ଓଟିଇଟି ପ୍ରଶ୍ନପତ୍ର ଭାଇରାଲ ମାମଲାରେ ଶିକ୍ଷକ ଗିରଫ

କଟକ, (ଓ୍ବାଇଏନଏସ): ଓଟିଇଟି ପ୍ରଶ୍ନପତ୍ର ଭାଇରାଲ ମାମଲାରେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ପୂର୍ବରୁ ୬ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି(ଶୁକ୍ରବାର) ଆଉ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଶିକ୍ଷକ ଜଣକ ହେଉଛନ୍ତି ପ୍ରଶାନ୍ତ କୁମାର ଖମାରୀ । ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ପ୍ରଶ୍ନପତ୍ର ପାଇବା ପରେ ତାହାକୁ ଅନୁବାଦ କରିଥିଲେ । ଅନ୍ୟପଟେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ଲାପଟପକୁ ନେଇ ଉଠିଛି ପ୍ରଶ୍ନବାଚୀ । ଆଜି ଗିରଫ ହୋଇଥିବା ଶିକ୍ଷକ ପ୍ରଶାନ୍ତ ଖମାରୀ ଇଂରାଜୀ ପ୍ରଶ୍ନପତ୍ରକୁ ଓଡ଼ିଆରେ ଅନୁବାଦ କରିଥିଲେ । କେବଳ ସେତିକି ନୁହେଁ ବରଂ ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଆକାଉଣ୍ଟକୁ ସେ ୯୯ ହଜାର ଟଙ୍କା ଫୋନ ପେ କରିଥିବା କ୍ରାଇମବ୍ରାଞ୍ଚକୁ ପ୍ରମାଣ ମିଳିଛି । ସେହିପରି ଏହି ଘଟଣାରେ ଅନ୍ୟ ବୋର୍ଡ ଅଫିସରଙ୍କୁ ପଚରାଉଚରା କରାଯାଉଥିବା କ୍ରାଇମବ୍ରାଞ୍ଚ ଡିଆଇଜି ବାତୁଳା ଗଙ୍ଗାଧର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ଲାପଟପକୁ ନେଇ ଉଠିଛି ବଡ଼ ପ୍ରଶ୍ନବାଚୀ । ନିୟମ ଅନୁଯାୟୀ କୌଣସି ପ୍ରଶ୍ନପତ୍ର ବୋର୍ଡର କର୍ମଚାରୀଙ୍କ ପାଖରେ ରହିପାରିବ ନାହିଁ । ପ୍ରଶ୍ନପତ୍ର ଯିଏ କରନ୍ତି ଅର୍ଥାତ ସେ ଅଧ୍ୟାପକ ହୁଅନ୍ତୁ କିମ୍ବା ଶିକ୍ଷାବିତ, ଏହାକୁ ପ୍ରସ୍ତୁତ କରିବା ପରେ ଯଉ ମୁଦା ଦେଇ ବୋର୍ଡ ପରୀକ୍ଷା ନିୟନ୍ତ୍ରକଙ୍କୁ ପଠାଇଥାନ୍ତି । ପରୀକ୍ଷା ନିୟନ୍ତ୍ରକ, ଏହାକୁ ନିଜ କମିଟି ପାଖରେ ଆଲୋଚନା କରି ପ୍ରଶ୍ନପତ୍ର ତ୍ରୁଟିକୁ ଯାଞ୍ଚ କରି ଯଉ ମୁଦାରେ ଫାର୍ମକୁ ପଠାଇଥାନ୍ତି । ଫାର୍ମରେ ଏହା ପ୍ରିଣ୍ଟ ହେବା ପରେ ଯଉ ମୁଦାରେ ଆସି ବିଭିନ୍ନ କେନ୍ଦ୍ରକୁ ପଠାଯାଇଥାଏ । ପରୀକ୍ଷା କେନ୍ଦ୍ରରେ ହିଁ ଏହାକୁ ଖୋଲା ଯିବାର ନିୟମ ରହିଛି । ମାତ୍ର ଏହା କୌଣସି ବୋର୍ଡ କର୍ମଚାରୀଙ୍କ ପାଖକୁ ଆସିବା କଥା ନୁହେଁ । କିନ୍ତୁ ବୋର୍ଡ ଉପସଭାପତିଙ୍କ ଲାପଟପରେ ଏହା କେଉଁ ପରିସ୍ଥିତିରେ ରହିଲା ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୋର୍ଡର ପୂର୍ବତନ ସଭାପତି ସତ୍ୟକାମ ମିଶ୍ର। ଉପସଭାପତିଙ୍କ ଲାପଟପରେ ଯଦି ଏହି ପ୍ରଶ୍ନ ରହିଲା ତାହା ଅନିୟମିତତା ବୋଲି ପୂର୍ବତନ ବୋର୍ଡ ସତ୍ୟକାମ ମିଶ୍ର କହିଛନ୍ତି । ଯଦି ଲାପଟପକୁ ଆସିଲା ତାହା କିପରି ବାହାରକୁ ଗଲା ? ନିଜର କର୍ମଚାରୀ କିପରି ଏହି ପାସୱାର୍ଡ ଜାଣିଲେ ଏବଂ ତାହାକୁ ବ୍ୟବହାର କରି ପ୍ରଶ୍ନପତ୍ର ଭାଇରାଲ କରିଲେ ? ବୋଲି ପ୍ରଶ୍ନ କରିଛନ୍ତି ସେ । ଏନେଇ କ୍ରାଇମବ୍ରାଞ୍ଚ ଏଡ଼ିଜି ବି ଗଙ୍ଗାଧର କହିଛନ୍ତି, ‘ଏହି ସମସ୍ତ ଦିଗକୁ ଧ୍ୟାନରେ ରଖି ଘଟଣାର ତଦନ୍ତ କରାଯିବ । ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି । ତଦନ୍ତ ପରେ ସ୍ପଷ୍ଟ ଜଣା ପଡିବ । ଯିଏ ଦୋଷୀ ଥିବେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’ ଗତ ଜୁଲାଇ ୩୦ରେ ପ୍ରଶ୍ନପତ୍ର ଲିକ ଘଟଣାରେ କ୍ରାଇମବ୍ରାଞ୍ଚ ୬ ଜଣଙ୍କୁ ଗିରଫ କରିଥିଲା । ଗିରଫ ହୋଇଥିବା ସମସ୍ତ ବ୍ୟକ୍ତି ବୋର୍ଡର କର୍ମଚାରୀ ଥିଲେ । ୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ନେଇ ପ୍ରଶ୍ନପତ୍ର ଭାଇରାଲ କରିଥିଲେ । ଯାହାର ମାଷ୍ଟର ମାଇଣ୍ଡ ଥିଲା ଡାଟା ଏଣ୍ଟ୍ରି ଅପରେଟର । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ