ଆମସ୍କୁଲ ଆମକୁ ଫେରାଇ ଦିଅ ବୋଲି ଦାବି କଲେ ବେଗୁନିଆପଦି ଗ୍ରାମର ଛାତ୍ର ଛାତ୍ରୀ ଓ ଗ୍ରାମବାସୀ
ହାଟଡିହି (ବିକାଶ ବିଶ୍ବାଳ) ମୋହନ ସରକାର ଆମ ସ୍କୁଲ ଆମକୁ ଫେରାଇ ଦିଅ, ଆମ ଛୁଆ ଆଉ ଏତେ ଦୂରକୁ ଯାଇ ପାରିବେନି, ଏପରି ନାରା ଦେଇ ପ୍ରତିବାଦ କରିଛନ୍ତି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବେଗୁନିଆ ପଦି ଗ୍ରାମର ଛାତ୍ରଛାତ୍ରୀ। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଆମ୍ବୋ ପଞ୍ଚାୟତର ବେଗୁନିଆ ପଦି ଗାଁ । ଗାଁରେ ୭୫ ରୁ ଉର୍ଦ୍ଧ୍ଵ ପରିବାର ବସବାସ କରୁଥିବା ବେଳେ ଗାଁରେ ୧୯୬୨ ମସିହାରୁ ସ୍କୁଲ ଖୋଲାଯାଇ ପ୍ରଥମରୁ ୫ମ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଉଥିଲା । ଏହି ସ୍କୁଲରୁ ଶିକ୍ଷାଲାଭ କରି ଗ୍ରାମର ଅନେକ ବ୍ୟକ୍ତି ଏବେ ବଡ଼ ବଡ଼ ଉଚ୍ଚ ପଦ ପଦବୀରେ ଅଧିଷ୍ଠିତ ଅଛନ୍ତି । ମାତ୍ର ଗତ ୪ବର୍ଷ ତଳେ କମ ଛୁଆ ଦର୍ଶାଇ ସରକାର ସ୍କୁଲଟିକୁ ଉଠାଇ ଦେଲେ । ଫଳରେ ଗାଁର କୁନି କୁନି ଛାତ୍ରଛାତ୍ରୀ ମାନେ ୩ କିଲୋମିଟର ଦୁର ଟୁକୁଣା ସ୍କୁଲକୁ ଯାଇ ନାନା ସମସ୍ୟା ଭୋଗୁଛନ୍ତି । ଏହି ୩କିଲୋମିଟର ରାସ୍ତାର ଅବସ୍ଥା ଶୋଚନୀୟ ଥିବା ବେଳେ ଶହ ଶହ ଗାଡ଼ି ଯାତାୟତ କରୁଛନ୍ତି। ଅନେକ ସମୟରେ ଦୁର୍ଘଟଣା ଘଟୁଥିବାରୁ ଅଭିଭାବକ ମାନେ ଛୁଆ ମାନଙ୍କୁ ବାଧ୍ୟ ହୋଇ ନେବା ଆଣିବା କରୁଛନ୍ତି। ଯାହାକୁ ନେଇ ସମସ୍ୟା ସୃଷ୍ଟି ହେଉଛି। ଅନ୍ୟ ପକ୍ଷରେ ଗାଁ ବିଦ୍ୟାଳୟର ଶ୍ରେଣୀ ଗୃହ ଅକ୍ଷତ ଅବସ୍ଥାରେ ଅଛି, ପାଚେରୀ ଅଛି, ନଳକୂପ ଅଛି, ଶୌଚାଳୟ ବି ଅଛି । ଏବେ ଗାଁର ୩୦ ରୁ ଉର୍ଦ୍ଧ୍ଵ ଛାତ୍ରୀ ବାହାର ଗାଁକୁ ଯାଇ ଶିକ୍ଷାଲାଭ କରିବାରେ ସମସ୍ୟା ଉପୁଜୁଛି । ପୁର୍ବରୁ ଅନେକଥର ସରକାରଙ୍କୁ ଦାବିପତ୍ର ଦେଇଥିଲେ ବି ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି ବୋଲି ଶଶିଭୂଷଣ ରାଉତ, ସୁଲୋଚନା ସାହୁ, ପ୍ରଫୁଲ୍ଲ କୁମାର ରାଉତ, ପ୍ରଭୂପଦ ପ୍ରିୟବ୍ରତ ରାଉତ, ପ୍ରମୋଦ ରାଉତ, ଗୋପୀନାଥ ଜେନା, ଅନାଥ ଜେନା, ପ୍ରଦ୍ୟୁମ୍ନ ଜେନା, ଅଶାନ୍ତ କୁମାର ଜେନା, ସୁଦର୍ଶନ ଜେନା, ପ୍ରଭଞ୍ଜନ ଜେନା, ଲକ୍ଷ୍ମୀଧର ସାହୁ, ରବିନ୍ଦ୍ର ନାଥ ସାହୁ, ତୁଷାରକାନ୍ତ ସାହୁ ପ୍ରମୁଖ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। କେବଳ ଶିକ୍ଷକ ନିଯୁକ୍ତି ଦେଇ ସ୍କୁଲକୁ ପୁନର୍ବାର କାର୍ଯ୍ୟକ୍ଷମ କରନ୍ତୁ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି। ଏପରିକି ଆଜି ଆନନ୍ଦପୁର ବିଧାୟକଙ୍କୁ ଗାଁକୁ ଡ଼ାକି ସେମାନଙ୍କ ସମସ୍ୟା ଜଣାଇଛନ୍ତି। ବିଧାୟକ ଅଭିମନ୍ୟୁ ସେଠୀ ଏ ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ସ୍କୁଲ ଖୋଲିବା ଦିଗରେ ପଦକ୍ଷେପ ନେବେ ବୋଲି କହିଛନ୍ତି।