ସିନେମାହୋଲ ରୋଡ ଓ ଗୌଡ଼ ସାହି ଛକ ରାସ୍ତା ଉପରେ ନର୍ଦ୍ଦମା ପାଣି
ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ାର ସିନେମାହୋଲ ରୋଡ ଓ ଗୌଡ଼ ସାହି ଛକ ତଥା ବିବେକାନନ୍ଦ ଶିକ୍ଷା କେନ୍ଦ୍ର ବିଦ୍ୟାଳୟକୁ ସଂଯୋଗ କରୁଥିବା ଏହି ରାସ୍ତା ଉପରେ ନର୍ଦ୍ଦମା ପାଣି ଭାସୁଥିବା ଦେଖାଯାଉଛି। ମୁନିଗୁଡା ସହରର ବିଭିନ୍ନ ସମସ୍ୟା ମଧ୍ୟରୁ ଡ୍ରେନେଜ୍ ସମସ୍ୟାକୁ ନେଇ ଏବେ ଉତ୍କଟ ରୂପ ନେଇଛି। ଏହି ସମସ୍ୟା ୪/୫ ବର୍ଷ ଧରି ବିଭିନ୍ନ ସାହି ବସ୍ତିରେ ଜାରି ରହିଛି। ବ୍ଲକ ଓ ପଞ୍ଚାୟତ କାର୍ଯ୍ୟାଳୟ ମଧ୍ୟରେ ଏହି ସହର ଥିବା ସତ୍ତ୍ୱେ ସାଧାରଣ ଲୋକଙ୍କ ଆପତ୍ତି ଶୁଣିବାକୁ ଏଠାରେ କାହାର ଆଗ୍ରହ ନଥିବା ଭଳି ମନେହୁଏ।ଫଳ ସ୍ୱରୂପ ଅନେକ ସାହି ବସ୍ତିରେ ବର୍ଷା ଋତୁରେ ନର୍ଦ୍ଦମା ପାଣି ଘରେ ପଶୁଥିବା ବେଳେ ଏବେ ଗ୍ରୀଷ୍ମ ଋତୁରେ ନର୍ଦ୍ଦମା ପାଣି ରାସ୍ତା ଉପରେ ଲହଡ଼ି ମାରୁଛି। ସୂଚନା ଅନୁଯାୟୀ ମୁନିଗୁଡାର ଲାଇଫ ଲାଇନ କୁହାଯାଉଥିବା ମୁନିଗୁଡ଼ାରୁ କୁକୁଡ଼ାବାଲିକୁ ସଂଯୋଗ କରୁଥିବା ଏହି ରାସ୍ତାର ଉଭୟ ପଟ ଡ୍ରେନ ଅନେକ ବର୍ଷ ହେବ ପୋତି ହୋଇ ପଡିଛି। ଫଳରେ ଗୌଡ଼ସାହି ଛକ ତଥା ବିବେକାନନ୍ଦ ଶିକ୍ଷା କେନ୍ଦ୍ର ବିଦ୍ୟାଳୟକୁ ଓ ଧବଳେଶ୍ଵର ଶିବ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତା ଉପରେ ଅନେକ ଦିନୁ ଦୁର୍ଗନ୍ଧ ନର୍ଦ୍ଦମା ପାଣି ଲହଡ଼ି ମାରୁଥିବା ଦେଖିବାକୁ ମିଳୁଛି। ଯାହା ଫଳରେ ଶିକ୍ଷା କେନ୍ଦ୍ରକୁ ଅନେକ କୁନି କୁନି ଛାତ୍ରଛାତ୍ରୀ,ଅଭିଭାବକ ଓ ମନ୍ଦିରକୁ ଭକ୍ତ ମାନେ ଯିବା ଆସିବାକୁ କୁଣ୍ଠାବୋଧ କରିବା ସହ ଅସନ୍ତୋଷ ପ୍ରକାଶ କରୁଛନ୍ତି। ସେହିପରି ମୁନିଗୁଡାର ସର୍ବ ସାଧାରଣ ସିନେମାହୋଲ ସମ୍ମୁଖ,ରିଲିଆନ୍ସ ସ୍ମାର୍ଟ ବଜାର ପାଖ ଡ୍ରେନର ନର୍ଦ୍ଦମା ପାଣି ମଧ୍ୟ ରାସ୍ତା ଉପରେ ଚାଲିଛି।ଏହି ରାସ୍ତାଦେଇ ସାତଟି ପଞ୍ଚାୟତର ହଜାର ହଜାର ଲୋକେ ମୁନିଗୁଡ଼ା ସହରକୁ ବିଭିନ୍ନ କାର୍ଯ୍ୟରେ ଯାଆ ଆସ କରିଥାନ୍ତି। ନିକଟରେ ଗୋପବନ୍ଧୁ ଦୈନିକ ପରିବା ଓ ଆମିଷ ବଜାର,ହୋଣ୍ଡା ସୋ ରୁମ୍,ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସହିତ ପ୍ରତିଦିନ ଶହ ଶହ ବିଦ୍ୟାର୍ଥୀ ବିବେକାନନ୍ଦ ଶିକ୍ଷା ନିକେତନ ସହିତ ବିଭିନ୍ନ ବିଦ୍ୟାଳୟକୁ ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି। ପ୍ରାୟତଃ ସରକାରୀ ବାବୁମାନେ ଏହି ରାସ୍ତାଦେଇ ଗାଡ଼ି ମାନଙ୍କରେ ଯାଉଥିଲେ ମଧ୍ୟ ସେମାନଙ୍କ ଗୋଡ଼ରେ ନର୍ଦ୍ଦମା ପାଣି ଲାଗି ନଥିବା କାରଣରୁ ବୋଧହୁଏ ସେମାନଙ୍କ ଶୁଭ ଦୃଷ୍ଟିକୁ ଏହି ସମସ୍ୟା ଉପରେ ଆସିନାହିଁ ବୋଲି ଆଲୋଚନା ହେଉଛି। ଏ ବିଷୟକୁ ନେଇ ଅନେକ ସମୟରେ ବିଭିନ୍ନ ଖବର କାଗଜ ମାନଙ୍କରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ଦୀର୍ଘ ବର୍ଷ ହେବ ପ୍ରଶାସନ ଚୁପ ରହିବା ସାଧାରଣ ଲୋକଙ୍କୁ ବିସ୍ମିତ କରିଛି। ନର୍ଦ୍ଦମା ଗନ୍ଧ ଓ ଦୂଷିତ ପାଣି ମଧ୍ୟରେ ଆଉଟ ପାଉଟ ବିବେକାନନ୍ଦ ବିଦ୍ୟାଳୟ ପରିବାର, ସ୍ଥାନୀୟ ବାସିନ୍ଦା,ଗୌଡ଼ ସାହି,ଗଣେଶ ନଗରର ସାଧାରଣ ଲୋକେ, ପଥଚାରି ମାନେ ଏହି ସମସ୍ୟା ଉପରେ ଗଭୀର ଉଦବେଗ ପ୍ରକାଶ କରିବା ସହିତ ଏହାର ଶୀଘ୍ର ଏହି ଡ୍ରେନେଜ ସମସ୍ୟାର ସମାଧାନ ନିମନ୍ତେ ମୁନିଗୁଡ଼ା ପଞ୍ଚାୟତ,ମୁନିଗୁଡ଼ା ବ୍ଲକ ଓ ଆରଡି ବିଭାଗୀୟ ଅଧିକାରୀ ମାନଙ୍କୁ ନିବେଦନ ଜଣାଇବା ସହ ଦାବି କରୁଛନ୍ତି।


