ୟୁନିଫାଏଡ୍ ଅଟୋମେସନ୍ ସିଷ୍ଟମ୍କୁ ଶିକ୍ଷକ ସଂଘର ବିରୋଧ
ଆସିକା (ୱାଇଏନ୍ଏସ୍) ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ୟୁନିଫାଏଡ୍ ଅଟୋମେସନ୍ ସିଷ୍ଟମ୍ ଲାଗୁ ହେବାକୁ ଯାଇଛି । ଏହାଦ୍ୱାରା ଶିକ୍ଷକମାନେ ବିଦ୍ୟାଳୟକୁ ଯିବା ପରେ ନିଜ ମୋବାଇଲ୍ ଫୋନ୍ରେ କ୍ଳକ୍ଇନ୍ କରିବେ ଓ ବିଦ୍ୟାଳୟ ଛାଡିବା ସମୟରେ କ୍ଳକ୍ଆଉଟ୍ କରିବା ନିୟମ କରାଯାଇଛି । ତେବେ ସରକାରଙ୍କ ପକ୍ଷରୁ ବିଦ୍ୟାଳୟ ଗୁଡିକର ଭିତ୍ତିଭୂମୀକୁ ସୁଦୃଢ ନକରି ଏହି ୟୁନିଫାଏଡ୍ ଅଟୋମେସନ୍ ସିଷ୍ଟମ୍ ଲାଗି କରିବା ଲାଗି ଚାଲିଥିବା ପ୍ରୟାସକୁ ସାଂପ୍ରତିକ ପରିସ୍ଥିତିରେ ସ୍ଥଗିତ ରଖି ଆନୁସାଙ୍ଗିକ ସୁବିଧା ସୁଯୋଗ ଯୋଗାଇଦେବା ପରେ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନେବାକୁ ଦାବୀ କରି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍, ହରିପୁର ରୋଡ୍, କଟକ ୧/୫ ଖାରାବେଳ ନଗର ସହ ଅନୁବନ୍ଧିତ ଆସିକା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୁରବାର ଅପରାହ୍ନରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆସିକା ବିଇଓଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି । ଆସିକା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶିବରାମ ଗୌଡ ଓ ସଂପାଦକ ଅର୍ଜୁନ ନାହାକଙ୍କ ନେତୃତ୍ୱରେ ସଂଘର ବହୁ ସଦସ୍ୟ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ପହଞ୍ଚି ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ଓ ଭଂଜ ବେହେରା ଏବଂ ଶିବରାମ ବେହେରାଙ୍କୁ ଦାବୀପତ୍ର ପ୍ରଦାନ କରିଥିବା ଜଣାପଡିଛି । ଦରମା ଅସଙ୍ଗତି ଦୂର କରିବା, ସମାନ କାମକୁ ସମାନ ଦରମା ପ୍ରଦାନ କରିବା, ପୁରୁଣା ପେନସନ୍ ଲାଗୁ କରିବା, ଶିକ୍ଷା ସହାୟକ ଅବଧିର ୬ ବର୍ଷକୁ ମୂଳ ଚାକିରୀରେ ଗଣନା କରାଯାଇ ୬ଗୋଟି ଇନ୍କ୍ରିମେଣ୍ଟ ପ୍ରଦାନ କରିବା, ନିୟମିତ ପଦୋନ୍ନତି ଦେବା, ୨୦୧୧ ମସିହା ପୂର୍ବରୁ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କ ପାଇଁ ଓଟିଇଟି ଉଚ୍ଛେଦ କରିବା, ଓଟିଇଟି ଆଳରେ ନିୟମିତ ହେବାରୁ ବଞ୍ଚିତ ଗଣଶିକ୍ଷକଙ୍କୁ ନିୟୋଜିତ କରିବା, ପାର୍ଟଶିକ୍ଷକଙ୍କୁ ମୁଖ୍ୟସ୍ରୋତରେ ସାମିଲ୍ କରିବା, ଶ୍ରେଣୀସଂଖ୍ୟା ଅନୁଯାୟୀ ପ୍ରତି ଶ୍ରେଣୀକୁ ଜଣେ ଶିକ୍ଷକ ନିଯୁକ୍ତି କରିବା ସମେତ ଅନ୍ୟାନ୍ୟ ଦାବୀ ପୂରଣ ଦିଗରେ ପଦକ୍ଷେପ ନେବା ସାଙ୍ଗକୁ ଆନୁସାଙ୍ଗିକ ସୁବିଧା ସୁଯୋଗ ବିଦ୍ୟାଳୟ ଗୁଡିକରେ ଯୋଗାଇଦେବା ପରେ ୟୁଏଏସ୍ ବ୍ୟବସ୍ଥା ଲାଗୁ କରିବାକୁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଥିବା ଜଣାପଡିଛି । ରାଜ୍ୟ ସରକାର ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଏବଂ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ କର୍ତ୍ତୃପକ୍ଷ ବାସ୍ତବ ସମସ୍ୟାକୁ ହୃଦୟଙ୍ଗମ କରି ନ୍ୟାୟୋଚିତ ଦାବୀ ପୂରଣ କରିବା ଦିଗରେ ପଦକ୍ଷେପ ନେବାକୁ ଆସିକା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶିବରାମ ଗୌଡ, ସଂପାଦକ ଅର୍ଜୁନ ନାହାକ, ସକ୍ରିୟ ସଦସ୍ୟ ସିମାଞ୍ଚଳ ସାହୁ, ବ୍ରଜମୋହନ ପାତ୍ର, ଅମୀୟସିନ୍ଧୁ ମୁନି, ଭବାନୀ ଶଙ୍କର ପାତ୍ର, ଶୁଭେନ୍ଦୁ ଶେଖର ଜେନା, ପାଣ୍ଡବ ନାୟକ, ଉମାଶଙ୍କର ପାତ୍ର, ଗୌରୀଶଙ୍କର ପାତ୍ର, ସନ୍ତୋଷ କୁମାର ସେଠୀ, ଅର୍ଜୁନ ସ୍ୱାଇଁ, ଗୁରୁପ୍ରସାଦ ଗୌଡ, ମନୋରମା ପାତ୍ର, ଅର୍ଚ୍ଚନା ବେହେରା, ସୌଦାମିନୀ ହୋତା, ବରୁଣ ବେହେରା, ବାଳକୃଷ୍ଣ ସ୍ୱାଇଁ, ଅବନୀକାନ୍ତ ବେହେରା, ବିପିନ୍ ବିହାରୀ ମହାପାତ୍ର, ପ୍ରଭାକର ବିଷୋୟୀଙ୍କ ସମେତ ବହୁ ସଦସ୍ୟ ଅନୁରୋଧ କରିଥିବା ଜଣାପଡିଛି