ସରିବ ଗ୍ରୀଷ୍ମ ଅବକାଶ : ପ୍ରଥମ ଦିନରୁ ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ
ଆସିକା (ୱାଇଏନ୍ଏସ୍) ଖରାଛୁଟି ଶେଷ ହେବା ପରେ ଆସନ୍ତା ୨୦ ତାରିଖରୁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ କେନ୍ଦୁପଦର, ନିମିନା, ବାଲିସିରା, କେ.ନୁଆଁପଲ୍ଲୀ, ଆସିକା ଏନ୍ଏସି, ନଳବଣ୍ଟା, ଖାରିଆ, କାଳଷଣ୍ଢପୁର, ବାବନପୁର, ହରିଡାପଦର, ଭେଟନଇ, ବଡଖୋଲି, ଗଙ୍ଗାପୁର କ୍ଳଷ୍ଟର ଅଧୀନସ୍ଥ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ, ପ୍ରାଥମିକ ବିଦ୍ୟାଳୟ ଖୋଲିବ ବୋଲି ଜଣାପଡିଛି । ଗ୍ରୀଷ୍ମ ଅବକାଶ ସରିବା ପରେ ଆସନ୍ତା ୨୦ ତାରିଖ ଠାରୁ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ଖୋଲିବାକୁ ଥିବା ବେଳେ ସେହିଦିନ ଠାରୁ ଶିଶୁବାଟିକା ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀମାନଙ୍କୁ ମଧ୍ୟାହ୍ନ ଭୋଜନ ପରିବେଶଣ କରାଯିବ ବୋଲି ଜଣାପଡିଛି । ଆସିକା ଶିକ୍ଷା ବିଭାଗର ପଦାଧିକାରୀମାନେ ବିଦ୍ୟାଳୟ ଗୁଡିକୁ ପରିଦର୍ଶନରେ ଯାଇ ଶ୍ରେଣୀଗୃହ ଠାରୁ ଆରମ୍ଭ କରି ବିଦ୍ୟାଳୟର ସଫେଇ, ସ୍ୱଚ୍ଛତା, ପରିଷ୍କାର ପରିଚ୍ଛନ୍ନତା, ପିଇବା ପାଣି, ଶୌଚାଳୟ, ପାଣିଟାଙ୍କି ସଫା, ଶ୍ରେଣୀଗୃହରେ ଥିବା ସମସ୍ତ ଫର୍ଣ୍ଣିଚରକୁ ସଫାସୁତରା କରାଯିବା ସହ ପିଲାଙ୍କ ବସିବା ଉପଯୋଗୀ, ଅନାବନା ଘାସ କଟା, ରୋଷେଇଶାଳ, ବାସନକୁସନ, ଗ୍ୟାସଷ୍ଟୋଭ୍ ଆଦିକୁ ସଫା, ମଧ୍ୟାହ୍ନ ଭୋଜନ ପାଇଁ ଥିବା ରୋଷେଇ ସାମଗ୍ରୀର ଏକ୍ସପାଇରୀ ତାରିଖ ଯାଞ୍ଚ, ସ୍ମାର୍ଟକ୍ଳାସ୍ ରୁମ୍ ଓ ଇ-ଲାଇବ୍ରେରୀକୁ ବ୍ୟବହାର ପାଇଁ ପ୍ରସ୍ତୁତ, ପାନୀୟ ଜଳକୁ ଗୁରୁତ୍ୱ, ପିଲାଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ନିଆଯାଇଥିବା ପଦକ୍ଷେପ ସମେତ ବିଭିନ୍ନ କାର୍ଯ୍ୟକ୍ରମର ସ୍ଥିତି ପରଖିବେ ବୋଲି ଜଣାପଡିଛି । ଚଳିତ ବର୍ଷ ଗତ ଏପ୍ରିଲ ମାସ ୨୩ ତାରିଖରୁ ଖରାଛୁଟି ଆରମ୍ଭ ହୋଇଥିଲା । ଗ୍ରୀଷ୍ମ ଅବକାଶ ପାଇଁ ଶିକ୍ଷାନୁଷ୍ଠାନ ଗୁଡିକ ବର୍ତ୍ତମାନ ବନ୍ଦ ରହିଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷ ଆଗୁଆ ଖରାଛୁଟି ଘୋଷଣା କରାଯାଇଥିଲା । ଗ୍ରୀଷ୍ମ ଛୁଟି ସରିଆସୁଥିବା ବେଳେ ଆସନ୍ତା ୨୦ ତାରିଖରୁ ସ୍କୁଲ ଖୋଲିବ । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍ରାଣୀ ମହାନ୍ତି, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ଓ ଭଂଜ ବେହେରା ଏବଂ ଶିବରାମ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ହରିବନ୍ଧୁ ବେହେରା, ଶିଶିରକାନ୍ତ ବେହେରା, ନାରାୟଣ ସାହୁ, ରଂଜିତା ପାତ୍ର, ଟୁଲୁ ସେଠୀ, ରାଧାମୋହନ ଡାକୁଆ, ଚନ୍ଦ୍ରଶେଖର ସ୍ୱାଇଁ, ଅର୍ଚ୍ଚନା ବେହେରା, ସୌଦାମିନୀ ହୋତା, ସରୋଜ କୁମାର ପ୍ରଧାନଙ୍କ ସମେତ ଆସିକା ଶିକ୍ଷା ବିଭାଗର ପଦାଧିକାରୀମାନେ ଆସନ୍ତା ୨୦ ତାରିଖରେ ବିଦ୍ୟାଳୟ ଖୋଲିବା ପୂର୍ବରୁ କ୍ୟାମ୍ପସ ଗୁଡିକରେ ସ୍ୱଚ୍ଛତା ନେଇ ସମସ୍ତ କାର୍ଯ୍ୟ ହୋଇଛି କି ନାହିଁ ତାହାକୁ ତଦାରଖ କରିବା ପାଇଁ ନିଜ ନିଜ କ୍ଳଷ୍ଟର ଅଞ୍ଚଳରେ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରୁଥିବା ଲକ୍ଷ୍ୟ କରାଯାଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବଡଖୋଲି କ୍ଳଷ୍ଟରର ଭେଟନଇ ଗ୍ରାମ ସ୍ଥିତ ସରକାରୀ ବାଳିକା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିବରାମ ଗୌଡ ଓ ପରିଚାଳନା କମିଟି ସଭାପତି ସୁଶାନ୍ତ କୁମାର ଗୌଡ ଏବଂ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୌଦାମିନୀ ହୋତାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବୁଧବାର ଶିକ୍ଷାନୁଷ୍ଠାନର ସହକାରୀ ଶିକ୍ଷୟିତ୍ରୀ ଝୁନୁ ଦାଶ, ପୁଷ୍ପାଂଜଳୀ ନାୟକ, ପ୍ରଣୟ ବଲ୍ଲରୀ ନାୟକ, ମାମାଲି ନାୟକ, ଜୁଲି ଭିତିରିଆ, ଗୁରୁ ପ୍ରସାଦ ଗୌଡ, ଶିବାନୀ ଡାକୁଆ, ସନ୍ଧ୍ୟାରାଣୀ ବିଶ୍ୱାଳ ପ୍ରମୁଖ ନିଜ ବିଦ୍ୟାଳୟର ପରିବେଶକୁ ପରିଷ୍କାର ପରିଚ୍ଛନ୍ନ କରୁଥିବା ଲକ୍ଷ୍ୟ କରାଯାଇଥିଲା । ବିଦ୍ୟାଳୟ ଖୋଲିବାର ଦିନକ ପୂର୍ବରୁ ଅର୍ଥାତ୍ ୧୯ ତାରିଖରେ ଶିକ୍ଷକ ଶିକ୍ଷୟିତ୍ରୀ, ପାଚିକା ଓ ସହାୟିକା ମାନଙ୍କୁ କାର୍ଯ୍ୟରେ ଯୋଗଦେବାକୁ ପରାମର୍ଶ ଦିଆଯାଇଥିଲା ବେଳେ ସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ମଧ୍ୟାହ୍ନ ଭୋଜନ ରାନ୍ଧିବା ଓ ଖାଦ୍ୟର ମାନକୁ ସୁନିଶ୍ଚିତ କରିବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳିଛି ।