଳୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଛତ୍ରପୁର ଉତ୍କଳ ସମ୍ମିଳନୀ ଶାଖାର ସଭାପତି ଡ଼ଃ ପ୍ରଶାନ୍ତ କୁମାର ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଦୁଇଶହ ରୁ ଉର୍ଦ୍ଧ ବିଦ୍ୟାର୍ଥୀମାନେ ଅଂଶଗ୍ରହଣ କରିଥିଲେ l “ଉତ୍କଳ ପ୍ରଦେଶ ଗଠନରେ ଉତ୍କଳ ସମ୍ମିଳନୀ ଏବଂ ଆମ ପୂର୍ବସୁରୀମାନଙ୍କ ଅବିସ୍ମରଣୀୟ ଅବଦାନ” ବିଷୟରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଛତ୍ରପୁର ଶାଖାର ଉପଦେଷ୍ଟା ଡ଼ଃ ରାଜେନ୍ଦ୍ର କୁମାର ଦାସ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ପାଣିଗ୍ରାହୀ, ଶିକ୍ଷକ ବିଦ୍ୟାଧର ଦାସ ଓ ସଞ୍ଜୟ କୁମାର ବେହେରା, ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜନାଶ୍ରୀ ବଡ଼ତ୍ୟା ଉପସ୍ଥିତ ରହିଥିଲେ l ଏହି ଅବସରରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ନିର୍ମାତା ଉତ୍କଳ ଗୌରବ ବାରିଷ୍ଟର ମଧୁସୂଦନ ଦାସଙ୍କ ସହିତ ଉତ୍କଳ ପ୍ରଦେଶ ଗଠନ ଆନ୍ଦୋଳନର ଅନ୍ୟାନ୍ୟ ବରପୁତ୍ରମାନଙ୍କ ସ୍ମୃତି ଚାରଣ କରାଯାଇଥିଲା l ବିଦ୍ୟାର୍ଥୀମାନଙ୍କୁ ସେହି ମହାପୁରୁଷମାନଙ୍କ ଆଦର୍ଶରେ ପ୍ରେରିତ ହୋଇ ଜଣେ ଦାୟିତ୍ୱଶୀଳ ଓ ଆଦର୍ଶ ନାଗରିକ ହେବାପାଇଁ ଅତିଥିମାନେ ଆହ୍ୱାନ ଜଣାଇଥିଲେ l କାର୍ଯ୍ୟକ୍ରମର ଶେଷରେ ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜନାଶ୍ରୀ ବଡ଼ତ୍ୟା ଧନ୍ୟବାଦ ଅର୍ପଣ କରିଥିଲେ l


