ପୋଖରୀରେ ବୁଡି ଛାତ୍ରୀ ମୃତ: ସହପାଠୀ ଗୁରୁତର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):  ଦିଗପହଣ୍ଡି ଥାନା ସାନଖେମୁଣ୍ଡି ବ୍ଳକ ଚୁଡଙ୍ଗପୁର ଗ୍ରାମରେ ରବିବାର ପୂର୍ବାହ୍ନ ପ୍ରାୟ ୧୦ ଟାରେ ଏକ ଅଭାବନୀୟ ଘଟଣା ଘଟିଛି । ଦୁଇ ସହପାଠୀ ସାଙ୍ଗ ହୋଇ ଗ୍ରାମର ମନ୍ଦିର ବନ୍ଧକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଅସାବଧାନତା କାରଣରୁ ଗଭୀର ପାଣିରେ ବୁଡି ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ଯ ଜଣେ ଗୁରୁତର ହୋଇଛନ୍ତି । ମୃତ ଛାତ୍ରୀ ଜଣକ ହେଲେ ଆର୍ . ଘନ ପାତ୍ରଙ୍କ ୯ ବର୍ଷର ଝିଅ ଆର୍ .ସାଲୋନି ପାତ୍ର । ସେହିପରି ଗୁରୁତର ଛାତ୍ରୀ ଜଣକ ହେଲେ ଏନ୍. ସୁଦାମ ପାତ୍ରଙ୍କ ଝିଅ ଏନ୍ . ରାଜେଶ୍ବରୀ ପାତ୍ର (୯) । ଖବର ପ୍ରକାରେ , ସାଲୋନି ଏବଂ ରାଜେଶ୍ବରୀ ତୃତୀୟ ଶ୍ରେଣୀରେ ପାଠ ପଢୁଥିବା ବେଳେ ରବିବାର ଛୁଟି ଦିନ ରହିଥିଲା । ଉଭୟେ ସାଙ୍ଗ ହୋଇ  ପୋଖରୀରେ ଗାଧୋଇବା ସମୟରେ ଗଭୀର ପାଣିରେ ବୁଡି ଯାଇଥିଲେ । ଖବରପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଉଭୟଙ୍କୁ ପୋଖରୀରୁ ଉଦ୍ଧାର କରାଯାଇ ଦିଗପହଣ୍ଡି ମେଡିକାଲ ଅଣାଯାଇଥିଲା । ତେବେ ଉପସ୍ଥିତ ଡାକ୍ତର ସାଲୋନିଙ୍କୁ ମୃତ ଘୋଷଣା କରିଥିଲେ । ତେବେ ରାଜେଶ୍ବରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଥିଲା । ଅପରାହ୍ନରେ ସେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି । ଅପରପକ୍ଷରେ ଦିଗପହଣ୍ଡି ପୋଲିସ ମେଡିକାଲରେ ପହଞ୍ଚି ସାଲୋନି ଙ୍କ ଶବ ଜବତ କରି ଥାନା ଅପମୃତ୍ୟୁ ମାମଲା ନଂ. ୪୭/୨୫ ପ୍ରକାରେ  ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଯାଇଥିଲା।ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଅପରାହ୍ନରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ