ଗଜପତି ଜିଲ୍ଲା ଶିକ୍ଷାଧିକାରୀଙ୍କ ସ୍ୱତନ୍ତ୍ର ନିର୍ଦେଶନାମା: ପ୍ରଧାନଶିକ୍ଷକମାନେ ବିନାନୁମତିରେ ବାହାରକୁ ଯାଇପାରିବେନି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାରେ ଥିବା ସମସ୍ତ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନଶିକ୍ଷକମାନଙ୍କ ସକାଶେ ଜିଲ୍ଲା ଶିକ୍ଷାଧିକାରୀ ସ୍ୱତନ୍ତ୍ର ଭାବେ ଏକ ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥି ଅନୁଯାୟୀ ବିନାନୁମତିରେ ଶିକ୍ଷକମାନେ ସ୍କୁଲ ଛାଡି ବାହାରକୁ ଯାଇପାରିବେ ନାହିଁ ବୋଲି ଦର୍ଶା ଯାଇଛି. ଏଠାରେ ସୂଚନାଯୋଗ୍ୟଯେ, ଅନେକ ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ବିଦ୍ୟାଳୟ ଚାଲୁଥିବା ସମୟରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, ବ୍ୟାଙ୍କ୍ ପାସବୁକ୍ ଅପଡେଟ କରିବା, ମାସିକ ଦରମା ବିଲ ଦେବା ଓ ଛାତ୍ରଛାତ୍ରୀଙ୍କ ଡାଟା ଅପଲୋଡ କରିବା ଆଦି ଆଳ ଦେଖାଇ ନିଜ ନିଜ କାମରେ ବାହାରେ ବୁଲୁଛନ୍ତି । ଏଥିପାଇଁ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଏଣୁ, ପ୍ରଧାନଶିକ୍ଷକମାନଙ୍କୁ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଚେତାବନୀ ଦେବା ସହ ବିନାନୁମତିରେ ଗୋଷ୍ଠୀ ଶିକ୍ଷାଧିକାରୀ କିମ୍ବା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ନ ଆସିବାକୁ ଜିଲ୍ଲା ଶିକ୍ଷାଧିକାରୀ ମାୟାଧର ସାହୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନଶିକ୍ଷକମାନଙ୍କ ପ୍ରାଥମିକ ଦାୟିତ୍ଵ ହେଲା – ବିଦ୍ୟାଳୟରେ ପାଠ ପଢ଼ାଇବା, ଛାତ୍ରଛାତ୍ରୀଙ୍କ ଆବଶ୍ୟକତା କ’ଣ ରହିଛି ବୁଝିବା, ଶିକ୍ଷକମାନେ ପାଠ ପଢ଼ାଉଛନ୍ତି ନା ନାହିଁ ତଦାରଖ କରିବା ଏବଂ ବିଦ୍ୟାଳୟର ପରିବେଶକୁ ସୁଧାରିବା। ସରକାରୀ ନଥିପତ୍ର ହେଉ କି ଅନ୍ୟାନ୍ୟ ଯେକୌଣସି କାର୍ଯ୍ୟ, ସେଥିପାଇଁ କିରାଣିମାନଙ୍କୁ ନିଯୁକ୍ତି ଦିଆଯାଇଛି । କିରାଣି ନଥିବା ସ୍କୁଲର ପ୍ରଧାନଶିକ୍ଷକଙ୍କ ପାଇଁ ମଧ୍ୟ ଶିକ୍ଷାଦାନ ସମୟରେ ବାହାରକୁ ଯେକୌଣସି କାର୍ଯ୍ୟ ପାଇଁ ଯିବା ଜରୁରୀ ନୁହେଁ ବୋଲି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ସାହୁ ଜଣାଇଛନ୍ତି । ଗଜପତି ଜିଲ୍ଲା ଶିକ୍ଷାଧିକାରୀଙ୍କ ଏଭଳି ନିର୍ଦେଶନାମାକୁ ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରାଯାଇଥିବା ବେଳେ ବିଭିନ୍ନ ଆଳ ଦେଖାଇ ଠକି ବାହାରେ ବୁଲୁଥିବା କେତେକ ପ୍ରଧାନଶିକ୍ଷକଙ୍କ ଠାରେ ନୈରାଶ ପ୍ରକାଶ ପାଇଛି।


