ସଡକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଅଭିଯାନ
କଟକ(ଓ୍ବାଇଏନଏସ): କଟକ ଜିଲ୍ଲାରେ ସଡକ ସୁରକ୍ଷାକୁ ଦୃଢ କରିବା ଓ ଯାତାୟାତ ନିୟମ ଉଲ୍ଲଙ୍ଘନକୁ ରୋକିବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିଶ୍ଵଜିତ ଦାଶଙ୍କ ନିର୍ଦ୍ଦେଶ ରେ ଆଜି ଏକ ବିଶେଷ ଅଭିଯାନ କରାଯାଇଛି। ମଙ୍ଗୁଳି, ଓମପି, ତ୍ରିଶୁଳିଆ , ବାଙ୍କୀ ରୋଡ, କନ୍ଦରପୁର, ନରାଜ ଓ କିଶନନଗର ଅଞ୍ଚଳରେ କଡାକଡି ଭାବେ ସମସ୍ତ ଯାଞ୍ଚ କରାଯାଇ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହି ଅଭିଯାନରେ ମୋଟ ୨୧୯ଟି ଚାଲାଣ ଆଦାୟ କରାଯାଇଛି। ଏଥିରେ ଦ୍ରୁତଗତିରେ ୮୪ ଟି, ହେଲମେଟ୍ ନ ପିନ୍ଧିବା ୩୭ ଟି, କର ଅଦାୟ ୫୮ ଟି, ନୋ ପାର୍କିଂ ୧୦ ଟି, ଟ୍ରିପଲ୍ ରାଇଡିଂ ୩ ଟି, ମୋବାଇଲ୍ ବ୍ୟବହାର କରି ଡ୍ରାଇଭିଂ ୩ଟି, ଓଭରଲୋଡ୍ ୨ ଟି, ଓଡିସି ୨ ଟି, ଭୁଲ ପଥରେ ଚାଳନା ୨ ଟି, ଜିଭିସିପି ୨ ଟି , ଏଫ୍ସି/ଆଇସି/ଆର୍ପି ସମ୍ବନ୍ଧୀୟ ୧୫ ଟି ଓ ମଦ୍ୟପାନ କରି ଡ୍ରାଇଭିଂ ରେ ଗୋଟିଏ ମାମଲା ଚିହ୍ନଟ ହୋଇଛି। ଏଥି ସହିତ, ସାଧାରଣ ଲୋକମାନଙ୍କ ମଧ୍ୟରେ ସଡକ ସୁରକ୍ଷା ସଚେତନତା ବୃଦ୍ଧି ପାଇଁ ହେଲମେଟ୍ ପିନ୍ଧିବା, ସିଟ୍ ବେଲ୍ଟ ବ୍ୟବହାର, ଡ୍ରାଇଭିଂ ସମୟରେ ମୋବାଇଲ୍ ବ୍ୟବହାର ନ କରିବା ଓ ଯାନରେ ରିଫ୍ଲେକ୍ଟିଭ୍ ଟେପ୍ ବ୍ୟବହାର ବିଷୟରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଆଜିର ଏହି ଅଭିଯାନରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦାଶଙ୍କ ସମେତ ମୋଟର ଭେଇକିଲ୍ ଇନ୍ସପେକ୍ଟର ରୂପାଲିନ୍ ବାହୁବଳେନ୍ଦ୍ର , ଟ୍ରାଫିକ ଇନ୍ସପେକ୍ଟର ରଞ୍ଜନ କୁମାର ଡୋରା, ସହକାରୀ ମୋଟର ଭେଇକିଲ୍ ଇନ୍ସପେକ୍ଟର ନିହାରିକା ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ମଧ୍ୟ ଏହିପରି ଅଭିଯାନକୁ ଆହୁରି ତୀବ୍ର କରାଯିବ ବୋଲି ଶ୍ରୀ ଦାଶ ସୂଚନା ଦେଇଛନ୍ତି


