ଶୈଳବାଳାକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ପାଇଁ ଛାତ୍ରୀଙ୍କ ଧାରଣା
କଟକ, (ଓ୍ବାଇଏନଏସ): ରାଜ୍ୟର ସର୍ବ ପୁରାତନ ମହିଳା କଲେଜ ଶୈଳବାଳା ସ୍ଵୟଂଶାସିତ ମହାବିଦ୍ୟାଳୟ । ବୟସ ୧୧୨ ଛୁଇଁଲାଣି ।ଏତେ ବର୍ଷ ପରେ ବି କାହିଁକି ବିଶ୍ବବିଦ୍ୟାଳୟ ମାନ୍ୟତା ମିଳୁନି ? କେବେ ମିଳିବ ମାନ୍ୟତା ? ବଢୁଛି ଅସନ୍ତୋଷ । ତେଜୁଛି ରାଜନୀତି । ଜୋର ଧରିଲାଣି ଶୈଳବାଳା ସ୍ଵୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି । କିଛି ଦିନ ଧରି ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀମାନେ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବିରେ ଅଭିଯାନ ଆରମ୍ଭ କରିଥିଲେ । ଏବେ ଆଗକୁ ଆସିଛନ୍ତି ଛାତ୍ରୀ । ସୋମବାର ଅଭିଯାନକୁ ସମର୍ଥନ କରି ସାମିଲ ହୋଇଛନ୍ତି ହଜାରେରୁ ଅଧିକ ଛାତ୍ରୀ । କଲେଜ ସାମ୍ନାରେ ଏକାଠି ହୋଇ ଦାବି ସପକ୍ଷରେ ନାରାବାଜି କରିବା ସହ ଦସ୍ତଖତ ଅଭିଯାନ ଆରମ୍ଭ କରିଛନ୍ତି । ଦସ୍ତଖତ ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କୁ ଦିଆଯିବାର କାର୍ଯ୍ୟକ୍ରମ ରହିଛି ।ସମାନ ଦାବିରେ ପୋଷ୍ଟକାର୍ଡ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି । କଟକ ସହରର ବୁଦ୍ଧିଜୀବୀ, ସାଧାରଣ ନାଗରିକ ଓ ଛାତ୍ରୀମାନେ ଏହି ପୋଷ୍ଟକାର୍ଡରେ ଦାବି ଲେଖି ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ ନିକଟକୁ ପଠାଇବେ। ୧୯୧୩ ମସିହାରେ ଓଡ଼ିଶାର ପ୍ରଥମ ଓ ଭାରତର ଦ୍ବିତୀୟ ମହିଳା କଲେଜ ଭାବରେ ପ୍ରତିଷ୍ଠା ହୋଇଥିଲା ଶୈଳବାଳା ମହିଳା କଲେଜ । ୧୧୨ ବର୍ଷର ଏହି ପୁରାତନ କଲେଜ ନାରୀ ଉଚ୍ଚଶିକ୍ଷା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ ରୁଛି । ଏଠାରୁ ଶିକ୍ଷା ଗ୍ରହଣ କରି ଅନେକ ଓଡ଼ିଆ ଝିଅ ଦେଶ ବିଦେଶରେ ନାଁ କରିଛନ୍ତି । ମାତ୍ର ରାଜ୍ୟର ସର୍ବପୁରାତନ ମହିଳା କଲେଜକୁ ଯେଉଁ ସମ୍ମାନ ମିଳିବା କଥା ତାହା ଆଜି ସୁଦ୍ଧା ମିଳିପାରିନି । ଯାହାକୁ ନେଇ ଅସନ୍ତୋଷର ସ୍ବର ତୀବ୍ର ହେଉଛି । ରାଜ୍ୟ ସରକାର ଏ ଦିଗରେ ତୁରନ୍ତ ଧ୍ୟାନ ଦେବାକୁ ଦାବି ହୋଇଛି ।


