୨୦୧୨ରୁ ଟେଣ୍ଡର ହେଉନି : କିଛି ମାସ ମଧ୍ୟରେ ପରିବର୍ତ୍ତନ ହେବ ଛତୁଆ କେନ୍ଦ୍ର
କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ) :-୧୭/୦୨-ରାଜ୍ୟ ସରକାର ଅପପୃଷ୍ଟି ରୋକିବା ପାଈଁ ଗର୍ଭବତୀ, ପ୍ରସୂତି ମହିଳା, ଶିଶୁ ଓ କିଶୋରୀ ମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେଉଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଥିବା ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ମାଧ୍ୟମରେ ଛତୁଆ, ହାଲୁଆ (ସୁଜି ), ଖଜୁରୀ, ରାଶି ଲଡ଼ୁ, ମୁଡି, ସୋଲା ଓ ଅଣ୍ଡା ଆଦି ହିତାଧିକାରୀ ଙ୍କୁ ଅଙ୍ଗନବାଡି କେନ୍ଦ୍ର ଜରିଆରେ ପ୍ରଦାନ କରାଯାଉଛି। ଏହା ମଧ୍ୟରୁ କେବଳ ଅଣ୍ଡାକୁ ଅଙ୍ଗନବାଡି କେନ୍ଦ୍ରର କର୍ମୀ ମାନେ ବଜାରରୁ କିଣି ହିତାଧିକାରୀଙ୍କୁ ଦେଉଥିବା ବେଳେ ଅନ୍ୟ ସମସ୍ତ ସାମଗ୍ରୀ କୁ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ଯୋଗାଇ ଦେଉଛନ୍ତି। ଆଶ୍ଚଯ୍ୟର ବିଷୟ ୨୦୧୧-୨୦୧୨ମସିହାରେ ଟେଣ୍ଡର ପ୍ରକ୍ରିୟାରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏହି ପୁଷ୍ଟିକର ସାମଗ୍ରୀ ଯୋଗାଇ ଦେବାକୁ ଚୟନ କରାଯାଇଥିଲା। ଯାହା ଏ ପର୍ଯ୍ୟନ୍ତ ଗତାନୁଗତିକ ପନ୍ଥାରେ ଚାଲିଛି। ସେହି ସମୟରେ ହୋଇଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ବିଭାଗର ବିଭିନ୍ନ ଅଧିକାରୀ ଓ ରାଜନେତା ଙ୍କୁ ହାତ କରି ପୁନଃ ଟେଣ୍ଡର ନ କରାଇ ନବୀକରଣ କାର୍ଯ୍ୟ ସାରି ଦେଉଛନ୍ତି। ଫଳରେ ନିମ୍ନ ମାନର ଓ କମ୍ ଓଜନର ଛତୁଆ ସହ ଅନ୍ୟାନ୍ୟ ସାମଗ୍ରୀ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଥିବା ସମ୍ପର୍କରେ ବିଭିନ୍ନ ସମୟରେ ସାମାଜିକ ଗଣମାଧ୍ୟ୍ୟମରେ ପ୍ରକାଶ ପାଉଛି। ପୁରୀ ଜିଲ୍ଲା କାକଟପୁର ବ୍ଲକରେ ଥିବା ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ ୧୮୨ଟି ଅଙ୍ଗନବାଡି କେନ୍ଦ୍ର ରହିଛି। ଏହି ସମସ୍ତ କେନ୍ଦ୍ର ପାଈଁ କାକଟପୁର ବ୍ଲକର ୨ଟି ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଦାୟିତ୍ୱ ଦିଆଯାଇଛି। ଦାୟିତ୍ୱରେ ଥିବା ଏହି ଗୋଷ୍ଠୀ ଦ୍ବୟ ନିମ୍ନମାନର, କମ୍ ଓଜନର ଛତୁଆ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଉଥିବା ବେଳେ ନିମ୍ନ ମାନର ସାମଗ୍ରୀ ଯୋଗାଉ ଥିବା ଅନେକ ସମୟରେ ଅଭିଯୋଗ ଆସିଛି ତାହା ସହିତ ତଦନ୍ତ ମଧ୍ୟ ହୋଇଥିବାର ଘଟଣା ସାମ୍ନାକୁ ଆସିଛି। କିଛି ବର୍ଷ ତଳେ ଖଜୁରୀ କୋଳି ପ୍ୟାକେଟରେ ପୋକ ବାହାରିବା ଭଳି ଫୋଟ ଭାଇରାଲ ହୋଇଥିଲା। ଏଭଳି ସମ୍ବେଦନଶୀଳ ଘଟଣା ଘଟି ଚାଲିଥିଲେ ମଧ୍ୟ ଏହି ଦୁଇ ଗୋଷ୍ଠୀଙ୍କୁ ପୁନର୍ବାର ଛତୁଆ ଓ ଅନ୍ୟାନ୍ୟ ପୁଷ୍ଟିକର ସାମଗ୍ରୀ ବଣ୍ଟନ ପାଈଁ ଦାୟିତ୍ୱ ଦେବାକୁ ବିଭାଗ ଅଣ୍ଟା ଭିଡିଛି। ଏ ନେଇ ଆବଶ୍ୟକ ପ୍ରସ୍ତୁତି କରିବା ନିହାତି ଆବଶ୍ୟକ ବୋଲି ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି। ସୋମବାର କାକଟପୁର ବ୍ଲକ ଅଂଚଳରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଗଣମାଧ୍ୟ୍ୟମ ପ୍ରତିନିଧି ଛତୁଆ କେନ୍ଦ୍ର କୁ ନେଇ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉତ୍ତର ରଖିଛନ୍ତି କାକଟପୁର ବ୍ଲକ ଅଂଚଳରେ ଥିବା ଦୁଇଟି ଛତୁଆ କେନ୍ଦ୍ର ଖୁବ ଶୀଘ୍ର ଜୁନ କିମ୍ବା ଜୁଲାଇ ମାସ ମଧ୍ୟ୍ୟରେ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯିବ।ଏଥିପାଇଁ ଖୁବ ଶୀଘ୍ର ପୁରୀ ଜିଲ୍ଲାପାଳ, ବ୍ଲକର ବିଡ଼ିଓ, ତହସିଲଦାର, ମେଡିକାଲ ଅଫିସର, ମିଶନ ଶକ୍ତି ବ୍ଲକ ପ୍ରକଳ୍ପ ସଂଯୋଜକ ଓ ସିଡିପିଓ ମାଧ୍ୟ୍ୟମ ଏକ ସ୍ୱତନ୍ତ୍ର ବୈଠକ କରି ପୁନଃ ଟେଣ୍ଡର କରାଯିବ।ଏଠାରେ ପ୍ରଶ୍ନ ଉଠୁଛି, ଛତୁଆ ଓ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ଯୋଗାଣ କରୁଥିବା ଗୋଷ୍ଠୀ ଙ୍କ ବିରୁଦ୍ଧରେ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ସେମାନଙ୍କୁ ପୁନର୍ବାର ବଣ୍ଟନ ଦାୟିତ୍ୱ ଦେବା ପାଈଁ ଜିଲ୍ଲା ପ୍ରଶାସନ ଅନୁକମ୍ପା ଦେଖାଉଛି କାହିଁକି ?ଶହ ଶହ ସଂଖ୍ୟାରେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ହୋଇଥିଲେ ମଧ୍ୟ ଟେଣ୍ଡର ନ ହେବା କାରଣରୁ ଅନ୍ୟ ମାନେ ଏଭଳି ଦାୟିତ୍ୱ ନେବାରୁ ବଂଚିତ ହେଉଛନ୍ତି। ୨୦୧୧-୨୦୧୨ମସିହାରୁ ଟେଣ୍ଡର ପାଈଁ ଛତୁଆ ବଣ୍ଟନ ଦାୟିତ୍ୱ ନେଇଥିବା ଗୋଷ୍ଠୀଙ୍କ ପାଈଁ ପ୍ରତିବର୍ଷ କାହିଁକି ନବୀକରଣ କାମ ଚାଲିଛି, ତାହା ତଦନ୍ତ ସାପେକ୍ଷ।


