ଶିକ୍ଷା ଦାନ ଛାଡି ଗୋଷ୍ଠୀ କନ୍ଦଳରେ ଶିକ୍ଷକ ଶିକ୍ଷୟତ୍ରୀ: ପ୍ରତିବାଦରେ ଟାୟାର ଜାଳି ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
ହାଟଡିହି(ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଜଳସରପୁର ହାଇସ୍କୁଲରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଶିକ୍ଷାଦାନକୁ ଗୁରୁତ୍ୱ ନଦେଇ ଗୋଷ୍ଠୀ କନ୍ଦଳରେ ସମୟ ବିତାଉ ଥିବାବେଳେ ଏହାର ପ୍ରତିବାଦ କରି ଆଜି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଟାୟାର ଜାଳି ଜାବିନୀପୁର -ଗେଡ଼ମା ରାସ୍ତାକୁ ଅବରୋଧ କରି ବସିଥିଲେ। ସେମାନଙ୍କ ଅଭିଯୋଗ ଅନୁଯାଇ ବିଦ୍ୟାଳୟରେ ଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଭିନ୍ନ ଗୋଷ୍ଠିରେ ବିଭକ୍ତ ହୋଇ ରହୁଛନ୍ତି। ଶିକ୍ଷାଦାନ ପ୍ରତି କେହି ଯତ୍ନବାନ ହେଉ ନାହାନ୍ତି। ବିଜ୍ଞାନ ଶିକ୍ଷୟିତ୍ରୀ ସ୍କୁଲ କୁ ନିୟମିତ ଆସୁ ନଥିବା ବେଳେ ଠିକ ଭାବେ ପଢାଉ ନାହାନ୍ତି। ଏପରିକି ସେ ପାଠ ପଢ଼ାଇବା ବଦଳରେ ଭେଷ୍ଟିଜ କମ୍ପାନୀର ବ୍ୟବସାୟ କରୁଛନ୍ତି। ସେହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇ ସୁଝାଇ ବିକ୍ରୀ କରୁଛନ୍ତି। ଯେଉଁ ଛାତ୍ରଛାତ୍ରୀ ନାକିଣିବେ ତାଙ୍କୁ ଗାଳି ଗୁଲଜ କରୁଛନ୍ତି ବୋଲି ଛାତ୍ରଛାତ୍ରୀ ମାନେ ଅଭିଯୋଗ କରୁଛନ୍ତି। ଅନ୍ୟ ପକ୍ଷରେ ପ୍ରଧାନ ଶିକ୍ଷକ ଜଣକ କୌଣସି ଅଭିଯୋଗ ଶୁଣୁ ନଥିବା ବେଳେ ସେ ବି ଅନୁପସ୍ଥିତ ରହୁଥିବା ଅଭିଯୋଗ କରିଛନ୍ତି। ଗତକାଲି ଶାଳଣିଆଁ ବଜାରରେ ଜଣେ ଶିକ୍ଷୟତ୍ରୀ ସେହି ସ୍କୁଲର କିରାଣୀ ଓ ଜଣେ କର୍ମଚାରୀ ହାତାହାତି କରିବାକୁ ନେଇ ବିଦ୍ୟାଳୟ ରେ ଅସନ୍ତୋଷ ସୃଷ୍ଟି ହୋଇଛି। ଗତକାଲିର ଘଟଣାରେ ଉଭୟ ପକ୍ଷଙ୍କ ଅଭିଯୋଗ କ୍ରମେ ଦୁଇଟି ମାମଲା ରୁଜୁ ହୋଇଥିବା ତଦନ୍ତ କରି ଅଧିକାରୀ କହିଛନ୍ତି। ଗତକାଲିର ଘଟଣା ପରେ ଆଜି ପ୍ରଧାନ ଶିକ୍ଷକ, ବିଜ୍ଞାନ ଶିକ୍ଷୟିତ୍ରୀ, କିରାଣୀ ଓ ଅନ୍ୟ ଜଣେ କର୍ମଚାରୀ ଅନୁପସ୍ଥିତ ରହିବାରେ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ଘୋର ବିରୋଧ କରିଛନ୍ତି। ବିଦ୍ୟାଳୟ ଭଳି ଏକ ମନ୍ଦିରରେ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଏପରି ଆଚରଣରେ ଅତିଷ୍ଠ ହୋଇ ପଡିଛନ୍ତି ଛାତ୍ରଛାତ୍ରୀ। ଆଜି ସକାଳୁ ପ୍ରିୟଙ୍କା ମହାପାତ୍ର, ଶୁଭସ୍ମିତା ଚକ୍ର, ଅଭିଷେକ ଜେନା, ଶେଷଦେବ କାଣ୍ଡି, ମେଘନା କର, ବର୍ଷା ପ୍ରିୟଦର୍ଶନୀ ପଣ୍ଡା, ବନ୍ୟା ରାଣୀ ନାୟକ, ଅମର ସିଂ, ଅପର୍ଣ୍ଣା ଦେହୁରୀ, ସୌମ୍ୟଜିତ ଦାସ, କ୍ରିଷ୍ଣା ଦାସ, ପୃଥ୍ୱୀରାଜ ଖଣ୍ଡେଇ, ସାଇ ସତ୍ୟ ସ୍ୱରୂପ ଜେନା ଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ବିଭିନ୍ନ ଫ୍ଲାକ କାର୍ଡ ଧରି ଟାୟାର ଜାଳି ସକାଳ ୧୦ଟାରୁ ବସି ରହିଥିଲେ। ଏ ସମ୍ପର୍କରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ଆନନ୍ଦପୁର ବିଧାୟକଙ୍କୁ ପଚାରିବାରେ ଏହି ବିଦ୍ୟାଳୟରେ ଶିକ୍ଷାଦାନ କମ ରାଜନୀତି ଅଧିକ ବୋଲି କହିଛନ୍ତି। ତୁରନ୍ତ ଏହାର ସମାଧାନ କରାଯିବ ବୋଲି ସେ କହିଛନ୍ତି। ଖବର ପାଇ ହାଟଡିହି ତହସିଲଦାର ଶିବବ୍ରତ ତ୍ରିପାଠୀ, ନନ୍ଦିପଦା ଥାନା ଆଇ ଆଇ ସି ଧର୍ମେନ୍ଦ୍ର ଶାନ୍ତି ଘଟନସ୍ଥଳରେ ପହଞ୍ଚି ଛୁଆ ମାନଙ୍କୁ ବୁଝା ସୁଝା କରି ସେମାନଙ୍କ ଠାରୁ ଦାବି ପତ୍ର ଗ୍ରହଣ କରିବା ପରେ ଛାତ୍ରଛାତ୍ରୀ ମାନେ ରାସ୍ତାରୁ ହଟିଥିଲେ।

 
             
						 
						 
						 
						 
						 
						
