ଛାତ୍ର ମୃତ୍ୟୁ ଘଟଣା : ତଦନ୍ତ ପାଇଁ ଛାତ୍ରଛାତ୍ରୀଙ୍କ ଅପେକ୍ଷାକୁ ନେଇ ଅସନ୍ତୋଷ
ହାଟଡିହି (ଓ୍ବାଇଏନଏସ): ବାଲି ବରେଇ ହାଇସ୍କୁଲ ରେ ଶିକ୍ଷକଙ୍କ ମାଡ଼ରେ ଜଣେ ଛାତ୍ର ଅସୁସ୍ଥ ହୋଇ ମୃତ୍ୟୁ ବରଣ କରିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଭିନ୍ନ ଗଣ ମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ଏହାର ତଦନ୍ତ କରିବା ପାଇଁ ବିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହାଟଡିହି ବ୍ଲକର ବିଇଓ ତଦନ୍ତ କରିବାକୁ ଯିବାକୁ ଥିବା ବେଳେ ଅପରାହ୍ନ ୪ଟା ସୁଧା ସ୍କୁଲକୁ ଯାଇ ନଥିଲେ। ଫଳରେ ସ୍କୁଲ କର୍ତ୍ତୁପକ୍ଷ ସ୍କୁଲ ଛୁଟିର ଘଣ୍ଟାଏ ପର୍ଯ୍ୟନ୍ତ ଷଷ୍ଠ ଶ୍ରେଣୀର ସମସ୍ତ ଛାତ୍ର ଛାତ୍ରୀଙ୍କୁ ଅଟକାଇ ରଖିଥିଲେ। ବର୍ଷା ଲାଗିରହିଥିବା ବେଳେ ଅଭିଭାବକ ମାନେ ଛୁଆ ଙ୍କୁ ନେବାପାଇଁ ଆସି ସ୍କୁଲ ସମ୍ମୁଖରେ ଭିଡ଼ ଜମାଇ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ପରେ ବିଇଓ ଯାଇ ଛାତ୍ର ଛାତ୍ରୀଙ୍କୁ ଶିକ୍ଷକଙ୍କ ମାଡ଼ ସମ୍ପର୍କରେ ପଚରା ଉଚରା କରିଥିବା ଜଣା ଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ଏହି ବିଦ୍ୟାଳୟରେ ଶିକ୍ଷକଙ୍କ ମାଡ଼ରେ ବିଦ୍ୟାଧରପୁର (ସାରୁକୋଣା ଶାସନ)ଗାଁର ଅପର୍ଣ୍ଣା ଜେନା ଓ ମୁନା ଜେନାଙ୍କ ୧୧ବର୍ଷର ଷଷ୍ଠ ଶ୍ରେଣୀର ଛାତ୍ର ମଣ୍ଟୁ ଜେନା ଅସୁସ୍ଥ ହୋଇପଡ଼ିଥିବା ବେଳେ ଡ଼ାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। କିନ୍ତୁ ପ୍ରଧାନ ଶିକ୍ଷୟତ୍ରୀ ଏହାକୁ ଅସ୍ବୀକାର କରିବା ସହ ପୁର୍ବରୁ ଛାତ୍ର ଜଣକ ରୋଗରେ ପଡିଥିଲେ, ସେଥିରେ ମୃତ୍ୟୁ ବରଣ କରିଥିବା କହିଥିଲେ।