ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟର ଛାତ୍ରଙ୍କ ସଫଳତା
ଖଲ୍ଲିକୋଟ(ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟ ବାୟୋଟେକନୋଲୋଜି ବିଭାଗର ସ୍ନାତକୋତ୍ତର ପ୍ରଥମ ବର୍ଷ ଛାତ୍ର ଆର୍. ଧବଳେଶ୍ଵର ରେଡ୍ଡୀ ଚଳିତ ମାସ ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଆୟୋଜିତ ୨୬ତମ ଓଡ଼ିଶା ବିଜ୍ଞାନ ଓ ପରିବେଶ ସମାବେଶ ତଥା ପ୍ରଥମ ଅନ୍ତର୍ଜାତୀୟ ସମ୍ମିଳନୀ : ସ୍ଥାୟୀ ସବୁଜ ଦିଗନ୍ତ ‘ ରେ ‘ ଚିରସ୍ଥାୟୀ ପ୍ରଗତିର ଲକ୍ଷ୍ୟ : ବିଜ୍ଞାନ ଏବଂ କୌଶଳରେ ନୂତନ ଉଦ୍ଭାବନ’ ଶୀର୍ଷକ ନିଜର ପୋଷ୍ଟର ଉପସ୍ଥାପନ କରି ସର୍ବୋତ୍କୃଷ୍ଟ ପୋଷ୍ଟର ଉପସ୍ଥାପକର ଗୌରବ ଅର୍ଜନ କରିଛନ୍ତି। ଏତଦ୍ ବ୍ୟତୀତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପରିବେଶ ବିଜ୍ଞାନ ବିଭାଗର ମିଳିତ ଆନୁକୂଲ୍ୟରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଠାରେ ଆୟୋଜିତ ‘ସର୍ବୋତ୍କୃଷ୍ଟ ପାରିବେଶିକ ପରିଚାଳନା’ ଶୀର୍ଷକ କର୍ମଶାଳାରେ ନିଜ ପ୍ରସ୍ତୁତ ପ୍ରଦୂଷଣ ନିୟନ୍ତ୍ରଣ ଯନ୍ତ୍ର ପ୍ରଦର୍ଶନ କରି ପ୍ରଥମ ସ୍ଥାନ ହାସଲ କରିଛନ୍ତି। ରାଜ୍ୟର ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେବା ତଥା ଅନେକ ପ୍ରତିଭାବାନ ବ୍ୟକ୍ତିତ୍ଵଙ୍କ ମଧ୍ୟରେ ନିଜକୁ ସର୍ବୋତ୍କୃଷ୍ଟ ପ୍ରତିପାଦିତ କରିଥିବା ଧବଳେଶ୍ଵର ଏକାଧାରରେ ଜଣେ ମେଧାବୀ ଛାତ୍ର, ଜଣେ ସୁଗାୟକ, ସୁବକ୍ତା ତଥା ସୁଲେଖକ ଭାବରେ ବିଭିନ୍ନ ସମୟରେ ପ୍ରତିଭା ପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି। ତାଙ୍କର ଏହି ଉଲ୍ଲେଖନୀୟ ସଫଳତାରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, କୁଳସଚିବ ଶ୍ରୀମତୀ ପାର୍ବତୀ ମଞ୍ଜରୀ ମହାଳିକ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକ, ଛାତ୍ରକଲ୍ୟାଣ ଅଧିକାରୀ ଡ. ଉଷାରାଣୀଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଅତ୍ୟନ୍ତ ଆନନ୍ଦିତ ହେବା ସହ ଧବଳେଶ୍ୱର ରେଡ୍ଡୀଙ୍କ ଅଜସ୍ର ସଫଳତା କାମନା କରିଛନ୍ତି l


