ଟ୍ରକ୍ ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ ଘଟଣା : କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ପାଟପୁର ଥାନା ତପ୍ତପାଣି ଘାଟିରେ ମଙ୍ଗଳବାର ସନ୍ଧ୍ୟାରେ ଏକ ହାଇୱା ଟ୍ରକ୍ ଧକ୍କାରେ ଦିଗପହଣ୍ଡି ଥାନା ପଦ୍ମନାଭପୁର ଗ୍ରାମର କ୍ରୀଡା ଶିକ୍ଷକ ରାମକୃଷ୍ଣ ପାଣିଗ୍ରାହୀଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବି ରେ  ବୁଧବାର ଅପରାହ୍ନରେ ଗ୍ରାମବାସୀଙ୍କ ପକ୍ଷରୁ ଦିଗପହଣ୍ଡି – ଚିକିଟି ମୁଖ୍ୟ ରାସ୍ତା ପଦ୍ମନାଭପୁର ଶନି ମନ୍ଦିର ନିକଟରେ ତାଙ୍କ ଶବ ରଖାଯାଇ ରାସ୍ତା ଅବରୋଧ  କରାଯାଇଥିଲା । ଶିକ୍ଷକ ଜଣକ ଗତ ଦୁଇବର୍ଷ ପୂର୍ବେ ଗଜପତି ଜିଲ୍ଲା ମୋହନା ବ୍ଲକ ପିଣ୍ଡିକି ଗ୍ରାମ  ହାଇସ୍କୁଲରେ କ୍ରୀଡା ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ।ପ୍ରତି  ଦିନ ଭଳି ସେ ମଙ୍ଗଳବାର ସକାଳୁ ଘରୁ ନିଜ ବାଇକ ଯୋଗେ ପାଖାପାଖି ୫୦ କିମି ରାସ୍ତା ଅତିକ୍ରମ କରି ହାଇସ୍କୁଲ କୁ ଯାଇ ପୁଣି ଅପରାହ୍ନ ସାଢେ ୪ ଟାରେ  ଘରକୁ ଫେରୁଥିଲେ । ଏହି ସମୟରେ ଦିଗପହଣ୍ଡିରୁ ଗଜପତି ଜିଲ୍ଲା ମୋହନା ଅଭିମୁଖେ ଯାଉଥିବା ଏକ ହାଇୱା ଟ୍ରକ ସହ ଧକ୍କା ହୋଇଥିଲା । ସ୍ଥାନୀୟ ଲୋକଙ୍କ ସହଯୋଗ କ୍ରମେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ଦିଗପହଣ୍ଡି ମେଡିକାଲ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ଏହାପରେ ପାଟପୁର ପୁଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିବା ସହ ଥାନା ମାମଲା ନଂ. ୪୪୧/୨୫ ପ୍ରକାରେ ମକଦ୍ଦମା ରୁଜୁ କରିଥିଲା । ତେବେ ଦୁର୍ଘଟଣା ଘଟାଇ ଦ୍ରୁତ ଗତିରେ ଚମ୍ପଟ ମାରିଥିବା ଟ୍ରକକୁ ପୋଲିସ ଗୋଡ଼ାଇ ମୋହନା ଅଞ୍ଚଳରୁ ଧରିଥିଲା । ବୁଧବାର  ବ୍ରହ୍ମପୁର ବଡ଼ ମେଡ଼ିକାଲରେ ତାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ବୁଧବାର ଅପରାହ୍ନ ୩ ଟାରେ ମୃତଦେହ ଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ପକ୍ଷରୁ କ୍ଷତିପୂରଣ ଦାବିରେ  ଦୀର୍ଘ ୧ ଘଣ୍ଟା ରାସ୍ତାରୋକ କରାଯାଇଥିଲା । ଖବରପାଇ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ ଏବଂ ଥାନା ଅଧିକାରୀ ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକ ଓ ପରିବାର ସଦସ୍ୟ ମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିବା ଜଣାପଡିଛି । ଅପରପକ୍ଷରେ  ଟ୍ରକ୍ ଚାଳକକୁ ଥାନାରେ ଅଟକ ରଖାଯାଇଥିବା ପାଟପୁର ଥାନା ଅଧିକାରୀ ଦିପ୍ତିରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ