ଶ୍ରୀ ଶ୍ରୀ ବଳଦେବଜୀଉ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝରପୁରୁଣାସହରସ୍ଥିତହାଟପଡିଆଠାରେ ଅଙ୍କୁଶ କ୍ଲବ ତରଫରୁ ରଙ୍ଗାରଙ୍ଗ ପରିବେଶ ଓ ଆତସବାଜିରେ ଚତୁର୍ଦଶ ଶ୍ରୀ ଶ୍ରୀ ବଳଦେବଜୀଉ ରାତ୍ରକାଳୀନ କ୍ରିକେଟ ଟୁର୍ଣ୍ଣାମେଂଟ ଗୁରୁବାର ସଂଧ୍ୟାରେ ଉଦଘାଟିତ ହୋଇଯାଇଛି । ୧୬ଟି ଦଳ ଅଂଶଗ୍ରହଣ କରିଥିବା ଏହି ଟୁର୍ଣ୍ଣାମେଂଟକୁ କେନ୍ଦୁଝରଗଡ ପୌରପାଳିକାର ଅଧ୍ୟକ୍ଷା ନିକୁ ସାହୁ,କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚଡି ଧନରାଜ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଖେଳାଳୀମାନଙ୍କ ସହ ପରିଚିତ ହେବା ପରେ ଅତିଥିମାନେ ଏକ ସଂକ୍ଷିପ୍ତ ସଭାରେ ଉଦବୋଧନ ଦେଇଥିଲେ । ଅନୁଷ୍ଠାନର ସଭାପତି ସଚ୍ଚିଦାନନ୍ଦ ଦାଶଙ୍କ ସଭାପତିତ୍ୱରେ ଏହି ସଭାରେ ମୁଖ୍ୟଅତିଥି କେନ୍ଦୁଝରଗଡ ପୌରପାଳିକାର ଅଧ୍ୟକ୍ଷାଙ୍କ ସହ ବନଖଣ୍ଡ ଅଧିକାରୀ ଏଚଡି ଧନରାଜ,ଇଂ ଦେବବ୍ରତ ସ୍ୱାଇଁ,କାଉନସିଲର ନିହାର ରଞ୍ଜନ ଦାସ,ମିତା ମହାନ୍ତି, କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘର ପୂର୍ବତନ ସାଧାରଣ ସମ୍ପାଦକ ସୂର୍ଯ୍ୟନାରାୟଣ କର ଯୋଗ ଦେଇ ଏପରି ଭବ୍ୟ ଆୟୋଜନର ପ୍ରଂଶସା କରିଥିଲେ । ପ୍ରାରମ୍ଭରେ କାଶ୍ମୀରର ପହଲଗାମରେ ନିହତ ହୋଇଥବବା ଭାରତୀୟ ପର୍ଯ୍ୟଟକ ଓ ଉଦୀୟମାନ ଯୁବ ସଂଗଠକ ରମାରଞ୍ଜନ ମିଶ୍ର(ଦିପୁନା)ଙ୍କ ଉଦ୍ଦେଶ୍ୟରେ ଗୋଟିଏ ମିନିଟ ଲେଖାଏଁ ନୀରବ ପ୍ରାର୍ଥନା ହୋଇଥିବାବେଳେ ଜାତୀୟ ସଙ୍ଗୀତ ପରିବେଷିତ ହୋଇଥିଲା । ଏହାପରେ ମା ତାରିଣୀଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ଉଦଘାଟନୀ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଦସ୍ୟ ଦେବାଶିଷ ମିଶ୍ର ପରିଚାଳନା କରିଥିଲେ । ଉଜ୍ୱଳ ଆଲୋକ ସହ ପଡିଆର ସୀମାରେ ଆକର୍ଷଣୀୟ ଲାଇଟ କ୍ରୀଡାପ୍ରେମୀଙ୍କୁ ଆକୃଷ୍ଟ କରିବା ସହ ମ୍ୟାଚଗୁଡିକ ବେଶ ଆକର୍ଷଣୀୟ ଓ ରୋମାଂଚକର ହୋଇଛି । ଅଙ୍କୁଶ କ୍ଲବ ତରଫରୁ ପ୍ରାୟ ୧୦୦ଜଣ ସଦସ୍ୟ ଏହି ମ୍ୟାଚକୁ ପରିଚାଳନା କରୁଥିବାବେଳେ ସଂଧ୍ୟା ସମୟରେ ଉଜ୍ୱଳ ଆଲୋକରେ ଏହି ମ୍ୟାଚଗୁଡିକୁ ଉପଭୋଗ କରିବା ପାଇଁ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ଚମ୍ପିଆନ ଦଳକୁ ଟ୍ରଫି ସହ ପୁରସ୍କାର ରାଶି ଓ ରନର୍ସ ଅପକୁ ଟ୍ରଫି ସହ ପୁରସ୍କାର ରାଶି ଏବଂ ବିଭିନ୍ନ କୃତି ଖେଳାଳୀଙ୍କୁ ଫାଇନାଲ ମ୍ୟାଚ ପରେ ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାପଡିଛି ।