ସ୍ୱତନ୍ତ୍ର ସଘନ ସଂଶୋଧନ ତାଲିମ୍‍ ଶିବିର

ଆସିକା(ୱାଇଏନ୍‍ଏସ୍‍) : ରାଜ୍ୟ ନିର୍ବାଚନ ଅଧିକାରୀ ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନର ପରାମର୍ଶକ୍ରମେ ମଙ୍ଗଳବାର ଆସିକା ପଞ୍ଚାୟତ ସମିତିର ସମ୍ମିଳନୀ କକ୍ଷରେ ୧୨୮ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍‍ସ୍ତରୀୟ ଅଧିକାରୀ ଏବଂ ବିଏଲ୍‍ଓ ସୁପରଭାଇଜର୍‍ମାନଙ୍କୁ ନେଇ ଦୁଇଟି ପର୍ଯ୍ୟାୟରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‍ଆଇଆର୍‍) ଚାଲିମ୍‍ ଶିବିର ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଏପ୍ରିଲ ମାସ ୧ ତାରିଖରୁ ଆରମ୍ଭ ହେବାକୁ ଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‍ଆଇଆର୍‍) ପ୍ରକ୍ରିୟା ଯେପରି ସ୍ୱଚ୍ଛତାର ସହ ସଂପନ୍ନ ହେବ ତାହାକୁ ଦୃଷ୍ଟିରେ ରଖି ଅନୁଷ୍ଠିତ ହୋଇଥିବା ଏହି ତାଲିମ୍‍ ଶିବିରରେ ଆସିକା ତହସିଲଦାର ସଙ୍ଗୀତା ସେଣ ଏବଂ ଆସିକା ବ୍ଳକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ବେହେରା ପ୍ରମୁଖ ଯୋଗଦେଇ ଭୋଟର ତାଲିକାରେ ସଂଶୋଧନ ପଦ୍ଧତି, ପୁରୁଣା ଭୋଟର ତାଲିକା ସହିତ ମତଦାତାଙ୍କ ମ୍ୟାପିଂ, ତଥ୍ୟ ସଂଗ୍ରହ, କ୍ଷେତ୍ର ସ୍ତରରେ କାର୍ଯ୍ୟାନ୍ୱୟନ ସଂପର୍କିତ ବିଷୟବସ୍ତୁ ଉପରେ ମାର୍ଗଦର୍ଶନ କରିିଥିଲେ । ଆସନ୍ତା ଏପ୍ରିଲ ୧ ତାରିଖରୁ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‍ଆଇଆର୍‍) ଆରମ୍ଭ ହେବାକୁ ଥିବା ବେଳେ ସଠିକ୍‍ ଭୋଟର ତାଲିକା ପ୍ରସ୍ତୁତ କ୍ଷେତ୍ରରେ ଏସ୍‍ଆଇଆର୍‍ ଗୋଟିଏ ସୋପାନ ହୋଇଥିଲା ବେଳେ ଗତ ୨୦୦୨ ମସିହାରେ ଏସ୍‍ଆଇଆର୍‍ ହୋଇଥିଲା ଏବଂ ବର୍ତ୍ତମାନ ଦୀର୍ଘ ୨୩ ବର୍ଷ ମଧ୍ୟରେ ଆଉ ଏସ୍‍ଆଇଆର୍‍ ହୋଇନାହିଁ । ଚଳିତ ଏସ୍‍ଆଇଆର୍‍ରେ ୨୦୦୨ ମସିହା ଭୋଟର ତାଲିକା ସହ ୨୦୨୫ ଭୋଟର ତାଲିକାକୁ ମେଳ (ମ୍ୟାପିଂ) କରାଯିବ । ଯେଉଁ ଭୋଟରଙ୍କ ବାପା, ଜେଜେ ବାପାଙ୍କ ନାମ ୨୦୦୨ ଭୋଟର ତାଲିକାରେ ଥିବ ସେମାନଙ୍କୁ କୌଣସି ପ୍ରମାଣ ପତ୍ର ଦେବାକୁ ପଡିବ ନାହିଁ । ଯେଉଁମାନଙ୍କ ବାପା, ଜେଜେ ବାପାଙ୍କ ନାମ ନଥିବ ସେମାନଙ୍କ କ୍ଷେତ୍ରରେ ନିୟମାନୁଯାୟୀ ପ୍ରମାଣପତ୍ର ମଗାଯିବ ବୋଲି ଜଣାପଡିଛି । ଏସ୍‍ଆଇଆର୍‍ କାମ ହେଲା ଭୋଟର ତାଲିକାରୁ ମୃତ ଭୋଟରଙ୍କ ନାମ କାଟିବା ଏବଂ ଯେଉଁ ଭୋଟର ଗୋଟିିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଚାଲିଯାଇଛନ୍ତି ସେମାନଙ୍କ ନାମକୁ ମଧ୍ୟ ଭୋଟର ତାଲିକାରୁ କାଟିବା । ଏସ୍‍ଆଇଆର୍‍ କାର୍ଯ୍ୟ ସରିବା ପରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ଜଣାପଡିଛି । ତେଣୁ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‍ଆଇଆର୍‍) କାର୍ଯ୍ୟକ୍ରମକୁ ସ୍ୱଚ୍ଛତାର ସହ କିପରି ସଂପାଦନ କରାଯିବ ତାହାରି ଉପରେ ଏହି ତାଲିମ୍‍ ଶିବିରରେ ଉପସ୍ଥିତ ବୁଥ୍‍ସ୍ତରୀୟ ଅଧିକାରୀ ଓ ବିଏଲ୍‍ଓ ସୁପରଭାଇଜର୍‍ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏହି ତାଲିମ୍‍ ଶିବିରରେ ବିଏଲ୍‍ଓ ସୁପରଭାଇଜର୍‍ ରାମନାଥ ପଟ୍ଟନାୟକ, ସତ୍ୟନାରାୟଣ ସେଠୀ, ସିମାଚଂଳ ସେଠୀ, ଧୋବା ବେହେରା, ବଂଶୀଧର ପରିଡା, ନିରଞ୍ଜନ ପରିଡା, ଜଗନ୍ନାଥ ଦାଶ, ଶୁଭେନ୍ଦୁ ଶେଖର ଜେନା, ମନୋରଂଜନ ପାଢୀ, କାଳୁଚରଣ ଲେଙ୍କାଙ୍କ ସମେତ ବହୁ ବୁଥ୍‍ସ୍ତରୀୟ ଅଧିକାରୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ