ଚୋରି ଟ୍ରାକ୍ଟର ଉଦ୍ଧାର: ଅଭିଯୁକ୍ତକୁ କୋର୍ଟ ଚାଲାଣ
ନାଉଗାଁ,(ଓ୍ବାଇଏନଏସ):ନାଉଗାଁ ଥାନା ଅନ୍ତର୍ଗତ ହରିନବେଇ ଗ୍ରାମରୁ ଚୋରୀ ଯାଇଥିବା ଟ୍ରାକ୍ଟର ଉଦ୍ଧାର କରାଯାଇ ଦୁବୃତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଗୁରୁବାର ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଥାନାଧିକାରୀ ଦେବାଶୀଷ ପଣ୍ଡା ସୂଚନା ଦେଇଛନ୍ତି। ସୂଚନା ମୁତାବକ ଏହି ଗ୍ରାମର ଅନିଲ କୁମାର ମୁଦୁଲିଙ୍କ ଅଭିଯୋଗ କ୍ରମେ ଫେବୃୟାରୀ ୧୮ ବିଳମ୍ବିତ ରାତିରେ ତାଙ୍କ ଘର ସମ୍ମୁଖରୁ କେହି ଦୁବୃତ ତାଙ୍କ ଟ୍ରାକ୍ଟର ସହିତ ଟଲିକୁ ଚୋରି କରି ନେଇଯାଇଥିଲେ। ଅଭିଯୋଗ ପାଇବା ପରେ ଥାନା ପକ୍ଷରୁ ଏକ ମାମଲା ୫୬/୨୬ ରେ ରୁଜୁ କରାଯିବା ସହ ତଦନ୍ତ ଜାରି ରହିଥିଲା। ଏସଆଇ ଜାକସନ ମାଝୀଙ୍କ ନେତୃତ୍ୱରେ ତଦନ୍ତ ପରେ ଚୋରି ଟ୍ରାକ୍ଟର ଓ ଟଲି ସହ ଅପରାଧରେ ବ୍ୟବହୃତ ୨ଟି ମଟର ସାଇକେଲକୁ ଉଦ୍ଧାର କରାଯାଇଛି। ଅଭିଯୁକ୍ତ ୨ଜଣ ହେଲେ ପୁରୀ ଜିଲା ଚାରିଛକ ଥାନା ଅନ୍ତର୍ଗତ ନୂଆପାଟଣା ଗ୍ରାମର ଶଶିକାନ୍ତ ଲେଙ୍କା ଓ କଟକ ଜିଲା ନିଆଳି ଥାନା ଅନ୍ତର୍ଗତ ନୂଆପାଟଣା ଗ୍ରାମର ଚିନ୍ମୟ ମୁଦୁଲି ବୋଲି ଥାନାଧିକାରୀ ପଣ୍ଡା ପ୍ରକାଶ କରିଛନ୍ତି।


