ଶ୍ରୀବଳଦେବଜୀଉଙ୍କ ରଥଦାଣ୍ଡରେ ଶ୍ରୀଜଗନ୍ନାଥଙ୍କ ୩୬ବେଶ କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ରଥଦାଣ୍ଡରେ ଗରାପୁର ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବ୍ରହ୍ମପୁରସ୍ଥିତ ଶ୍ରୀଜଗନ୍ନାଥ ଦିବ୍ୟାଙ୍ଗ ଅନୁଷ୍ଠାନ ଦ୍ୱାରା ଗତ ୧୯ତାରିଖ ଠାରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ୩୬ବେଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଜି ଏହି କାର୍ଯ୍ୟକ୍ରମର ତୃତୀୟ ସନ୍ଧ୍ୟାରେ ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ତୁଳସୀ ମହିଳା ମହାବିଦ୍ୟାଳୟ ଅଧ୍ୟାପିକା ବିଜୟଲକ୍ଷ୍ମୀ ସାମଲ, ଧର୍ମଜାଗରଣ ଜିଲ୍ଲା ସହସଂଯୋଜକ ଶଶାଙ୍କ କୁମାର ଜେନା ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗମାନଙ୍କ ଏଭଳି କାର୍ଯ୍ୟକ୍ରମ ସମାଜ ପାଇଁ ପ୍ରେରଣାଦାୟକ ବୋଲି ମତବ୍ୟକ୍ତ କରିଥିଲେ। ପ୍ରତ୍ୟେକ ଦିବ୍ୟାଙ୍ଗ ବ୍ୟକ୍ତି ନିଜର ମନବଳକୁ ସୁଦୃଢ କରି ସମାଜ ତଥା ରାଷ୍ଟ୍ରର କଲ୍ୟାଣ ନିମିତ୍ତ ବିଭିନ୍ନ ପରିକଳ୍ପନାକୁ ରୂପାୟିତ କରି ଉଦାହରଣ ସୃଷ୍ଟି କରିପାରିଲେ ସମାଜ ତଥା ରାଷ୍ଟ୍ରର ପୁନଃ ଉଥାନ ସମ୍ଭବ ହୋଇପାରିବ ବୋଲି ଅତିଥିମାନେ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାଧବ ପ୍ରଧାନ, ଏଚଡିଏଫସି ବ୍ୟାଙ୍କ ପରିଚାଳକ କ୍ଷେତ୍ରବାସୀ ସାହୁ, ଦେବାଶିଷ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ବ୍ରହ୍ମଚାରୀ ନୃସିଂହ ନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।


