ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ହୋଇଛି ସମାପନ

କଟକ, (ଓ୍ବାଇଏନଏସ): ମହିଳା ସଂକ୍ରାନ୍ତିୟ ଅପରାଧ ନିୟନ୍ତ୍ରଣ ପାଇଁ ରାଜ୍ଯରେ ଖୁବଶୀଘ୍ର ସ୍ଥାପନ ହେବ ଫାଷ୍ଟଟ୍ରାକ ମହିଳା କୋର୍ଟ । ଯେଉଁଠାରେ ପୀଡିତା ବିନା କୌଣସି ଭୟରେ ନିଜ ସହ ଘଟିଥିବା ଅପରାଧ ବିଷୟରେ ଖୋଲାଖୋଲି କହିପାରିବେ । ଏନେଇ ହାଇକୋର୍ଟଙ୍କ ସହ ଆଲୋଚନା ଚାଲିଥିବା କହିଛନ୍ତି ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । କଟକରେ ଚାଲିଥିବା ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ସମାପନ ଉତ୍ସବରେ ସାମିଲ ହୋଇ ଏପରି କହିଛନ୍ତି ଆଇନ ମନ୍ତ୍ରୀ । ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି, ” ଯେଉଁଭଳି ଭାବେ ବିଭିନ୍ନ ସମୟରେ ମହିଳମାନଙ୍କ ଉପରେ ଆକ୍ରମଣ ଜନିତ ଅପରାଧ ହେଉଛି, ସେଗୁଡିକୁ ଆହୁରି କଠୋରତାର ସହ ହ୍ୟାଣ୍ଡେଲ କରିବାକୁ ହାଇକୋର୍ଟଙ୍କୁ ସରକାରଙ୍କ ତରଫରୁ ଅନୁରୋଧ କରିଛୁ । ସେନେଇ ଆମେ ଖୁବଶୀଘ୍ର ନିଷ୍ପତ୍ତି ନେବାକୁ ଯାଉଛୁ । ଓଡ଼ିଶାରେ ପ୍ରଥମ ଥର ପାଇଁ 6ଟି ବିଭିନ୍ନ ଅଞ୍ଚଳରେ ପରିକ୍ଷାମୂଳକ ଭାବରେ ଫାଷ୍ଟଟ୍ରାକ ମହିଳା କୋର୍ଟ ହେବ । ଯେଉଁଠାରେ ମହିଳା ସଂକ୍ରାନ୍ତିୟ ଅପରାଧ ଗୁଡିକର ବିଚାର ହେବ । ତୁରନ୍ତ ଦଣ୍ଡବିଧାନ ପ୍ରକ୍ରିୟାକୁ ଯିବୁ , ସେଥିରେ ଜୁଡିସିଆଲ ଅଫିସରଙ୍କ ଠାରୁ ଆରମ୍ଭ କରି ପ୍ରୋସିକ୍ୟୁଟି ଅଫିସର ପର୍ଯ୍ୟନ୍ତ ଏବଂ ସେଠି ଉପସ୍ଥିତ ସମସ୍ତ କୋର୍ଟର କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ମହିଳେ ରହିବେ, ଏନେଇ ହାଇକୋର୍ଟଙ୍କୁ ଜଣାଇଛୁ । ଏହା ହେବା ଫଳରେ କୋର୍ଟରେ ପୀଡିତା ତାଙ୍କ ଦୁଃଖର କାହାଣି କୋର୍ଟରେ କହିବା ବେଳେ କୌଣସି ଅସୁବିଧା ହେବନି କି ଖରପା ଲାଗବନି । କୋର୍ଟ ମଧ୍ୟ ଏନେଇ ଆଲୋଚନା ଜାରି ରଖିଛନ୍ତି । ସରକାର ଓ ହାଇକୋର୍ଟ ମିଳିତ ଭାବରେ ଖୁବଶୀଘ୍ର ଏ ଦିଗରେ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ” ତିନି ଦିନ ଧରି କଟକରେ ଚାଲିଥିବା ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ସମାପନ ହୋଇଛି। ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ ଓ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ବିକଶିତ ରାଷ୍ଟ୍ର ଓ ସମୃଦ୍ଧ ରାଜ୍ୟ ଗଠନରେ ପୋଲିସର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ବୋଲି କହିବା ସହ ଏହି ପ୍ରତିଯୋଗିତା ପୋଲିସର ବୃତ୍ତିଗତ ଦକ୍ଷତା ଓ ବୈଜ୍ଞାନିକ ତଦନ୍ତ ପଦ୍ଧତିକୁ ଉନ୍ନତ କରି ଜନସାଧାରଣଙ୍କ ଆସ୍ଥା ଅର୍ଜନ କରିବ ଏବଂ ସରକାର ପୋଲିସ ଆଧୁନୀକିକରଣ, ତ୍ଵରିତ ନ୍ୟାୟ ପାଇଁ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ନିଯୁକ୍ତି ଓ ମହିଳା ଅପରାଧ ମାମଲା ପାଇଁ ଫାଷ୍ଟଟ୍ରାକ କୋର୍ଟ ସ୍ଥାପନ ପାଇଁ ଉଚ୍ଚ ନ୍ୟାୟାଳୟ ସହ ଆଲୋଚନା କରୁଛନ୍ତି କହିଥିଲେ ପୃଥୀରାଜ। ଏହି ଅବସରରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ, କ୍ରାଇମବ୍ରାଞ୍ଚ ଡିଜିପି ବିନୟତୋଷ ମିଶ୍ରଙ୍କ ସହ ବହୁ ବରିଷ୍ଠ ଓ ତଥା ଅବସରପ୍ରାପ୍ତ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ । ଆଇନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ସାରାରାଜ୍ୟରେ ତ୍ଵରିତ ନ୍ୟାୟ ପ୍ରଦାନ ପାଇଁ ସମସ୍ତ ଜିଲ୍ଲାରେ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ଅଧିକାରୀ ନିଯୁକ୍ତ କରାଯାଇଛି ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ସମାଜରେ ମହିଳା, ଶିଶୁ ଓ ଦୁର୍ବଳ ଶ୍ରେଣୀର ଲୋକଙ୍କ ସୁରକ୍ଷା ପାଇଁ ସରକାର ସଦାସର୍ବଦା ଯତ୍ନବାନ ଅଛନ୍ତି। ଆଗାମୀ ଦିନରେ ରାଜ୍ୟ ପୋଲିସ ଅଧିକ ଲୋକାଭିମୁଖୀ ହୋଇ ରାଜ୍ୟବାସୀଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ଭଲଭାବେ କାମ କରିବ ବୋଲି ସେ ଆଶା ପ୍ରକଟ କରିଥିଲେ । ଏହି ଅବସରରେ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ପୋଲିସ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ସର୍ବୋତ୍ତମ ବୃତ୍ତିଗତ ସେବା ପ୍ରଦାନ କରିବାକୁ ମନ୍ତ୍ରୀ ଆହ୍ଵାନ ଦେଇଥିଲେ । ଏହାସହ ନିଶାଦ୍ରବ୍ୟ ଚୋରା କାରବାର, ଆଇନ ଶୃଙ୍ଖଳା ରକ୍ଷା ଆଦି କ୍ଷେତ୍ରରେ ପୋଲିସ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ବିଗତ ଦିନରେ ତଦନ୍ତର ମାନ ବୃଦ୍ଧି ଲାଗି କ୍ରାଇମବ୍ରାଞ୍ଚ୍ ତରଫରୁ କ୍ରାଇମବ୍ରାଞ୍ଚ୍ ମୁଖ୍ୟାଳୟ ସହିତ ଓ ବିଭିନ୍ନ ରେଞ୍ଜ ଗୁଡିକରେ ବହୁ ପ୍ରଶିକ୍ଷଣ ଶିବିର ତଥା କର୍ମଶାଳା ଆୟୋଜନ କରାଯାଇଛି । ଏହାସହ ଆଗାମୀ ଦିନରେ କ୍ରାଇମବ୍ରାଞ୍ଚ୍ ତରଫରୁ ନୂଆ ମଡ୍ୟୁଲ ପ୍ରସ୍ତୁତ କରାଯାଇ ବିଭିନ୍ନ ରେଞ୍ଜରେ କର୍ମଶାଳା ଏବଂ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ.ଗଞ୍ଜେଇ ଚୋରା ଚାଲାଣ, ଅପରାଧ ନିୟନ୍ତ୍ରଣ, ପୋକ୍ସୋ ମାମଲା ଗୁଡିକରେ ପୋଲିସ ଉଲ୍ଲେଖନୀୟ କାର୍ଯ୍ୟ କରିଛି ବୋଲି ଡିଜିପି ମତବ୍ୟକ୍ତ କରିଛନ୍ତି।କ୍ରାଇମବ୍ରାଞ୍ଚର ଆରକ୍ଷୀ ମହାନିର୍ଦ୍ଦେଶକବିନୟତୋଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବୃତ୍ତିଗତ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଟ୍ରଫି ପ୍ରଦାନ କରିଥିଲେ । ଏହି ଉଦଯାପନୀ ଉତ୍ସବରେ ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ ଅବସରପ୍ରାପ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ