ମହେନ୍ଦ୍ରଗିରିରେ ୯ ଫୁଟ୍ର ପର୍ଶୁରାମଙ୍କ ବିଗ୍ରହ ପ୍ରତିଷ୍ଠା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲାରେ ରହିଥିବା ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ତଥା ପର୍ଶୁରାମ ଧାମ ନାମରେ ପରିଚିତ ମହେନ୍ଦ୍ରଗିରିରେ ପର୍ଶୁରାମ ଜୟନ୍ତୀ ଅତ୍ୟନ୍ତ ଭକ୍ତିପୂତ ଭାବେ ପାଳିତ ହୋଇଯାଇଛି। ଏହି ଅବସରରେ ମହେନ୍ଦ୍ର ଆଶ୍ରମ ନିକଟରେ ୯ ଫୁଟ ଉଚ୍ଚର ପର୍ଶୁରାମଙ୍କ ବିଗ୍ରହ ପ୍ରତିଷ୍ଠା କରାଯାଇଛି। ତ୍ରେତେୟା ଯୁଗରେ ଭଗବାନ ପର୍ଶୁରାମ ସେଠାରେ ତପସ୍ୟା କରିଥିବା କିମ୍ବଦନ୍ତୀ କହୁଛି। ଯୁଗ ଯୁଗରେ ପର୍ଶୁରାମଙ୍କ ଜୟନ୍ତୀ ମହେନ୍ଦ୍ରଗିରିରେ ଋଷି, ମୁନି ତପସ୍ବୀ, ମହାପୁରୁଷ ଓ ଅବତାରି ପୁରୁଷମାନେ ଅକ୍ଷୟ ତୃତୀୟା ପାଳନ କରି ଆସୁଛନ୍ତି । ଦୀର୍ଘ ୩୭ ବର୍ଷ ହେବ ମହେନ୍ଦ୍ରଗିରିରେ ମହେନ୍ଦ୍ର ଆଶ୍ରମ ପକ୍ଷରୁ ପର୍ଶୁରାମ ଜୟନ୍ତୀ ପାଳନ ହୋଇଆସୁଛି। ଉକ୍ତ କାର୍ଯ୍ୟକ୍ରମ ତିନିଦିନ ଧରି ଅନୁଷ୍ଠିତ ହୋଇଥିଲା। ମହେନ୍ଦ୍ର ଆଶ୍ରମର ପ୍ରତିଷ୍ଠାତା ପୂଜ୍ୟ ସ୍ଵାମୀ ଭାସ୍କର ତୀର୍ଥ (ଲକ୍ଷ୍ମୀ ବାବା) କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ସ୍ବାମୀ ବଂଶ ବାବା, ବମ୍ବେରୁ ଆସିଥିବା ସ୍ବାମୀ ଲୋକେଶ୍ୱରା ନନ୍ଦ ତୀର୍ଥ, ପୁରୀରୁ ସ୍ବାମୀ କୈବଲ୍ୟନନ୍ଦ ତୀର୍ଥ, ବ୍ରହ୍ମପୁରରୁ ସ୍ବାମୀ ଅଙ୍ଖଳା ନନ୍ଦ ତୀର୍ଥଙ୍କ ସମେତ ବହୁ ସାଧୁସନ୍ଥ ଏଥିରେ ଯୋଗ ଦେଇଥିଲେ.


