ଚନ୍ଦ୍ରଗ୍ରହଣ ପାଇଁ ଆଖଣ୍ଡଳମଣିଙ୍କ ମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି
ଆରଡି,( ଆଲୋକ ଚନ୍ଦ୍ର ନାୟକ ) : ରବିବାର ରାହୁଗ୍ରସ୍ତ ଚନ୍ଦ୍ରଗ୍ରହଣ ଯୋଗୁ ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଅନୁଷ୍ଠିତ ହେବ ସ୍ଵତନ୍ତ୍ର ନୀତିକାନ୍ତି। ଭୋର ୪ଟାରେ ଦ୍ଵାରଫିଟା ନୀତି ସହ ମଙ୍ଗଳ ଆଳତି ମହାସ୍ନାନ, ଘର୍ଷଣ ଲାଗି ସରିବା ପରେ ବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲି ଵାଲ୍ଯଭୋଗ ଲାଗି କରାଯିବ। ପରେ ସଅଳ ନୀତି ନିମନ୍ତେ ସକାଳ ୫ଟାରୁ ମଧ୍ୟାହ୍ନ ୧୨ଟା ୩୦ ଯାଏଁ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ସାହାଣମେଲା କରାଯିବ। ଏହି ସମୟ ମଧ୍ୟରେ ପହଡଖିଆ ଅନ୍ନ ନୀତି ସହ ବଡନୀତି, ଅବକାଶ, ବଡ଼ସିଂହାର ବେଶ, ସଂଧ୍ୟାପୂଜା ଓ ବାଟୁଳା ଦହି ପଖାଳ ଭୋଗ ଲାଗି ସମ୍ପନ୍ନ କରାଯାଇ। ମଧ୍ୟାହ୍ନ ୧ଟାରେ ପହୁଡ଼ କରାଯିବ। ଏହି ସମୟ ଅର୍ଥାତ୍ ପାକତ୍ୟାଗ ଠାରୁ ଗ୍ରହଣ ସର୍ବମୋକ୍ଷ ଯାଏଁ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ପରଦିନ ଅର୍ଥାତ ସୋମବାର ଭୋର ୫ଟାରେ ପହୁଡ଼ ଖୋଲାଯାଇ ଦୈନନ୍ଦିନ ନୀତି ସହ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ହେବ ବୋଲି ଉଭୟ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ କୁହାଯାଇଛି।