ବିଜେପିରେ ଯୋଗ ଦେଲେ ସମାଜସେବୀ ନରେଶ ସାହୁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି ସହରର ବିଶିଷ୍ଟ ସମାଜସେବୀ ତଥା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ନରେଶ ସାହୁ ତାଙ୍କର ଶତାଧିକ କର୍ମୀ ଓ ସମର୍ଥକଙ୍କ ସହ ବିଜେପିରେ ଯୋଗଦାନ କରିଛନ୍ତି. ଏନେଇ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଖଞ୍ଜା ସାହି ଠାରେ ଭାରତୀୟ ଜନତା ପାର୍ଟିର ନୂତନ କାର୍ଯ୍ୟାଳୟ ଠାରେ ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ନବ କିଶୋର ଶବରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଉପ ସଭାପତି ତଥା ପୂର୍ବତନ ପାରଳା ବିଧାୟକ କେ. ନାରାୟଣ ରାଓ ମଞ୍ଚାସୀନ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର, ଈ. ପ୍ରଶାନ୍ତ, ନଗର ସଭାପତି ବାଳକୃଷ୍ଣ ପାତ୍ର, ପୂର୍ବତନ କାଶୀନଗର ବ୍ଲକ ଅଧ୍ୟକ୍ଷ ଚିତ୍ରି ସୀମାଦ୍ରୀ, ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ ଓ ଯୁବ ନେତା କେ. ଜୀବନ ପ୍ରମୁଖ ଉପସ୍ଥିତ ଥିଲେ। ବିଶିଷ୍ଟ ସମାଜସେବୀ ତଥା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ନରେଶ ସାହୁଙ୍କ ନେତୃତ୍ଵରେ ପୌରାଞ୍ଚଳ ଅନ୍ତର୍ଗତ ୧୦, ୧୧,୧୨, ୧୩ ୱାର୍ଡ ଗୁଡ଼ିକରୁ ଶତାଧିକ ବିଭିନ୍ନ ଦଳର କର୍ମୀ ଏବଂ ତାଙ୍କ ସମର୍ଥକଙ୍କ ସହ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ନରେଶ ସାହୁ ଜଣେ ମିଷ୍ଟଭାଷୀ ପରୋପକାରୀ ବ୍ୟକ୍ତି ଭାବରେ ପାରଳା ସହରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ରହିଛି। ତେଣୁ ତାଙ୍କରି ଯୋଗଦାନ ନିଶ୍ଚିତ ଭାବରେ ଦଳ ପାଇଁ ଶକ୍ତିଶାଳୀ ହେବ ବୋଲି ରାଜ୍ୟ ଉପସଭାପତି କେ. ନାରାୟଣ ରାଓ ଦୃଢ ଭାବେ ପ୍ରକାଶ କରିବା ସହ ଶ୍ରୀ ସାହୁ ତାଙ୍କ ସମର୍ଥକଙ୍କ ସହ ବିଜେପିରେ ଯୋଗଦେବା ଆଗାମୀ ପୌର ନିର୍ବାଚନରେ ବିଜେପି ବେଶ ଉତ୍ତମ ପ୍ରଦଶନ କରିପାରିବ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶ ଓ ଦଳ ମୂଲ୍ୟବୋଧ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିକଶିତ ଓଡିଶା ଆଦିରେ ଅନୁପ୍ରାଣୀତ ହୋଇ ବିଜେପି ଦଳରେ ସାମିଲ ହେଲି ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି.


