ଶ୍ରୀନିବାସ ଯାଦବଙ୍କ ହତ୍ୟା ମାମଲା : ଅଭିଯୁକ୍ତଙ୍କ ଦଣ୍ଡାଦେଶ ବିରୋଧରେ ହୋଇଥିବା ଆବେଦନକୁ ଖାରଜ କଲେ ହାଇକୋର୍ଟ

କଟକ,(ଓ୍ବାଇଏନଏସ): ୩୩ ବର୍ଷ ତଳର ଏକ ହତ୍ୟା ମାମଲାର ଶୁଣାଣି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଅଭିଯୁକ୍ତଙ୍କ ଆଜୀବନ କାରାଦଣ୍ଡାଦେଶକୁ ବଳବତ୍ତର ରଖିଛନ୍ତି। ଝାରସୁଗୁଡ଼ାର ଶ୍ରୀନିବାସ ଯାଦବଙ୍କୁ ଗୁଳି କରି ହତ୍ୟା କରିବା ଅଭିଯୋଗରେ ନିମ୍ନ ଅଦାଲତ ଶୁଣାଇଥିବା ଦଣ୍ଡାଦେଶ ବିରୋଧରେ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହି ମାମଲାରେ ଅଭିଯୁକ୍ତ ରାମବାବୁ ସାହୁ ଏବଂ ଭୂଷଣ ସାହୁ (ମୃତ) ସମ୍ପୃକ୍ତ ଥିଲେ। ୧୯୯୨ ଅଗଷ୍ଟ ୬ ତାରିଖ ରାତି ପ୍ରାୟ ୯ଟା ସମୟରେ ଝାରସୁଗୁଡ଼ା ଷ୍ଟେସନ ସ୍କୋୟାର ନିକଟରେ ଏହି ଅଭାବନୀୟ କାଣ୍ଡ ଘଟିଥିଲା। ସୂଚନାଦାତା ସିଂହାସନ ଯାଦବ କ୍ଷୀର ଦେଇ ଫେରୁଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଓ ଶ୍ରୀନିବାସଙ୍କୁ ଆକ୍ରମଣ କରିଥିଲେ। ଅଭିଯୁକ୍ତ ରାମବାବୁ ସାହୁଙ୍କ ନିର୍ଦ୍ଦେଶରେ ଭୂଷଣ ସାହୁ ଓ ଅନ୍ୟମାନେ ସିଂହାସନଙ୍କୁ ଭୁଜାଲିରେ ଆକ୍ରମଣ କରିବା ସହ ଶ୍ରୀନିବାସଙ୍କୁ ଗୁଳି କରିଥିଲେ। ପରବର୍ତ୍ତୀ ସମୟରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀନିବାସଙ୍କ ମୃତ୍ୟୁ ଘଟିଥିଲା। ବିଚାରପତି ମାନସ ରଞ୍ଜନ ପାଠକ ଏବଂ ବିଚାରପତି ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ପ୍ରତିପକ୍ଷ ଓକିଲଙ୍କ ଯୁକ୍ତିକୁ ଖଣ୍ଡନ କରି କୋର୍ଟ କହିଛନ୍ତି। ସାକ୍ଷୀମାନଙ୍କ ବୟାନରେ ସାମାନ୍ୟ ଅମେଳ ଥିଲେ ମଧ୍ୟ ତାହା ଘଟଣାର ୫ ବର୍ଷ ପରେ ରେକର୍ଡ ହୋଇଥିବାରୁ ଗ୍ରହଣୀୟ। ମୃତ ଶ୍ରୀନିବାସଙ୍କ ଦ୍ୱାରା ପ୍ରଦତ୍ତ ଦୁଇଟି ଯାକ ମୃତ୍ୟୁକାଳୀନ ଜବାବ (Dying Declaration) ସଠିକ ଓ ଏଥିରେ ଅଭିଯୁକ୍ତଙ୍କ ନାମ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ବାଲିଷ୍ଟିକ ରିପୋର୍ଟ ସହ ପ୍ରାସଙ୍ଗିକତା ନଥିବା କଥାକୁ କୋର୍ଟ ତଦନ୍ତରେ ଏକ ତ୍ରୁଟି ବୋଲି ଦର୍ଶାଇଛନ୍ତି, କିନ୍ତୁ ଏହା ପ୍ରତ୍ୟକ୍ଷଦର୍ଶୀଙ୍କ ପ୍ରମାଣକୁ କାଟି ପାରିବ ନାହିଁ। ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଅଭିଯୁକ୍ତମାନେ ଜାମିନରେ ଥିଲେ ମଧ୍ୟ ସେମାନଙ୍କ ଜାମିନ ବଣ୍ଡ୍ ରଦ୍ଦ କରାଯାଇଛି। ସେମାନଙ୍କୁ ତୁରନ୍ତ ଗିରଫ କରି ବାକି ଥିବା ସଜା କାଟିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ