୬ ଶିକ୍ଷକ ପାଇବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ବ୍ଲକର ୬ ଶିକ୍ଷକ ମୁଖ୍ୟମନ୍ତ୍ରୀ ଶିକ୍ଷା ଜିଲା ସ୍ତରୀୟ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେଣ୍ଢତୀରାସ୍ଥିତ ପିଏମଶ୍ରୀ ଜନାର୍ଦ୍ଦନ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରଭାସିନୀ ବିଶ୍ୱାଳ, ଶିକ୍ଷକ ଅବିନାଶ ବାଇ, କାଦବରାଙ୍ଗ ନୋଡାଲ ହାଇସ୍କୁଲର ଶିକ୍ଷୟିତ୍ରୀ ଲୋପାମୁଦ୍ରା ସ୍ୱାଇଁ, ରୀହା ରାଉଳ, ଲିଲି ପରିଡା ଏବଂ ଗଡଚଣ୍ଡୀ ସରକାରୀ ଉପ୍ରା ବିଦ୍ୟାଳୟର ଶିକ୍ଷକ ସୁକାନ୍ତ କୁମାର ବେହେରା ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଏସଏମସି ସଦସ୍ୟା ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି । ଏ ସଫଳତାର ଶ୍ରେୟ ସମସ୍ତ ଛାତ୍ରଛାତ୍ରୀ ଓ ବିଦ୍ୟାଳୟକୁ ଶିକ୍ଷକମାନେ ଦେଇଛନ୍ତି । ଏହି ପୁରସ୍କାର ସେମାନଙ୍କୁ ଆଗକୁ ଯିବାରେ ଅଧିକ ପ୍ରେରଣା ଯୋଗାଇବ ବୋଲି ସେମାନେ କହିଛନ୍ତି । ଗୁରୁଦିବସ ଅବସରରେ ଭଦ୍ରକ ଠାରେ ଆୟୋଜିତ ଜିଲା ସ୍ତରାୟ ସମ୍ବର୍ଦ୍ଧନା ସମାରୋହରେ ଏ ସମସ୍ତ ଶିକ୍ଷକଙ୍କୁ ପୁରସ୍କୃତ କରାଯିବ । ପ୍ରକାଶ ଥାଉକି, ଏହି ଜିଲାରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ଲକର ୨୦ ଜଣ ମାଧ୍ୟମିକ ଶିକ୍ଷକ ଓ ୭ ଜଣ ପ୍ରାଥମିକ ଶିକ୍ଷକ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ୨୦ ଜଣ ମାଧ୍ୟମିକ ଶିକ୍ଷକଙ୍କ ମଧ୍ୟରେ ବାସୁଦେବପୁର ବ୍ଲକରେ ୫, ଭଦ୍ରକରେ ୫, ବନ୍ତରେ ୫, ଭଣ୍ଡାରିପୋଖରୀରେ ୧, ଧାମନଗରରେ ୨, ଚାନ୍ଦବାଲିରେ ୨ ଜଣଙ୍କୁ ମନୋନୀତ କରାଯାଇଛି । ସେହିପରି ଜିଲାର ୭ ବ୍ଲକରେ ଜଣେ ଲେଖାଏ ପ୍ରାଥମିକ ଶିକ୍ଷକ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏନେଇ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ(ପଞ୍ଚସଖା ଶିକ୍ଷା ସେତୁ) ପତ୍ର ସଂଖ୍ୟା-୮୫୩୭/ତା-୩-୯-୨୫ ଅନୁଯାୟୀ ସମସ୍ତ ମନୋନୀତ ଶିକ୍ଷକ ମାନଙ୍କୁ ଅବଗତ କରାଯାଇଛି ।