ବିଦ୍ୟାଳୟ ଫାଟକ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା: ବୁଝାସୁଝା ପରେ ଧାରଣା ପ୍ରତ୍ୟାହୃତ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଘୋଡାଂଶର ବାସୁଦେବ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ଦିନ ହେବ ଆବଶ୍ୟକୀୟ ସଂଖ୍ୟକ ଶିକ୍ଷକ ନାହାନ୍ତି। ଯେଉଁ ଶିକ୍ଷକ ରହିଛନ୍ତି ତାଙ୍କୁ ଡେପୁଟେସନରେ ଅନ୍ୟତ୍ର ନିଆଯାଉଛି। ଯାହାଫଳରେ ପିଲାଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି। ସ୍ଥାୟୀ ଶିକ୍ଷକ ନିଯୁକ୍ତି ଓ ଡେପୁଟେସନରେ ଯାଇଥିବା ଶିକ୍ଷକଙ୍କୁ ଫେରାଇ ଆଣିବା ଦାବିରେ ସୋମବାରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣାରେ ବସି ରହିଥିଲେ। ପରେ ଧାରଣାସ୍ଥଳରୁ ଛାତ୍ରଛାତ୍ରୀମାନେ ବାଲିଭଉଁରୀ-ଶିଖରଘାଟର ମୁଖ୍ୟରାସ୍ତାରେ ଚାଲି ଚାଲି ସିଧା ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଆସୁଥିବା ବେଳେ ନାଉଗାଁ ଥାନା ପକ୍ଷରୁ ଏସଆଇ ଜାକସନ ମାଝୀ ପହଁଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରି ବିଦ୍ୟାଳୟକୁ ଫେରାଇ ନେଇଥିଲେ। ସୂଚନାଯୋଗ୍ୟ ଯେ ଉକ୍ତ ବିଦ୍ୟାଳୟରେ ୯ମ ଓ ୧୦ମ ଶ୍ରଣୀରେ ମୋଟ ୩୫ଜଣ ପିଲା ପାଠ ପଢୁଛନ୍ତି। ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଅବସର ନେବା ପରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଚିତରଂଜନ ମହାନ୍ତି ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହିଛନ୍ତି। ହେଲେ ଗଣିତ ଶିକ୍ଷୟିତ୍ରୀ ଲିପିକା ସାହୁ ୨୦୨୨ ଫେବୃଆରୀରୁ ୩ ଦିନ ପାଇଁ ଆଳିପିଙ୍ଗଳ ଉଚ୍ଚ ବିଦ୍ୟାଳୟକୁ ଡେପୁଟେସନରେ ଯାଇଥିବା ବେଳେ ୩ ଦିନ ଉକ୍ତ ବିଦ୍ୟାଳୟରେ ପାଠ ପଢାଉଛନ୍ତି। ସେହିପରି ଅଲଣାହାଟ ଉଚ୍ଚ ବିଦ୍ୟାଳୟରୁ ସଂସ୍କୃତ ଶିକ୍ଷକ ୨ଦିନ ଡେପୁଟେସନରେ ଉକ୍ତ ବିଦ୍ୟାଳୟକୁ ଆସୁଛନ୍ତି। ଯାହାଫଳରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପିଲାଙ୍କ ବିଷୟ ବସ୍ତୁ ଶେଷ ହୋଇପାରୁନାହିଁ। ଗଣିତ , ବିଜ୍ଞାନ ପରି ବିଷୟରେ ବିଦ୍ୟାଳୟରେ ସ୍ଥାୟୀ ଶିକ୍ଷକ ନଥିବାରୁ ପିଲାମାନେ ଗଣିତ ବୁଝିପାରୁନାହାନ୍ତି, ତାହାର ସମାଧାନ ମଧ୍ୟ କରି ପାରୁନାହାନ୍ତି। ଯାହାଫଳରେ ପରୀକ୍ଷ।।ରେ ବହୁଳ ଭାବେ ପିଲାମାନେ ପ୍ରଭାବିତ ହେଉଥିବା ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଅମ୍ଳାନ ଜ୍ୟୋତି ନାୟକ, ସ୍ମୃତିରେଖା ନାୟକ ପ୍ରକାଶ କରିଛନ୍ତି। ତେଣୂ ବିଦ୍ୟାଳୟରୁ ଡେପୁଟେସନରେ ଯାଇଥିବା ଶିକ୍ଷୟିତ୍ରୀଙ୍କଲୁ ଫେରାଇ ଆଣିବା ସହିତ ଆବଶ୍ୟକ ମୁତାବକ ଶିକ୍ଷକ-ଶିକ୍ଷୟିତ୍ରୀ ନିଯୁକ୍ତି ଦେବାକୁ ଦାବି କରିଛନ୍ତି। ଏସଂର୍ପକରେ ବ୍ଲକ ଶିକ୍ଷାଧିକାରୀ ଉମେଶ ରାଉତଙ୍କୁ ପଚାରିବାରୁ ଉଚ୍ଚ ବିଦ୍ୟାଳୟର ଶିକ୍ଷକଙ୍କ ଡେପୁଟେସନ ଆମ କାର୍ଯ୍ୟାଳୟର ନୁହେଁ ତେଣୂୁ ଏସଂର୍ପକରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଛ ବୋଲି କହିଥିଲେ। ଏସଂର୍ପକରେ ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ବେହେରାଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ