ବ୍ଲକ ଶିକ୍ଷା ଅଧିକାରୀଙ୍କ ନିର୍ଦେଶକୁ ଫୁ କରି ଉଡାଉଛନ୍ତି ଶିକ୍ଷକ
ହାଟଡିହି (ଓ୍ବାଇଏନଏସ): ବ୍ଲକ ଶିକ୍ଷା ଅଧିକାରୀଙ୍କ ନିର୍ଦେଶକୁ ମାନୁ ନାହାନ୍ତି ଶିକ୍ଷକ। ଏପରିକି ସେଣ୍ଟ୍ରାଲ ରିଲିଭ ପରେ ବି ପ୍ରଧାନଶିକ୍ଷୟତ୍ରୀ ସମ୍ପୃକ୍ତ ଶିକ୍ଷକଙ୍କୁ ନିଜ ସ୍କୁଲରେ ପଢାଇବାର ସୁଯୋଗ ଦେଉଛନ୍ତି। ଯାହାକୁ ନେଇ ସମଗ୍ର ହାଟଡିହି ବ୍ଲକରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାରୁ ଜଣା ଯାଇଛି ଯେ ହାଟଡିହି ବ୍ଲକ ମୁଗୁପୁର ହାଇସ୍କୁଲ ରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଶିକ୍ଷାଦାନର ବ୍ୟବସ୍ଥା ଅଛି। ଏଠାରେ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ନିଯୁକ୍ତ ଥିବା ଜଣେ ଶିକ୍ଷକ ଙ୍କ ବିରୁଦ୍ଧରେ ଗ୍ରାମବାସୀ ଙ୍କ ପକ୍ଷରୁ ଅଭିଯୋଗ ହେବାପରେ ବିବାଦ ଆରମ୍ଭ ହୋଇଥିଲା। ସେତେବେଳେ ବ୍ଲକ ଶିକ୍ଷା ଅଧିକାରୀ ସମ୍ପୃକ୍ତ ବିବାଦୀୟ ଶିକ୍ଷକଙ୍କୁ ଆମ୍ବ ସ୍କୁଲକୁ ବଦଳି କରିଦେଲେ। ମାତ୍ର କିଛି ଅଭିଭାବକ ଏହାର ବିରୋଧ କରି ପ୍ରତିବାଦ କରିଥିଲେ। ଏପରିକି ସେତେବେଳେ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ମଧ୍ୟ ତାଙ୍କୁ ରିଲିଭ କଲେନି। ସମ୍ପୃକ୍ତ ଶିକ୍ଷକ ସେହି ସ୍କୁଲରେ ଶିକ୍ଷାଦାନ ଜାରି ରଖିଲେ। ଏବେ ଗତ ୧୬ ତାରିଖ ଦିନ ବ୍ଲକ ଶିକ୍ଷା ଅଧିକାରୀ ଚିଠି ନମ୍ବର ୪୨୯୬ ରେ ଶିକ୍ଷକ ଶିବ ସୁନ୍ଦର ସାହୁଙ୍କୁ ଛେନାପଦି ସରକାରୀ ୟୁ.ପି ସ୍କୁଲକୁ ବଦଳି କରିଛନ୍ତି। ତାଙ୍କୁ ସେଣ୍ଟ୍ରାଲ ରିଲିଭ କରାଯାଇ ଥିବା ବେଳେ ତତକାଳ ଛେନାପଦି ୟୁ.ପି ସ୍କୁଲରେ ଯୋଗଦେଇ ଶିକ୍ଷାଦାନ କରିବାକୁ ନିର୍ଦେଶ ଦିଆଯାଇଛି। ସମ୍ପୃକ୍ତ ଶିକ୍ଷକ ଅସୁସସ୍ଥା ଦର୍ଶାଇ ଚିଠିକୁ ଗ୍ରହଣ କରିନଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ନିର୍ଦ୍ଧେଶନାମା ଗ୍ରହଣ କରିଛନ୍ତି। କିନ୍ତୁ ଶିକ୍ଷକ ଶିବ ସୁନ୍ଦର ସାହୁ ୧୭ତାରିଖ ଦିନ ମୁଗୁପୁର ବିଦ୍ୟାଳୟରୁ ସିଏଲ ନେଇଥିବା ବେଳେ ଆଜି ମୁଗୁପୁର ସ୍କୁଲକୁ ଯାଇ ପୂର୍ବପରି ଉପସ୍ଥାନ ଖାତାରେ ଦସ୍ତଖତ କରିବା ସହ ଶିକ୍ଷାଦାନ କରୁଥିବା ଅଭିଯୋଗ ହୋଇଛି। ବ୍ଲକ ଶିକ୍ଷା ଅଧିକାରୀ ଙ୍କ ନିର୍ଦେଶକୁ ଶିକ୍ଷକ ଜଣକ ବେଖାତିର କରିଥିବା ବେଳେ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ମଧ୍ୟ କିପରି ଶିକ୍ଷକ ଉପସ୍ଥାନ ଖାତାରେ ଦସ୍ତଖତ କରାଇ ଶିକ୍ଷାଦାନ କରାଉଛନ୍ତି ତାହା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏହା ମୋ ଦୃଷ୍ଟିକୁ ଆସିଛି। ତୁରନ୍ତ ଏହାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


