ଡ୍ରପ୍‍ ଆଉଟ୍‍ ରୋକିବ ରାଜ୍ୟ ମୁକ୍ତ ବିଦ୍ୟାଳୟର ପାଠ୍ୟକ୍ରମ

ଆସିକା (ୱାଇଏନ୍‍ଏସ୍‍) : ଅଧାରୁ ପାଠ ଛାଡିଥିବା ଓ ବିଦ୍ୟାଳୟରେ ଆଦୌ ନାମ ଲେଖାଇନଥିବା ଏବଂ ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ୍‍ କରିବା ଏବଂ ସେମାନଙ୍କୁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ପ୍ରଦାନ କରିବାରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନର ପାଠ୍ୟକ୍ରମ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିବା ଦେଖିବାକୁ ମିଳୁଛି । ରାଜ୍ୟରେ ଶିକ୍ଷାହାର ବୃଦ୍ଧି କରିବା ନେଇ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଥିଲା ବେଳେ ଏହି ଶିକ୍ଷା କଲ୍ୟାଣକାରୀ କାର୍ଯ୍ୟକ୍ରମର ଅଧିକରୁ ଅଧିକ ପ୍ରଚାର ଓ ପ୍ରସାର କରି ସଫଳ ରୂପାୟନ ପାଇଁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍‍ରାଣୀ ମହାନ୍ତିଙ୍କ ମାର୍ଗଦର୍ଶନରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ଏବଂ ଭଂଜ ବେହେରା ଓ ପିଏମ୍‍ଶ୍ରୀ ହରିହର ଉଚ୍ଚ ବିଦ୍ୟାଳୟରେ ଖୋଲିଥିବା ରାଜ୍ୟ ମୁକ୍ତ ବିଦ୍ୟାଳୟ ପାଠ୍ୟକ୍ରମର ସଂଯୋଜକ ତଥା ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ରମାକାନ୍ତ ମହାନ୍ତିଙ୍କ ସମେତ ଶିକ୍ଷାବିଭାଗର ପଦାଧିକାରୀମାନେ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି । ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନରେ ଦଶମ ଶ୍ରେଣୀରେ ନାମ ଲେଖାଇବା ପାଇଁ ସର୍ବନିମ୍ନ ଯୋଗ୍ୟତା ଚତୁର୍ଥ ପାସ୍‍ ରହିଥିଲା ବେଳେ ୧୪ ରୁ ୧୮ ବର୍ଷ ବୟସର ପିଲାଙ୍କୁ ମାଗଣାରେ ନାମ ଲେଖାଯାଉଥିବା ଶିକ୍ଷାବିଭାଗ ସୂତ୍ରରୁ ପ୍ରକାଶ । ଆସିକା ଶିକ୍ଷାବିଭାଗ ପକ୍ଷରୁ ପିଏମ୍‍ଶ୍ରୀ ହରିହର ହାଇସ୍କୁଲ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନରେ ଗତ ୨୦୨୫ ଦ୍ୱିତୀୟ ପର୍ଯ୍ୟାୟର ନାମଲେଖା ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହୋଇ ଗତ ଫେବୃୟାରୀ ମାସ ୨୮ ତାରିଖରେ ଶେଷ ହୋଇଥିଲା ବେଳେ ସମୂଦାୟ ୧୮୦ ଜଣ ବିଦ୍ୟାର୍ଥୀ ନାମ ଲେଖାଇଥିବା ଜଣାପଡିଛି । ଗତ ମାର୍ଚ୍ଚ ମାସ ପହିଲାରୁ ୨୦୨୬ ପ୍ରଥମ ପର୍ଯ୍ୟାୟ ନାମ ଲେଖା ଆରମ୍ଭ ହୋଇସାରିଥିଲା ବେଳେ ଏହା ଆସନ୍ତା ଅଗଷ୍ଟ ମାସ ୩୧ ତାରିଖରେ ସରିବାର କାର୍ଯ୍ୟକ୍ରମ ରହିଛି । ଆସିକା ପିଏମ୍‍ଶ୍ରୀ ହରିହର ହାଇସ୍କୁଲ ଉଚ୍ଚ ବିଦ୍ୟାଳୟରେ ୨୦୨୫ ଦ୍ୱିତୀୟ ପର୍ଯ୍ୟାୟରେ ନାମ ଲେଖାଇଥିବା ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ୧୮୨ ଆଗ୍ରହୀ ବିଦ୍ୟାର୍ଥୀଙ୍କୁ ଶିକ୍ଷାବିଭାଗ ପକ୍ଷରୁ ମାଗଣା ପୁସ୍ତିକା ଯୋଗାଇ ଦିଆଯାଇଥିବା ଜଣାପଡିଛି । ଶିକ୍ଷାର ମୂଖ୍ୟସ୍ରୋତରେ ଡ୍ରପ୍‍ଆଉଟ୍‍ ଛାତ୍ରଛାତ୍ରୀଙ୍କୁ ସାମିଲ୍‍ କରିବା ଏବଂ ସେମାନଙ୍କୁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଯୋଗାଇଦେବା କ୍ଷେତ୍ରରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିବା ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ପାରିବାରିକ ସମସ୍ୟା, ଆର୍ଥିକ ଅନଗ୍ରସର, କର୍ମନିଯୁକ୍ତି ସନ୍ଧାନରେ ଅଧାରୁ ପାଠ ଛାଡିଥିବା ପିଲାଙ୍କୁ ପୁଣି ବିଦ୍ୟାଳୟକୁ ଫେରାଇ ଆଣିବା ଲକ୍ଷ୍ୟରେ ଗତ ୨୦୧୬ ମସିହାରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ ଯୋଜନା ଆରମ୍ଭ କରାଯାଇଥିଲା । ଆସିକା ପିଏମ୍‍ଶ୍ରୀ ହରିହର ହାଇସ୍କୁଲ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନରେ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷାବିଭାଗ ପକ୍ଷରୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଣ ସହ ସ୍ୱତନ୍ତ୍ର ପାଠ୍ୟକ୍ରମରେ ଶିକ୍ଷାଦାନ ଦିଆଯାଉଥିବା ଜଣାପଡିଛି । ଯାହାଦ୍ୱାରାକି ଅନେକ ଡ୍ରପ୍‍ଆଉଟ୍‍ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ଅଧିକ ଆଗ୍ରହ ପ୍ରକାଶ କରୁଥିବା ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ପ୍ରତ୍ୟେକ ଶିକ୍ଷାବର୍ଷରେ ଦୁଇଟି ପର୍ଯ୍ୟାୟରେ ନାମ ଲେଖାଯାଉଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ