ଶୈଳବାଳା ମହିଳା ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ପ୍ରସଙ୍ଗକୁ ନେଇ ଜିଲ୍ଲାପାଳଙ୍କ ସହ ଛାତ୍ରୀ ଓ ବୁଦ୍ଧିଜୀବୀଙ୍କ ବୈଠକ
କଟକ, (ଓ୍ବାଇଏନଏସ): ଶୈଳବାଳା ମହିଳା ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ଦାବି ନେଇ ଆନ୍ଦୋଳନ ୩୩ ଦିନରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ କରିଛି । ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆନ୍ଦୋଳନରତ ଛାତ୍ରୀ, ପୁରାତନ ଛାତ୍ରୀ ସଂଘ ପ୍ରତିନିଧି, ବିଜେପି ପ୍ରତିନିଧି, ବୁଦ୍ଧିଜୀବୀ ଓ ଜିଲ୍ଲାପାଳଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜିଲ୍ଲାପାଳ ଓ ବିଜେପି ପ୍ରତିନିଧି ଆଲୋଚନା ସଫଳ ହୋଇଥିବା କହିଛନ୍ତି । ଶୈଳବାଳା ମହିଳା ମହାବିଦ୍ୟାଳୟର ଜମି ସମସ୍ୟା ରହିଛି ଓ ଭିତ୍ତିଭୂମି ବିକାଶର ଆବଶ୍ୟକତା ରହିଛି । ଏହି ଦୁଇଟି ପ୍ରସଙ୍ଗରେ ପ୍ରଥମେ ପଦକ୍ଷେପ ନିଆଯିବ । ଭିତ୍ତିଭୂମି ବିକାଶ ପରେ ସରକାର ଏହାକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବା ନେଇ ନିଷ୍ପତି ନେବେ ବୋଲି ଜିଲ୍ଲାପାଳ ଓ ବିଜେପି ପ୍ରତିନିଧି ଶ୍ରୀତମ ଦାସ କହିଛନ୍ତି । ସେପଟେ ଆଲୋଚନାରେ ଅଂଶଗ୍ରହଣ କରିବା ଛାତ୍ରୀ ଓ ପୁରାତନ ଛାତ୍ରୀ ସଂଘର ପ୍ରତିନିଧି ଆଲୋଚନା ଫଳପ୍ରଦ ହୋଇନାହିଁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି । ଆନ୍ଦୋଳନରତ ଛାତ୍ରୀ ମାନେ କହିଛନ୍ତି ଆଲୋଚନାରେ କୌଣସି ସୁଫଳ ମିଳିନାହିଁ । ପ୍ରଶାସନ ସମୟ ଗଡାଇ ଆନ୍ଦୋଳନକୁ ଦୁର୍ବଳ କରିବା ପାଇଁ ଯୋଜନା କରୁଛି ବୋଲି ଛାତ୍ରୀ ଓ ପୁରାତନ ଛାତ୍ରୀ ସଂଘ ଅଭିଯୋଗ କରିବା ସହ ଆନ୍ଦୋଳନ ପୂର୍ବ ଭଳି ଜାରି ରହିବ ବୋଲି କହିଛନ୍ତି । ପ୍ରଶାସନର କହିବା ଅନୁସାରେ ଶୈଳବାଳା ମହିଳା ମହାବିଦ୍ୟାଳୟର ଜମି ସରକାରଙ୍କ ନାଁରେ ରହିଛି । ତେଣୁ ସେହି ଜମି ମହାବିଦ୍ୟାଳୟ ନାଁରେ ନହେବା ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବା ସମ୍ଭବ ନୁହେଁ । ତେଣୁ ପ୍ରଶାସନ ପ୍ରଥମେ ସରକାରୀ ଖାତାରେ ଥିବା ଏହି ଜମିକୁ ଶୈଳବାଳା ଖାତାକୁ ଆଣିବା ପାଇଁ କାର୍ଯ୍ୟ ଆରମ୍ଭ କରିବ ବୋଲି ପ୍ରଶାସନ କହିଛି ।


