ଦୋକାନ ତାଲା ଭାଙ୍ଗି ଚୋରି ମାମଲା ; ଅଭିଯୁକ୍ତକୁ ବର୍ଷେ କାରାଦଣ୍ଡ ସହ ୨ ହଜାର ଜରିମାନା

ଦିଗପହଣ୍ଡି(ଅଳକ ନାଥ ମିଶ୍ର) ଦିଗପହଣ୍ଡି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନିଳିମା ଷଡଙ୍ଗୀ ଶୁକ୍ରବାର ଏକ ଚୋରି ମାମଲା ନଂ. (ଜିଆର -୫୪୪/୨୪) ର ଚୂଡାନ୍ତ ରାୟ ପ୍ରକାଶ କରି  ଅଭିଯୁକ୍ତ କୁ ଦୋଷୀସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ପାଟପୁର ଥାନା ଜଗନ୍ନାଥପୁର ଗ୍ରାମର ଜଗନ୍ନାଥ ବିଷୋୟୀ। ଭାରତୀୟ ନ୍ୟାୟ ସଂହିତା ଧାରା-୩୩୧(୪) ଏବଂ ୩୦୫ ଅନୁଯାୟୀ ଅଭିଯୁକ୍ତ କୁ ୧ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦୟେ ଅଧିକା ୧ ମାସ କାରାଦଣ୍ଡ ପାଇଁ  ମାଜିଷ୍ଟ୍ରେଟ ରାୟ ପ୍ରଦାନ କରିଛନ୍ତି। ତେବେ ଅଭିଯୁକ୍ତ ଜଣକ ଏହି କୋର୍ଟ ର ରାୟ ବିରୋଧରେ ଉପରିସ୍ଥ କୋର୍ଟରେ ଆବେଦନ କରିପାରିବେ ବୋଲି ମାଜିଷ୍ଟ୍ରେଟ ଦଣ୍ଡ ଶୁଣାଣି ବେଳେ  ଉଲ୍ଲେଖ କରିଥିଲେ।  ଗତ ୨୦୨୪ ନଭେମ୍ବର ୨୧ ତାରିଖ ବିଳମ୍ବିତ ରାତି ରେ ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ସମ୍ମୁଖରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସ ରେ ଦୋକାନ ଘର ଭଡ଼ା ନେଇ ବିଭିନ୍ନ ବ୍ୟବସାୟ କରୁଥିବା ସୁମିତ ପଟ୍ଟନାୟକ,ଆଶିଷ ରାଉତ, ସନିଆ ଡାକୁଆ, ଦନାର୍ଦ୍ଦନ ନାୟକ ଙ୍କ ଦୋକାନ ଗୁଡ଼ିକର ତାଲା ଭାଙ୍ଗି ଲାପଟପ୍, ସେଲୁନ ସାମଗ୍ରୀ,ସିସିଟିଭି କ୍ୟାମେରା, ସ୍ପିକର ବକ୍ସ, ସିସିଟିଭି ଯନ୍ତ୍ରାଂଶ,ବିକ୍ରୀ ପାଇଁ ଥିବା ଖାଦ୍ୟ ସାମଗ୍ରୀ ଏବଂ ୧୭୩୦୦ ଟଙ୍କା ଚୋରି ହୋଇଥିଲା।ଘଟଣାର ପରଦିନ ସକାଳେ ଏନେଇ ଦୋକାନ ମାଲିକ ମାନେ ଜାଣିବା ପରେ ଦିଗପହଣ୍ଡି ଥାନାରେ  ଏତଲା ଦେଇଥିଲେ।ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୪୬୩/୨୪ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ।ତଦନ୍ତକାରୀ ଅଧିକାରୀ ଏଏସଆଇ ନିଗମ ଚଦ୍ର ପ୍ରଧାନ ଘଟଣାର ତଦନ୍ତ କରି ଅଭିଯୁକ୍ତ କୁ ଘଟଣାର ୭ ଦିନ ପରେ ଗିରଫ କରିବା ସହ ସାକ୍ଷ୍ୟ ମାନଙ୍କ ଉପସ୍ଥିତିରେ  ତାଲା ଭାଙ୍ଗିବା ପାଇଁ  ବ୍ୟବହୃତ ସାମଗ୍ରୀ ଏବଂ ଚୋରି ଲାପଟପ୍ ଜବତ କରିଥିଲେ। ଅଭିଯୁକ୍ତ ପୁଲିସ ନିକଟରେ ଦୋଷ ସ୍ବୀକାର କରିବା ପରେ ଗତ ୨୦୨୪ ନଭେମ୍ବର ୨୮ ତାରିଖରେ  କୋର୍ଟ ଚାଲାଣ କରାଯାଇଥିଲା।ଏହି ଚୋରି ଘଟଣାର ସବିଶେଷ ତଦନ୍ତ କରି ତଦନ୍ତକାରୀ ଅଧିକାରୀ ଏଏସଆଇ ଗତ ଜାନୁଆରୀ ୨୫ ତାରିଖରେ ଅଭିଯୁକ୍ତ ବିରୋଧରେ କୋର୍ଟ ରେ ଚାର୍ଜସିଟ ନଂ – ୩୬ ଅନୁଯାୟୀ ସମସ୍ତ ନଥିପତ୍ର ଦାଖଲ କରିଥିଲେ।  ମାମଲାରେ ସମୁଦାୟ ୧୦ ଜଣ ସାକ୍ଷୀଙ୍କ ବୟାନ କୁ ଭିତ୍ତିକରି ଆବଶ୍ୟକ ପ୍ରମାଣ ମିଳିବା ପରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ଜଣାପଡିଛି। ସରକାରଙ୍କ ପକ୍ଷରୁ କ୍ୟାଡର ଏପିପି ବିପ୍ଲବ କୁମାର ମୁଦୁଲି ଏବଂ ସରକାରୀ ଓକିଲ ନକୁଳ ପ୍ରଧାନ ମାମଲା ପରିଚାଳନା କରୁଥିଲେ।ଗିରଫ ହେବା ପର ଠାରୁ ଅଭିଯୁକ୍ତ ଜଣକ ଦିଗପହଣ୍ଡି ସବ ଜେଲ ରେ ବିଚାରାଧୀନ ବନ୍ଦୀ ଭାବେ ରହୁଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ