ଆଖୁଚାଷ ଉନ୍ନୟନ କମିଟି ବୈଠକ
ଆସିକା (ୱାଇଏନ୍ଏସ୍) ଗଞ୍ଜାମ ଜିଲ୍ଲାର ଏକମାତ୍ର କୃଷିଭିତ୍ତିକ ଶିଳ୍ପାନୁଷ୍ଠାନ ରୂପେ ସୁଖ୍ୟାତି ଅର୍ଜନ କରି ବର୍ଷ ବର୍ଷ ଧରି ଉନ୍ନତମାନର ଚିନି ଓ ବୋତଲ ମଦ ଉତ୍ପାଦନ କରିବାରେ ସମଗ୍ର ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଆସିକା ସମବାୟ ଚିନିଶିଳ୍ପ ପକ୍ଷରୁ ଆଖୁଚାଷର ବହୁଳ ପ୍ରସାର ଓ ପ୍ରଚାର କରି ଆଖୁଚାଷୀମାନଙ୍କ ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବା ପାଇଁ ପ୍ରୟାସ ଜାରି ରହିଥିବା ଦେଖିବାକୁ ମିଳୁଛି । ଆସିକା ସମବାୟ ଚିନିଶିଳ୍ପ ପକ୍ଷରୁ ଶୁକ୍ରବାର ପରିବର୍ଦ୍ଧିତ ଆଖୁଚାଷ ଉନ୍ନୟନ କମିଟି ବୈଠକ ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା, ପରିଚାଳନା ପରିଷଦର ସଦସ୍ୟ ରତ୍ନାକର ସାହୁ, ବସନ୍ତ କୁମାର ଦଳେଇ, ଧର୍ମୁ ପ୍ରଧାନ, ସରିତ ପ୍ରଧାନ, ନିରଂଜନ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ବରାଡ, ଶ୍ରୀମତୀ ଗୀତା ବରାଡ, ସମବାୟ ଚିନିଶିଳ୍ପର ଆଖୁପରିଚାଳକ ପ୍ରଶାନ୍ତ କୁମାର ପାଢୀ, ଆକାଉଣ୍ଟସ୍ ଅଫିସର ଚିତ୍ତଚିନ୍ମୟ ରଂଜନ ନାୟକ, ଚିଫ୍ କେମିଷ୍ଟ ଶ୍ରୀନିବାସ ମହାପାତ୍ର, ମୁଖ୍ୟଯନ୍ତ୍ରୀ ଇଂ କେଦାରନାଥ ସାହୁ, ଭାରତୀୟ ଷ୍ଟେଟବ୍ୟାଙ୍କ ଆସିକା ବ୍ୟବସାୟିକ କାର୍ଯ୍ୟାଳୟ (ଏସ୍ବିଆଇ ଆର୍ବିଓ)ର ଆଞ୍ଚଳିକ ପରିଚାଳକ ଶ୍ୟାମସୁନ୍ଦର ଠାକୁର, ସଂପର୍କ ଅଧିକାରୀ (ଗ୍ରାମୀଣ) ଜିତେନ୍ଦ୍ର ମହାରଣା, ଏସ୍ବିଆଇ ଏଡିବି ଆସିକା ଶାଖାର କୃଷିକ୍ଷେତ୍ରୀୟ ବୈଷୟିକ ଅଧିକାରୀ ଶୁଭେନ୍ଦୁ କୁମାର ସାମଲ ଓ ଶାଖାର ପ୍ରବନ୍ଧକ ଶ୍ରୀମତୀ ପୂଜା କୁମାରୀଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ସମବାୟ ଚିନିଶିଳ୍ପ ପକ୍ଷରୁ ଅନୁଷ୍ଠିତ ଏହି ପରିବର୍ଦ୍ଧିତ ଆଖୁଚାଷ ଉନ୍ନୟନ କମିଟି ବୈଠକରେ ଗଞ୍ଜାମ ଜିଲ୍ଲା ଆଖୁଚାଷୀ ସଂଘର ଲଳିତ ମୋହନ ଦାଶ, ସମୀର ପ୍ରଧାନ, ରାଘବ ସିୟ, ବିଶ୍ୱେଶ୍ୱର ପ୍ରଧାନ, ଗୋବିନ୍ଦ ଜେନା, ପଦ୍ମ ବିଷୋୟୀ, କିଶୋର ମେହେଣା, ବଳରାମ ସ୍ୱାଇଁ, ସୁରେନ୍ଦ୍ର ଜେନାଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଲରୁ ବହୁ ଆଖୁଚାଷୀ ଯୋଗଦେଇ ସେମାନଙ୍କ ବିଭିନ୍ନ ସମସ୍ୟା ଓ ତାର ନିରାକରଣ ଉପରେ ଆଲୋକପାତ କରିଥିଲେ । ଏହି ପରିବର୍ଦ୍ଧିତ ଆଖୁଚାଷ ଉନ୍ନୟନ କମିଟି ବୈଠକରେ ଏସ୍ବିଆଇ ପକ୍ଷରୁ ନିଶ୍ଚିତ ଜଳସେଚନ ନିମନ୍ତେ ଗଭୀର ନଳକୂପ, ସୌରଚାଳିତ ପମ୍ପସେଟ୍ ଓ ବନ୍ୟଜନ୍ତୁଙ୍କ କବଳରୁ ଆଖୁଚାଷକୁ ରକ୍ଷା ନିମନ୍ତେ ସୌରଚାଳିତ ଝଟ୍କା ଯନ୍ତ୍ର ଦୀର୍ଘମିଆଦି ସୂତ୍ରରେ କୃଷିଋଣ ଯୋଗାଇଦେବା ପାଇଁ ଆଖୁଚାଷୀ, ବ୍ୟାଙ୍କ ଓ ଚିନିଶିଳ୍ପ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତିନାମା ସଂପାଦନ ଉପରେ ଆଲୋଚନା କରାଯାଇଥିଲା । ଆଖୁଚାଷ ନିମନ୍ତେ ଆବଶ୍ୟକ ପରିମାଣର କୃଷି ଶ୍ରମିକଙ୍କ ଉତ୍କଟ ଅଭାବ ପରିଲକ୍ଷିତ ହେଉଥିବା ଯୋଗୁଁ ଚିନିଶିଳ୍ପ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇ ସ୍ୱୀକୃତିପ୍ରାପ୍ତ (ଲାଇସେନ୍ସ) ଠିକାଦାର ମାଧ୍ୟମରେ କୃଷି ଶ୍ରମିକ ନିୟୋଜନ କରି ଆଖୁ କାଟିବା, ସଫା କରିବା ଓ ଆଖୁପେଡା ଋତୁରେ ଗାଡିରେ ଆଖୁକୁ ବୋଝେଇ କରିବା ଉପରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ବେଳେ ନାନା କାରଣରୁ ଦିନକୁ ଦିନ ଆଖୁଚାଷ ଓ ଉତ୍ପାଦନ ଆଶାତୀତ ଭାବେ ହ୍ରାସ ପାଇଚାଲିଥିବାରୁ ଆଖୁଚାଷ ବହୁଳ ପ୍ରସାର ପାଇଁ ପଦକ୍ଷେପ ନେବା ଆଲୋଚନା କରାଯାଇଥିଲା । ଆଖୁଚାଷୀ ସଂଘର ପ୍ରସ୍ତାବକ୍ରମେ ୨୦୨୫-୨୬ ଆଖୁପେଡା ଋତୁ ପାଇଁ ଟନ୍ ପିଚ୍ଛା ୪ ହଜାର ଟଙ୍କା ଓ ୨୦୨୬-୨୭ ଆଖୁପେଡା ଋତୁ ପାଇଁ ଟନ୍ ପିଚ୍ଛା ୪୫୦୦ ଟଙ୍କା ପ୍ରଦାନ ପାଇଁ ବିଚାର କରାଯାଇଥିଲା । ଆଖୁଚାଷୀ ସଂଘର ଏହି ପ୍ରସ୍ତାବକୁ ଜିଲ୍ଲା ପ୍ରଶାସନର ଜରିଆରେ ସମବାୟ ବିଭାଗ ପଦାଧିକାରୀଙ୍କ ନିକଟକୁ ଅନୁମୋଦନ ନିମନ୍ତେ ପ୍ରେରଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡିଛି । ଆସିକା ଚିନିଶିଳ୍ପ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ପରିବର୍ଦ୍ଧିତ ଆଖୁଚାଷ ଉନ୍ନୟନ କମିଟି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପାନୁଷ୍ଠାନର କର୍ମଚାରୀ ଅନିଲ୍ କୁମାର ଦାଶ, ପ୍ରଶାନ୍ତ କୁମାର କର, ବାସୁଦେବ ସ୍ୱାଇଁ, ରାଜେଶ୍ କୁମାର ନାୟକ, ଚିରଞ୍ଜିବୀ ପାତ୍ର, ଶଙ୍କର ମହାନ୍ତି, ଆଖୁଉନ୍ନୟନ ପର୍ଯ୍ୟବେକ୍ଷକ ବାଇଧର ନାହାକ, ଦିଲୀପ କୁମାର ସ୍ୱାଇଁ, ଧ୍ରୁବଚରଣ ସାହୁ, ଚିରଞ୍ଜିବୀ ମହାନ୍ତି, ସୁକାନ୍ତ ପାତ୍ର, କାମେଶ୍ୱର ବେହେରା, ଆଖୁ ଉନ୍ନୟନ ସହାୟକ ଜଗନ୍ନାଥ ପଟ୍ଟନାୟକ, ଲଲାଟେନ୍ଦୁ ସ୍ୱାଇଁ, ସୁଶାନ୍ତ କୁମାର ଗୌଡ, ରାଜା ବିଶ୍ୱାଳ, ଅମିତ୍ କୁମାର ବିଶ୍ୱାଳ, ବାବୁଜହ୍ନ ପ୍ରଧାନ, ସନ୍ତୋଷ କୁମାର ସାହୁ, ଚନ୍ଦ୍ରଶେଖର ଗୌଡ, ବିଷ୍ଣୁ ବେହେରା, ରାକେଶ୍ ସିୟ, ରାଜକିଶୋର ପାଢୀ, ଧବଳେଶ୍ୱର ମହାନ୍ତି, ଅମୀୟ ବିଶ୍ୱାଳ, ଦେବେନ୍ଦ୍ରନାଥ ସାହୁ, ଲଡୁକିଶୋର ଗୁରୁ, ପ୍ରଦୀପ କୁମାର ପଟ୍ଟନାୟକ, ଆଶିଷ ପରିଡା, ଗୌରାଙ୍ଗ ସ୍ୱାଇଁ, ଅଶୋକ କୁମାର ପରିଡା, କମଳାକାନ୍ତ ସ୍ୱାଇଁ, ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ସମେତ ବହୁ ପଦାଧିକାରୀ ଓ କ୍ଷେତ୍ର କର୍ମଚାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।