ପନି ପରିବା ଚାଷ କରି ଶିବନାରାୟଣପୁର ଗାଁ ଲକ୍ଷପତି

ହାଟଡ଼ିହି(ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ବଞ୍ଚୋ ପଞ୍ଚାୟତ ର ଶିବନାରାୟଣପୁର ଗ୍ରାମଟି ପନିପରିବା ଚାଷ ପାଇଁ ସମଗ୍ର ରାଜ୍ୟରେ ଖ୍ୟାତି ଲାଭ କରିଛି। ଏହି ପନିପରିବା ଚାଷକରି  ଗାଁର ପାଖାପାଖି ୭ଶହ ପରିବାର  ଲକ୍ଷପତି ହୋଇ ପାରିଛନ୍ତି । ଏହି ଗାଁ ରେ ୭ଶହରୁ ଉର୍ଦ୍ଧ୍ବ ପରିବାର ଓ ୪ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି। ଅଧିକାଂଶ ଲୋକ ଲଷ୍ମୀ ନାରାୟଣ ଗୋଲା ସଂପ୍ରଦାୟର। ଏମାନଙ୍କ ବେଉଷା ହେଲା ଚାଷ। ମୁଣ୍ଡ ଝାଳ ତୁଣ୍ଡରେ ମାରି ଦିନ ରାତି ମାଟି ସହିତ କାମ କରି କରି ଚାଷକୁ ପାଥେୟ କରି ଦିନ କାଟନ୍ତି। ଗାଁ ଚାରିପଟେ ଘେରି ରହିଛି ଚାଷଜମି ।ରବି ଋତୁ ରେ ଧାନ ଚାଷ କରି ନଭେମ୍ବର ପ୍ରଥମ କି ଦୁତୀୟ ସପ୍ତାହରୁ ଧାନ ଅମଳ ସାରି ସମସ୍ତେ ଲାଗିପଡନ୍ତି ପନିପରିବା ଚାଷରେ। ଏଠାରେ ପ୍ରତିଦିନ ସକାଳେ ଆରମ୍ଭ ହୋଇଥାଏ ଚାଷକାମ । ମହିଳାଙ୍କଠାରୁ ଆରମ୍ଭ କରି ପୁରୁଷ ଯାଏ ସମସ୍ତେ ଚାଷକାମରେ ଲାଗି ପଡିଥାନ୍ତି । ମାଟି ଖୋଳିବା ଠାରୁ ଆରମ୍ଭ କରି ଗଛ ଲଗାଇବା, କୋଡାଖୋସା, ପାଣି ଦେବା ଆଦି ସମସ୍ତ କାମ ଗାଁର ଲୋକେ ନିଜେ କରିଥାନ୍ତି । କି ପୁରୁଷ କି ମହିଳା ସମସ୍ତେ ଲାଗିପଡି ଥାନ୍ତି ଚାଷ କାମରେ। ବାଇଗଣ, ବିଲାତି, ଭେଣ୍ଡି, ଜହ୍ନି, କଲରା, କାକୁଡି, ଗାଜର, ପୋଟଳ, ବୋଇତାଳୁ, କଖାରୁ, ଫୁଲକୋବି, ବନ୍ଧା କୋବି ଭଳି ପନିପରିବା ସହିତ ଲେଉଟିଆ, ପୋଇ, କୋଶଳା, ପାଳଙ୍ଗ ଆଦି ଶାଗ ଚାଷ କରିଥାନ୍ତି ଏହି ଚାଷୀମାନେ। ଏଠାରୁ ଉତ୍ପାଦିତ ପନିପରିବା ସ୍ଥାନୀୟ ଅଞ୍ଚଳରେ ବିକ୍ରି ହେବା ସହିତ, ଆନନ୍ଦପୁର, ଭଦ୍ରକ, ବାଲେଶ୍ବର, ଯାଜପୁର, ରାଞ୍ଚି, କୋଲକାତା ଆଦି ଅଞ୍ଚଳକୁ ରତ୍ପାନୀ ହୋଇଥାଏ । ଗାଁର ହାତ ଗଣତି ୧୦/୧୨ ଜଣ ଲୋକ ଚାକିରୀ କରିଥିବା ବେଳେ ଅଧିକାଂଶ ଲୋକ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି । ଏବେ ଗାଁର ବହୁ ଶିକ୍ଷିତ ଯୁବକ ଉଚ୍ଚଶିକ୍ଷା ପରେ ଚାକିରୀ ନ କରି ନିଜ ପରିବାର ଲୋଜଙ୍କ ସହ ଉନ୍ନତ ବୈଜ୍ଞାନିକ ପ୍ରଣାଳୀରେ ପନି ପରିବା ଚାଷ କରି ଭଲ ଦି ପଇସା ରୋଜଗାର କରି ସମାଜରେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି। ଯୁବପିଢ଼ି ମାନେ ଉନ୍ନତ ପ୍ରଣାଳୀରେ ପନପରିବା ଚାଷ କରି ଲାଭାନ୍ବିତ ହେଉଛନ୍ତି । ଗ୍ରାମର ନିହାର ରଞ୍ଜନ ଜେନା ଯୁକ୍ତ ତିନି ପଢା ସରିବା ପରେ ଅନେକ ଦିନ ଚାକିରି ପଛରେ ଗୋଡେଇ ଗୋଡେଇ ନିରାଶ ହେବାପରେ ଏବେ ଚାଷକୁ ଆବୋରି ନେଇଛନ୍ତି। ୨ଏକର ଚାଷ ଜମିରେ ପନିପରିବା ଚାଷ କରି ଖର୍ଚ୍ଚପତ୍ର ଯାଇ ଦୁଇରୁ ତିନି ଲକ୍ଷ ଟଙ୍କା ଆୟ କରିପାରୁଛନ୍ତି ବୋଲି କହିଛନ୍ତି। ସେହିପରି ଚାଷୀ କନକଲତା ପରିଡାଙ୍କ କହିବାନୁଯାୟୀ ତାଙ୍କ ଘରେ ୬ପରାଣୀ କୁଟୁମ୍ବ ଥିବାବେଳେ କେହି ଚାକିରୀ କରି ନାହାନ୍ତି। ସମସ୍ତେ ଏହି ବିଲରେ ପନିପରିବା ଚାଷ କରି ଭଲ ଦୁଇପାଇସା ରୋଜଗାର କରିପାରୁଛନ୍ତି। ତାଙ୍କ ପରିବାର ଏଇ ପନିପରିବା ଚାଷରୁ ଢେର ଖୁସିରେ ଚଳୁଛନ୍ତି। ସେହିପରି ଚାଷୀ ନନ୍ଦକିଶୋର ବେହେରାଙ୍କ କହିବା ଅନୁଯାୟୀ ସେ ଦୁଇ ଏକର ଜମିରେ କୁବି, ବିଲାତି, ଜହ୍ନି, କାକୁଡି ଆଦି ଚାଷ କରିଥିବା ବେଳେ ୩ରୁ ୪ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ବିକ୍ରିବଟା ପାଇଁ ଛେନାପଦି ଛକ ନିୟମିତ ବଜାର ଉପରେ ନିର୍ଭର କରୁଥିବା ବେଳେ ଏବେ ରାଞ୍ଚି, କଲିକତା, ବାଲେଶ୍ୱର, ବଡ଼ବିଲ ଆଦି ଅଞ୍ଚଳରୁ ବ୍ୟବସାୟୀ ମାନେ ବଡ ଟ୍ରକ ଧରି ଆସି ପନିପରିବା ନେଇ ଯାଉ ଥିବାରୁ ସେମାନେ ଟିକେ ଆସ୍ବସ୍ତି ହେବା ସହିତ  ଚାଷ ପାଇଁ ଆଗ୍ରହ ପ୍ରକାଶ କରିପାରିଛନ୍ତି। ଏଠାରେ କୌଣସି ମଣ୍ଡି ନଥିବା ବେଳେ ପନି ପରିବା ସାଇତି ରଖିବାକୁ ଶୀତଳ ଭଣ୍ଡାର ଟିଏ ମଧ୍ୟ ନାହିଁ । ବାରମ୍ବାର ଦାବିସତ୍ୱେ ସରକାର ଆମ ପ୍ରତି ସଦୟ ମନୋଭାବ ପୋଷଣ କରୁ ନାହାନ୍ତି ବୋଲି କହିଛନ୍ତି। ଚାଷୀ ପ୍ରଭାକର ଖଣ୍ଡା, ଚକ୍ରଧର ଘଡେଇ, ଗଣେଶ ଚନ୍ଦ୍ର ଗିରି, ମଦନ ଗିରି ପ୍ରମୁଖ ଚାଷୀମାନେ କହିଛନ୍ତି ଯେ ଗାଁର ୯୦ଭାଗ ଲୋକ ନିଜ ଜମିରେ ଚାଷ କରୁଥିବା ବେଳେ ଆଉ୧୦ଭାଗ ଲୋକ ଭାଗଚାଷ କରି ପନିପରିବା ଚାଷ କରୁଛନ୍ତି। ସମସ୍ତେ ଏବେ ପନିପରିବା ଚାଷ କରି ଲକ୍ଷପତି ହୋଇପାରିଛନ୍ତି। ସେହିପରି ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ରାଉତ କହିଛନ୍ତି ଯେ ଏହି ଗ୍ରାମର ଲୋକମାନେ ପନିପରିବା ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି। ଏମାନେ କୌଣସି କଥାରେ ମୁଣ୍ଡ ନ ପୁରାଇ କେବଳ ଚାଷରେ ଲାଗିପଡି ଥାନ୍ତି। ସମସ୍ତେ ନିଜ ଗୋଡ଼ରେ ନିଜେ ଠିଆ ହୋଇ ପାରିଛନ୍ତି। କିନ୍ତୁ ବିକ୍ରିବଟା ପାଇଁ ସୁବିଧା ନଥିବାରୁ ଅନେକ ଅସୁବିଧା ଭୋଗୁଛନ୍ତି। ଚାଷ ଜମି ଗୁଡିକ ମୁକୁଳା ପଡ଼ିଥିବାରୁ ବୁଲା ଗୋରୁଗାଈଙ୍କ ଦ୍ୱାରା ଅନେକ କ୍ଷତି ସହୁଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ଏହି ଗାଁର ଚାଷୀ ମାନଙ୍କ ପାଇଁ ତାରବାଡ଼ର ବ୍ୟବସ୍ଥା ଯୋଗାଇ ଦେଲେ ଚାଷୀମାନେ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି। ସରକାରଙ୍କ ତରଫରୁ ଏଠାରେ ଏକ ପରିବା ମଣ୍ଡି ସହିତ, ଶୀତଳ ଭଣ୍ଡାର ସ୍ଥାପନ କରିବାକୁ ସେ ଦାବି କରିଛନ୍ତି । ଆଜିର ସମାଜରେ ଯୁବବର୍ଗ ମାନେ ଭାକିରି ପଛରେ ଗୋଡ଼ାଉ ଥିବାବେଳେ ଏହି ଗ୍ରାମର ଲୋକମାନେ  ପନିପରିବା ଚାଷ କରି ସ୍ୱାବଲମ୍ବୀ ହେବା ସହିତ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ