ଆରମ୍ଭ ହେଲା ଏସ୍ଓଏସ୍ସି ପରୀକ୍ଷା
ଆସିକା (ୱାଇଏନ୍ଏସ୍) :ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଷ୍ଟେଟ୍ ଓପନ୍ ସ୍କୁଲ ସାର୍ଟିଫିକେଟ୍ (ଏସ୍ଓଏସ୍ସି) ପରୀକ୍ଷା ଆଜି ଠାରୁ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଆରମ୍ଭ ହୋଇଥିବା ଦେଖିିବାକୁ ମିଳିଛି । ଏହି ପରୀକ୍ଷା ଆସନ୍ତା ଜୁଲାଇ ମାସ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରମାଣ ପତ୍ର (ଏସ୍ଓଏସ୍ସି) ପରୀକ୍ଷା ଦେବା ପାଇଁ ଆସିକାର ଗୋଟିଏ ମାତ୍ର କେନ୍ଦ୍ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଥମ ଦିିନରେ ୨୧୩ ଜଣ ପରୀକ୍ଷାର୍ଥୀ ପରାକ୍ଷା ଦେବା ପାଇଁ ସ୍ଥିରୀକୃତ ହୋଇଥିଲା ବେଳେ ୬ ଜଣ ଅନୁପସ୍ଥିତ ରହିବାରୁ ୨୦୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ଜଣାପଡିଛି । ଏସ୍ଓଏସ୍ସି ପରୀକ୍ଷାର ପ୍ରଥନ ଦିନରେ ପରୀକ୍ଷାର୍ଥୀମାନେ ହୋମ୍ ସାଇନ୍ସ ପରୀକ୍ଷା ଦେଇଥିବା ବେଳେ ଭଲ ପ୍ରଶ୍ନ ପଡିଥିବାରୁ ବହୁ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରରୁ ଖୁସିମନରେ ଫେରିଥିବା ଦେଖିବାକୁ ମିଳିଥିଲା । ସକାଳ ୯ ଘଣ୍ଟିକାରୁ ଏହି ପରୀକ୍ଷା ଆରମ୍ଭ ହୋଇ ୧୧ଟାରେ ସରିଥିଲା । ଏହି ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରମାଣ ପତ୍ର ପରୀକ୍ଷା ଯେପରି କପିମୁକ୍ତ ଓ ଶୃଙ୍ଖଳିତ ଭାବେ କୌଣସି ବିଭ୍ରାଟ ନହୋଇ ସମାପ୍ତ ହେବ ତାହାକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଇଥିଲା ବେଳେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ସମୟରେ ପରୀକ୍ଷାର୍ଥୀମ।।ନେ କଡା ଯାଞ୍ଚର ସମ୍ମୁଖୀନ ହୋଇଥିଲେ । ଜିଲ୍ଲା ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ସୁପରଭାଇଜର୍ ରୂପେ ଜଗଦଳପୁର ସ୍ଥିତ ଗୁଣ୍ଠପଡା ହାଇସ୍କୁଲର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର ଓ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ତଥା ପ୍ରଧାନଶିକ୍ଷୟିତ୍ରୀ ମିନତୀ କୁମାରୀ ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଶିକ୍ଷୟିତ୍ରୀ ପଦ୍ମାବତୀ ଦୋରା, ଇନ୍ଦିରା ଦାଶ, ରଶ୍ମିତା ପାତ୍ର, ଲକ୍ଷ୍ମୀ ଦାଶ, ପି.ରୋଜା, ସୁଶ୍ରୀ ପ୍ରିୟମ୍ବଦା, ପ୍ରଶାନ୍ତ କୁମାର ପାଣି, ଏ.ସ୍ୱାତୀ, ରଶ୍ମିତା ମହାପାତ୍ର, ସନ୍ତୋଷିନୀ ମୁନି, ସସ୍ମିତା କୁମାରୀ ମଙ୍ଗ, ଶ୍ରୀମତୀ ଏମ୍.ଆଶାଲତା ଦେବୀ, ମଂଜୁଳା ସ୍ୱାଇଁ, ସନ୍ଧ୍ୟାରାଣୀ ବେହେରାଙ୍କ ସମେତ ଶିକ୍ଷା ବିଭାଗର ବହୁ ଶିକ୍ଷକ ଏହି ପରୀକ୍ଷାକୁ ସୁପରିଚାଳନା ଦିଗରେ ନିୟୋଜିିତ ଥିବା ଲକ୍ଷ୍ୟ କରାଯାଇଥିଲା । ସ୍କ୍ୱାର୍ଡ ଦାୟିତ୍ୱରେ ଶିକ୍ଷକ ସୁବାସ ବେହେରା ଓ ହୃଷିକେଶ ପଣ୍ଡା ସାମିଲ୍ ହୋଇଥିବା ଦେଖିବାକୁ ମିଳିଥିଲା । ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ଠାରୁ ମାଟ୍ରିକ ସପ୍ଳିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ୬ଟି ବିଷୟରେ ହେବାକୁ ଥିବା ମାଟ୍ରିକ ସପ୍ଳିମେଣ୍ଟାରୀ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୧.୩୦ ମିନଟ ସମୟରେ ଶେଷ ହେବ । କେବଳ ଗଣିତ ପରୀକ୍ଷା ପାଇଁ ଅତିରିକ୍ତ ୧୫ ମିନଟ ସମୟ ପରୀକ୍ଷାର୍ଥୀଙ୍କୁ ଦିଆଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଆସନ୍ତାକାଲି ପ୍ରଥମ ଦିବସରେ ଦଶମ ସପ୍ଳିମେଣ୍ଟାରୀ ଛାତ୍ରଛାତ୍ରୀମାନେ ମାତୃଭାଷା ବିଷୟରେ ପରୀକ୍ଷା ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ପରୀକ୍ଷାକୁ ସୁଚାରୁ ରୂପେ ସଂପାଦନ କରିବା ଲାଗି ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଇଥିବା ଜଣାପଡିଛି ।