ପଶୁପକ୍ଷୀଙ୍କ ସେବାରେ ସମାଜସେବୀ ପ୍ରତାପ ସାହୁ
ଭୁବନେଶ୍ୱର (ଓ୍ବାଇଏନଏସ) : ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଫଳରେ ତାପମାତ୍ରା ଏତେ ମାତ୍ରାରେ ବୃଦ୍ଧି ପାଉଛି ଯେ, ମଣିଷ କ’ଣ ପଶୁପକ୍ଷୀ ମଧ୍ୟ ଗ୍ରୀଷ୍ମପ୍ରବାହରେ ରକ୍ଷା ପାଇପାରୁ ନାହାଁନ୍ତି। ଆଜିର ଦୁନିଆରେ ସ୍ୱାର୍ଥପର ମଣିଷମାନେ ନିଜର ସ୍ୱାର୍ଥ ପାଇଁ ଗଛସବୁ କାଟିଦେବା ଫଳରେ ଶହ ଶହ ଗଛ ବଳି ପଡୁଛନ୍ତି। ଶିଳ୍ପ ପ୍ରତିଷ୍ଠା, କଳ କାରଖାନା ପ୍ରତିଷ୍ଠା ଓ ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ ପାଇଁ କେଉଁ ଅନାଦି କାଳରୁ ରହିଆସିଥିବା ବିରାଟକାୟ ଗଛସବୁକୁ କାଟି ଦିଆଯାଉଛି। ଫଳରେ ଜୈବ ବିବିଧତା ଧ୍ୱଂସାଭିମୁଖୀ। ଜଙ୍ଗଲ ଧ୍ୱଂସ ଫଳରେ ରାଜ୍ୟରେ ଦେଖା ଦେଇଛି ଅନେକ ସମସ୍ୟା। ସୃଷ୍ଟି ହେଉଛି ବିଶ୍ୱତାପନ ଆଉ ବୃଦ୍ଧି ପାଉଛି ପୃଥିବୀର ତାପମାତ୍ରା। ଗ୍ଲୋବାଲ ୱାର୍ମିଂର ପ୍ରଭାବ ମଣିଷ ଓ ପଶୁପକ୍ଷୀଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି। ଦେଖାଦେଇଛି ଭୂତଳ ଜଳସ୍ତର ହ୍ରାସ, ତାପମାତ୍ରା ବୃଦ୍ଧି, ଜଳବାୟୁ ପରିବର୍ତ୍ତନ ଓ ବିପର୍ଯ୍ୟୟମୁଖୀ ସବୁଜିମା ଜୀବଜଗତକୁ ଠେଲି ଦେଇଛି। ସାଧାରଣତଃ ମାର୍ଚ୍ଚମାସ ଠାରୁ ସାରାଦେଶରେ ତାପମାତ୍ରା ସର୍ବନିମ୍ନ ୪୦ ଡିଗ୍ରୀରୁ ଆରମ୍ଭ ହୋଇ ୫୦ରୁ ୫୫ଡିଗ୍ରୀ ଅତିକ୍ରମ କରିଥାଏ। ଫଳରେ ଅସହ୍ୟ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଧନୀଶ୍ରେଣୀର ଲୋକମାନେ ଶୀତତାପ ନିୟନ୍ତ୍ରିତ ଘରେ ରହୁଥିବା ବେଳେ ମଧ୍ୟବିତ୍ତ ଓ ଗରିବଲୋକମାନେ ଯେନତେନ ପ୍ରକାରଣେ ଥଣ୍ଡାପାଣି ପିଇ ମୁଣ୍ଡ ଗୁଞ୍ଜି ରହିଯାଆନ୍ତି। କିନ୍ତୁ ପ୍ରକୃତି ସହିତ ତାଳ ଦେଇ ଜୀବନ ଯାପନ କରୁଥିବା ପଶୁପକ୍ଷୀ, କୀଟପତଙ୍ଗମାନଙ୍କ କେହି ସାହା ଭରସା ନଥାନ୍ତି। ସେମାନେ ଡହ ଡହ ଖରାରେ ପାଣି ଟୋପେ ପିଇବା ପାଇଁ ଡହଳ ବିକଳ ହେଉଥିବା ବେଳେ ଏହାକୁ ଦେଖି ପ୍ରତାପ ସାହୁ ପଶୁପକ୍ଷୀଙ୍କ ସେବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଶ୍ରୀଯୁକ୍ତ ସାହୁ ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି, ଧଉଳିଗିରି, ଡମ୍ପଡ଼ା, ନିଳାଦ୍ରୀ ବିହାର ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ପକ୍ଷୀମାନଙ୍କ ପାଇଁ ବଡ଼ ବଡ଼ ଗଛ କୋରଡ଼ରେ ମାଟିପାତ୍ରରେ ପାଣି ରଖିଥାନ୍ତି ଏବଂ ପଶୁମାନଙ୍କ ପାଇଁ ରାସ୍ତାକଡ଼ରେ ମଧ୍ୟ ପାଣିର ବ୍ୟବସ୍ଥା କରିଥାନ୍ତି। କେବଳ ରାଜଧାନୀ ନୁହେଁ ଶ୍ରୀ ସାହୁଙ୍କ ନିଜ ଗାଁ କଟକ ଜିଲ୍ଲା ମଣିଜୋରିଠାରେ ବଡ଼ ବଡ଼ ବରଗଛଗୁଡ଼ିକରେ ପକ୍ଷୀମାନଙ୍କ ପାଇଁ ପାଣିର ବ୍ୟବସ୍ଥା କରିଥାନ୍ତି। ଏହାବ୍ୟତୀତ ଶ୍ରୀ ସାହୁ ପୁରୀ, କୋଣାର୍କ ଓ କେନ୍ଦ୍ରାପଡ଼ାରେ ମଧ୍ୟ ପଶୁପକ୍ଷୀଙ୍କ ପାଇଁ ପାଣିର ବ୍ୟବସ୍ଥା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏ ନେଇ ଶ୍ରୀଯୁକ୍ତ ସାହୁ କୁହନ୍ତି, ଯେ ଏହି ପାଣି ରଖିବା ଫଳରେ କୁଣ୍ଡାଖିଆ ଚଢେଇ, ବଣି, କାଉ, ପାରା, ଧବଧବଳିଆ, କାଠହଣା ଚଢେଇ, ଗୁଣ୍ଡୁଚିମୂଷା, ଏଣ୍ଡୁଅ, ନେଉଳ ବିଭିନ୍ନ ପ୍ରକାର ପକ୍ଷୀ ଓ ସରୀସୃପ ପାଣି ପିଇବା ସହ ସ୍ଥଳ ଭାବରେ ବୁଲା ଗୋରୁଗାଈ, ବୁଲା ଷଣ୍ଢ, ବୁଲା କୁୁକୁର, ଛେଳିମେଣ୍ଢା ଭଳି ପଶୁମାନେ ପାଣି ପିଇ ଥକ୍କା ମେଣ୍ଟାଇଥାନ୍ତି। ସେମାନେ ପାଣି ପିଇବା ଫଳରେ ମୋତେ ବହୁତ ଆନନ୍ଦ ଲାଗିଥାଏ। ଖରାଦିନେ ପ୍ରାୟ ୫୦୦ ଜାଗାରେ ପଶୁପକ୍ଷୀଙ୍କ ପାଇଁ ପାଣି ରଖିବାର ଯୋଜନା ଅଛି ଶ୍ରୀ ସାହୁ କୁହନ୍ତି। ସେ ଆହୁରି କହିଛନ୍ତି ଯେ, ଅନେକ ସମୟରେ ଗଛରେ ଚଢିଲା ବେଳେ ତଳେ ପଡ଼ିଯିବା ସହ ମାଟିପାତ୍ର ଭାଙ୍ଗି ଯାଇଥାଏ। ହେଲେ ଏହାକୁ ଖାତିର ନକରି ପୁନର୍ବାର ଗଛରେ ଚଢି ପାଣିର ବ୍ୟବସ୍ଥା କରିଥାନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି।