କାଗଜ କଲମରେ ଚାଲୁଛି ସିଂହାସନ ହୋଟେଲ ! ଅବକାରୀ ବିଭାଗର କାର୍ଯ୍ୟକାରିତା ଓ ସ୍ୱଚ୍ଛତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ

ଧାମନଗର(ଓ୍ବାଇଏନଏସ): କାଗଜ କଲମରେ ଚାଲୁଛି ହୋଟେଲ, ହେଲେ ବାସ୍ତବରେ ନାହିଁ ହୋଟେଲର ଚିହ୍ନବର୍ଣ୍ଣ! ଏଭଳି ଏକ ଅଭିଯୋଗକୁ ନେଇ ଧୂଷୁରୀ ଅଞ୍ଚଳରେ ଏବେ ଚର୍ଚ୍ଚା ଜୋର ଧରିଛି। ଭଦ୍ରକ ଜିଲ୍ଲା ଧୂଷୁରୀ ବିଜ୍ଞାପିତ ଅଞ୍ଚଳର ନରସିଂହପୁର ମୌଜାରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନ (ଅନ୍‌-ସପ୍‌) ବାର୍‌ ସ୍ଥାପନକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଛି। ଏହାକୁ ନେଇ ଅବକାରୀ ବିଭାଗର କାର୍ଯ୍ୟପ୍ରଣାଳୀ ଓ ବିଜ୍ଞପ୍ତିର ସ୍ୱଚ୍ଛତା ଉପରେ ମଧ୍ୟ ପ୍ରଶ୍ନ ଉଠିଛି।ମିଳିଥିବା ସୂଚନା ଓ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଧୂଷୁରୀ ଥାନା ଅନ୍ତର୍ଗତ ନରସିଂହପୁର ମୌଜାର ଖାତା ନମ୍ବର ୨୭୧/୩୩୭, ପ୍ଲଟ ନମ୍ବର ୧୮୯୪/୨୨୭୭, ୱାର୍ଡ ନମ୍ବର ୮ରେ ‘ସିଂହାସନ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ’ ନାମରେ ଏକ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ପ୍ରସ୍ତାବ ରହିଛି। ଏ ସଂକ୍ରାନ୍ତରେ ଭଦ୍ରକ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିବା ଜଣାପଡ଼ିଛି।ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଯେଉଁ ସ୍ଥାନରେ ‘ସିଂହାସନ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ’ ନାମରେ ମଦ ଦୋକାନ ଖୋଲିବାକୁ ପ୍ରସ୍ତାବ ରହିଛି, ସେଠାରେ ପୂର୍ବରୁ କେବେ ହୋଟେଲ କିମ୍ବା ରେଷ୍ଟୁରାଣ୍ଟ ଚାଲୁଥିବା ସ୍ଥାନୀୟ ଲୋକେ ଦେଖିନଥିବା ଅଭିଯୋଗ କରିଛନ୍ତି। ଯଦି ବାସ୍ତବରେ ସେଠାରେ ହୋଟେଲ ଚାଲୁନାହିଁ, ତେବେ କେଉଁ ଆଧାରରେ ଏହି ନାମରେ ଠିପି ଖୋଲା ବିଦେଶୀ ମଦ ଦୋକାନ ପାଇଁ ପ୍ରସ୍ତାବ ଗ୍ରହଣ କରାଗଲା ବୋଲି ପ୍ରଶ୍ନ ଉଠୁଛି। ଅଭିଯୋଗ ଅନୁଯାୟୀ, ଅବକାରୀ ନିୟମ ଅନୁସାରେ ହୋଟେଲ ଓ ରେଷ୍ଟୁରାଣ୍ଟ ଆଧାରିତ ଠିପି ଖୋଲା ବିଦେଶୀ ମଦ ଦୋକାନ ପାଇଁ ଆବଶ୍ୟକ ଯୋଗ୍ୟତା ଓ ସର୍ତ୍ତାବଳୀ ପୂରଣ ହେବା ଜରୁରୀ। ମାତ୍ର ପ୍ରସ୍ତାବିତ ସ୍ଥାନରେ ହୋଟେଲ ଚାଲୁଥିବାର କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନଥିବାରୁ ଏହାର ବାସ୍ତବତା ଯାଞ୍ଚ କରିବାକୁ ଦାବି ହେଉଛି।ଅନ୍ୟପକ୍ଷରେ,ଏହି ପ୍ରସ୍ତାବିତ ମଦ ଦୋକାନ ସମ୍ପର୍କରେ ସ୍ଥାନୀୟ ଜନସାଧାରଣଙ୍କ ଆପତ୍ତି ଓ ଅଭିଯୋଗ ଗ୍ରହଣ ପାଇଁ ଅବକାରୀ ବିଭାଗ ପକ୍ଷରୁ ଅଞ୍ଚଳରେ କୌଣସି ବିଜ୍ଞପ୍ତି ପୋଷ୍ଟର ଲଗାଯାଇନଥିବା କିମ୍ବା ବ୍ୟାପକ ପ୍ରଚାର କରାଯାଇନଥିବା ଅଭିଯୋଗ ହୋଇଛି। କେବଳ କାଗଜ କଲମରେ ବିଜ୍ଞପ୍ତି ପ୍ରକାଶ କରିଦେଇ ବିଭାଗ ନିଜର ଦାୟିତ୍ୱ ସାରିଦେଇଛି କି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି।ଏହି ପ୍ରସଙ୍ଗକୁ ନେଇ ଅବକାରୀ ବିଭାଗ ପ୍ରସ୍ତାବିତ ସ୍ଥାନର ବାସ୍ତବ ସ୍ଥିତି ହୋଟେଲର ଅସ୍ତିତ୍ୱ,ଲାଇସେନ୍ସ ପାଇଁ ଆବଶ୍ୟକ କାଗଜପତ୍ର ଓ ବିଜ୍ଞପ୍ତି ପ୍ରକାଶ ପ୍ରକ୍ରିୟାର ନିରପେକ୍ଷ ଯାଞ୍ଚ କରିବାକୁ ଦାବି ହେଉଛି।ତେବେ ସ୍ଥାନୀୟ ଜନସାଧାରଣଙ୍କ ଆପତ୍ତି ଓ ଅଭିଯୋଗକୁ ବିଭାଗ କେତେ ଗୁରୁତ୍ୱ ଦେଉଛି ଏବଂ ଏହି ପ୍ରସ୍ତାବିତ ମଦ ଦୋକାନ ସମ୍ପର୍କରେ କି ପଦକ୍ଷେପ ଗ୍ରହଣ କରୁଛି ତାହା ଆଗାମୀ ଦିନରେ ଜଣାପଡ଼ିବ।ଏବେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ଜିଲ୍ଲା ନିଶା ନିବାରଣ ସଂଗଠର ସଦସ୍ୟ ନିଶିକାନ୍ତ ନାୟକଙ୍କ ଅବକାରୀ ବିଭାଗକୁ ଗୋଟିଏ ପ୍ରଶ୍ନ—ବାସ୍ତବରେ ହୋଟେଲ ନଥାଇ କେବଳ କାଗଜପତ୍ରରେ ହୋଟେଲ ଦର୍ଶାଇ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିପାରିବ କି?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ