ଟ୍ରାକ୍ଟରକୁ ଧକ୍କା ଦେଇ ଦ୍ରୁତଗାମୀ ଟ୍ରକ ଫେରାର : ଦୁର୍ଘଟଣାରେ ୨ ମୃତ, ୩ ଗୁରୁତର

ବେତନଟୀ ( ଉଦିତ କୁମାର ପରିଡା ) :  ମୟୂରଭଞ୍ଜ ଜିଲ୍ଲା ୧୮ନଂ ଜାତୀୟ ରାଜପଥ ବେତନଟୀ ଛୁରୁଣି ହନୁମାନ ମନ୍ଦିର ନିକଟ ବଡପୋଲ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଉଛନ୍ତି ଉତ୍ତରପ୍ରଦେଶ ମିରଟ ଅଞ୍ଚଳର ବିଜେନ୍ଦ୍ର ଭାରତୀଙ୍କ ପୁଅ ଅତୁଲ ଭାରତୀ ଏବଂ ହରିୟାଣାର କର୍ଣ୍ଣାଲ ଜିଲ୍ଲା ଅନ୍ତର୍ଗତ ପଡା ଗାଁର ଜଗଦେବ ଦୋଡ଼ଙ୍କ ପୁଅ ସୁନ୍ଦର ଦୋଡ଼ । ଘଟଣା ଅନୁଯାୟୀ ହରିୟାଣାର କର୍ଣ୍ଣାଲ ଜିଲ୍ଲା ଅଧୀନ ରାମଜୋର କଟାବାଗ ସେକ୍ଟର ୩୨ ଥାନା ଅଞ୍ଚଳର ଚନ୍ଦ୍ରହାସଙ୍କ ପୁଅ ପ୍ରଦୀପ ରଞ୍ଜନ ଏବଂ ହେରିଟେଜ ଅଞ୍ଚଳର ବଲୱାନ କଲ୍ୟାଣଙ୍କ ପୁଅ ବିକାଶ କଲ୍ୟାଣ, ଇନ୍ଦିରା କଲୋନୀ ଜୁନ୍ଦାଲ ଗେଟ ସଦରଥାନା ଅଞ୍ଚଳର ସୁରେନ୍ଦ୍ର ଭଟନାଗରଙ୍କ ପୁଅ କରନ ଭଟନାଗରଙ୍କ ସମେତ ସୁନ୍ଦର ଦୋଡ଼ ଏବଂ ଅତୁଲ ଭାରତୀ ସଭିଁଏ ବାରିପଦାରୁ ଏକ ଛୋଟ ଟ୍ରାକ୍ଟର ନେଇ ବାଲେଶ୍ୱର ଫେରୁଥିଲେ। ବୁଧବାର ଭୋର ୫ଟା ପାଖାପାଖି ସମୟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ଉକ୍ତ ଟ୍ରାକ୍ଟରକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟ୍ରାକ୍ଟର୍‌ଟି ତିନି ଖଣ୍ଡ  ହୋଇ ଯାଇଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ବେତନଟୀ ମେଡିକାଲ ପରେ ବାରିପଦା ପିଆରଏମ ଡାକ୍ତରଖାନା କୁ ପଠାଇ  ଦିଆଯାଇଛି। ଦୁର୍ଘଟଣାପରେ ଟ୍ରକ୍‌ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ବୋଲି ପ୍ରାପ୍ତ ସୂଚନା ରୁ ପ୍ରକାଶ। ପ୍ରଥମେ ଖବର ପାଇ ବେତନଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେ। ପୁଲିସ ଖଣ୍ଡ ଖଣ୍ଡ ହୋଇଥିବା ଟ୍ରାକ୍ଟରକୁ ଜବତ କରିବା ସହିତ ଦୁର୍ଘଟଣା ଘଟାଇ ଚମ୍ପଟ ମାରିଥିବା ଟ୍ରକ୍‌କୁ ଧରିବାକୁ ଉଦ୍ୟମ ଜାରି ରଖିଛି  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ