ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗରେ ସ୍ୱତନ୍ତ୍ର ବକ୍ତୃତା କାର୍ଯ୍ୟକ୍ରମ
ଖଲ୍ଲିକୋଟ(ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଏକ ସ୍ୱତନ୍ତ୍ର ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, କୁଳସଚିବ ଶ୍ରୀମତୀ ପାର୍ବତୀ ମଞ୍ଜରୀ ମହାଳିକ, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକଙ୍କ ପ୍ରେରଣା କ୍ରମେ ଆୟୋଜିତ ‘ ବିକଶିତ ଭାରତ – ୨୦୪୭ ଓ ଉତ୍କର୍ଷ ଓଡ଼ିଶା – ୨୦୩୬ ‘ ଶୀର୍ଷକ ଏହି ସ୍ୱତନ୍ତ୍ର ବକ୍ତୃତା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ମୁଖ୍ୟ ଅତିଥି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ବିକାଶ କମିଶନର, ଭାରତ ସରକାର, ଡ. ବାଳକୃଷ୍ଣ ପଣ୍ଡା l ନିଜ ବକ୍ତବ୍ୟରେ ସେ ବର୍ତ୍ତମାନ ବିକଶିତ ଭାରତ ତଥା ଉତ୍କର୍ଷ ଓଡ଼ିଶା ଗଠନରେ ଯୁବପିଢ଼ିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ l ବିଶେଷ ଭାବରେ ବନ୍ଦର, ରେଳ ପରିବହନ ତଥା ଶିକ୍ଷା କ୍ଷେତ୍ରରେ ଓଡ଼ିଶାର ଅଗ୍ରଗତି ସହ ଏକତା ଓ ଏକାଗ୍ରତା କିଭଳି ଭାବେ ଅସମ୍ଭବ କୁ ସମ୍ଭବ କରାଇଦିଏ, ଏହା ଉପରେ ଗୁରୁତ୍ୱ ଆରୋପ କରିଥିଲେ l ଏହି ସ୍ୱତନ୍ତ୍ର ବକ୍ତୃତା କାର୍ଯ୍ୟକ୍ରମର ପୌରୋହିତ୍ୟ କରିବା ସହ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ ବିଭାଗ ମୁଖ୍ୟ ଡ. ପ୍ରଣତି ରଥ l ପ୍ରଫେସର ଲକ୍ଷ୍ମୀକାନ୍ତ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଡ. ପ୍ରବୀଣ କୁମାର ନନ୍ଦ l କାର୍ଯ୍ୟକ୍ରମ ଅବସରରେ ବରିଷ୍ଠ ଅଧ୍ୟାପକ ଡ. ସମ୍ବିତ ରଞ୍ଜନ ମିଶ୍ର ମଞ୍ଚାସୀନ ଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଡ. ନୀଳିମା ପ୍ରିୟଦର୍ଶିନୀ ସ୍ୱାଇଁ, ଡ. ଜୟଶ୍ରୀ ସ୍ୱାଇଁ ପ୍ରମୁଖ ଅଧ୍ୟାପିକା ସହଯୋଗ କରିଥିଲେ l ଏଭଳି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ l


