’ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନା ନେଇ ସ୍ୱତନ୍ତ୍ର ବୈଠକ

ବୁଗୁଡ଼ା (ଅନୀଲ କୁମାର ମହାରଣା) : “ବିକଶିତ ଗାଁ ବିକଶିତ ଓଡ଼ିଶା” ଯୋଜନା କିପରି ସୁଚାରୁ ଭାବେ କାର୍ଯ୍ୟକାରୀ ହୋଇ ପାରିବ ସେଥିପାଇଁ ମଇ ୨୩ ତାରିଖ ଦିନ ବୁଗୁଡ଼ା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଏକ ସ୍ବତନ୍ତ୍ର ସମିତି ବୈଠକ ବୁଗୁଡ଼ା ବ୍ଳକ ଅଧ୍ୟକ୍ଷା କେ ପ୍ରିୟଦର୍ଶିନୀ ଆଚାରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି। ଏହି ସ୍ୱତନ୍ତ୍ର ବୈଠକରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ  ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ଯୋଗ ଦେଇ ଏହି ଯୋଜନା ବିଷୟ ନେଇ ଆଲୋଚନା କରିଥିଲେ। ଆମର ଗାଁ ଗୁଡିକ ହେଉଛି ଦେଶ ଓ ରାଜ୍ୟର ଆତ୍ମା । ଆମ ଜନସଂଖ୍ୟାର ଏକ ବଡ ଅଂଶ ଗାଁରେ ହିଁ ବସବାସ କରନ୍ତି । ଗାଁର ବିକାଶରେ ହିଁ ରାଜ୍ୟ ଓ ଦେଶର ବିକାଶ ସମ୍ଭବ। ସେଥିପାଇଁ, ରାଜ୍ୟ ସରକାର “ବିକଶିତ ଗାଁ ବିକଶିତ ଓଡିଶା” ର ପରିକଳ୍ପନା କରିଛନ୍ତି । ଗାଁର ଭିତ୍ତିଭୂମି ବିକାଶ ପାଇଁ ବର୍ଷକୁ ଏକ ହଜାର କୋଟି ଟଙ୍କା ଲେଖାଏ, ପାଞ୍ଚ ବର୍ଷରେ ପାଞ୍ଚ ହଜାର କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ମନ୍ତ୍ରୀ ଓ ସାଂସଦ ପ୍ରକାଶ କରିଥିଲେ। ବିଡ଼ିଓ ଧର୍ମରାଜ ପରିଡ଼ା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଉପାଧ୍ୟକ୍ଷ ମାନସ ରଂଜନ ପ୍ରଧାନ, ଗୋଷ୍ଠୀ ଅର୍ଥ ଅଧିକାରୀ ପରାଶର ଦାସ, ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେନ୍ଦ୍ର ନାଥ ନାୟକ, ପଞ୍ଚାୟତ ଉନ୍ନୟନ ଅଧିକାରୀ ଲଛମନ୍ କହଁର, ଜିଲ୍ଲା ପରିଷଦ ମେମ୍ବର ଗଙ୍ଗାପାଣି ଜେନା ଓ ଚାନ୍ଦିନୀ ନାୟକ ମଞ୍ଚାସିନ ରହି ନିଜସ୍ବ ମତ ରଖିଥିଲେ। ବ୍ଳକର ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କ ପାଇଁ ସଠିକ ପାନୀୟ ଜଳ ଓ ଶୌଚାଳୟର ବ୍ଯବସ୍ଥା ନଥିବା,୨୦୨୪/୨୫ ଆର୍ଥିକ ବର୍ଷରେ ପଞ୍ଚାୟତ ପକ୍ଷରୁ ଦିଆଯାଇଥିବା କାର୍ଯ୍ଯ ତାଲିକା ଅନୁସାରେ ନଆସିବା, ଲୋକଙ୍କୁ ଦିଆଯାଇଥିବା ମାସିକ ଭତ୍ତା ସଠିକ୍ ସମୟରେ ମିଳୁନଥିବା ସହିତ ପଞ୍ଚାୟତ ସମିତି କାର୍ଯ୍ଯ ଗୁଡିକ ସମିତି ମେମ୍ବରମାନଙ୍କ ଅଜାଣତରେ ହେଉଥିବା ଭଳି ଅଭିଯୋଗ ପଞ୍ଚାୟତ ପ୍ରତିନିଧିମାନଙ୍କ ଠାରୁ ପ୍ରକାଶ ପାଇଥିଲା।ଏହାର ତୁରନ୍ତ ସମାଧାନ କରିବା ପାଇଁ ମନ୍ତ୍ରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ବ୍ଳକର ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ମେମ୍ବର ବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ