ହିଞ୍ଜିଳିକାଟୁରେ ଲୁଟେରାଙ୍କ ଆତଙ୍କ : ଏସି ତମ୍ବା ତାର ସିରିଜ ଲୁଟ୍
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗତ କିଛି ଦିନ ଧରି ହିଞ୍ଜିଳିକାଟୁ ଅଞ୍ଚଳରେ ଲୁଟେରାଙ୍କ ପାଦୃଭାବ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ବିଶେଷ କରି ଏକ ନିର୍ଦ୍ଦିଷ୍ଟ ଲୁଟେରା ଗ୍ୟାଙ୍ଗ ସହରର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ସଂଯୋଗ ଥିବା ଶୀତତାପ ନିୟନ୍ତ୍ରିତ ଯନ୍ତ୍ରରେ ସଂଯୋଗ ଥିବା ତମ୍ବା ତାର ସହ ବିଦ୍ୟୁତ୍ ତାର ଲୁଟି ନେଉଥିବା ଦେଖିବାକୁ ମିଳିଛି। ସଂପୃକ୍ତ ନିର୍ଦ୍ଧିଷ୍ଟ ଲୁଟେରା ଗୋଷ୍ଠୀ ସିରିଜ ଲୁଟ୍ କରି ଫେରାର ହେବାରେ ସକ୍ଷମ ହେଉଛନ୍ତି। ଦିନକୁ ଦିନ ସ୍ଥାନୀୟ ଅଞ୍ଚଳରେ ଲୁଟ୍ ବୃଦ୍ଧି ପାଉଥିବା ବେଳେ ଲୁଟେରା ଗୋଷ୍ଠୀଙ୍କୁ କାବୁ କରିବାରେ ସ୍ଥାନୀୟ ପୁଲିସ ପ୍ରଶାସନ ସମ୍ପୁର୍ଣ୍ଣ ବିଫଳ ହୋଇଛି। ଯଦ୍ବରା ପୁଲିସର ପାରିବା ପଣ ପଦାରେ ପଡିଛି । ନିର୍ଦ୍ଧିଷ୍ଟ ଭାବେ କେବଳ ସ୍ଥାନୀୟ ପୌରାଞ୍ଚଳର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସଂଯୋଗ ଥିବା ଶୀତତାପ ନିୟନ୍ତ୍ରିତ ଯନ୍ତ୍ରରେ ବ୍ୟବହୃତ ତମ୍ବା ତାର ଓ ବିଦ୍ୟୁତ୍ ତାର ଲୁଟ୍ ଘଟଣା ଘଟିଛି।
ରବିବାର ସ୍ଥାନୀୟ ପୌରାଞ୍ଚଳରେ ପଞ୍ଚୁଦଣ୍ଡ ମହାମିଳନ ଚାଲିଥିବା ବେଳେ ଲୁଟେରା ଗୋଷ୍ଠୀ ହିଞ୍ଜିଳିକାଟୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସଂଯୋଗ ଥିବା ୭ଟି ଶୀତତାପ ନିୟନ୍ତ୍ରିତ ଯନ୍ତ୍ରରେ ସଂଯୋଗ ଥିବା ତମ୍ବା ତାର ଓ ବିଦ୍ୟୁତ୍ ତାର କାଟି ଲୁଟି ନେବାରେ ସକ୍ଷମ ହୋଇଛନ୍ତି। ସେହିପରି ରବିବାର ସ୍ଥାନୀୟ ପୌରାଞ୍ଚଳ ଲକ୍ଷ୍ମୀ ବଜାର ଏକ ଚଷମା ଦୋକାନ ସହ ପ୍ରତାପ କୁମାର ସାହୁ ଓ ବଟକୃଷ୍ଣ ସାହୁଙ୍କ ଘର ଛାତ ଉପରୁ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରରେ ବ୍ୟବହୃତ ତମ୍ବା ତାର ଓ ବିଦ୍ୟୁତ୍ ତାରକୁ ଲୁଟେରା ଗୋଷ୍ଠୀ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଘଟଣା ନେଇ ହିଞ୍ଜିଳିକାଟୁ ବିଡ଼ିଓ ସାଗରୀକା ଷଡ଼ଙ୍ଗୀ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ବ୍ଳକ କାର୍ଯ୍ୟାଳୟ ଓ ଲକ୍ଷ୍ମୀ ବଜାର ନିକଟସ୍ଥ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ଘଟଣାର ତଦନ୍ତ ଚଳାଇଛି। ତେବେ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ରାତ୍ର ଜଗୁଆଳ ନିୟୋଜିତ ଥିଲେ କି ନାହିଁ? ଯଦି ଥିଲେ ଲୁଟ୍ ସୁରାକ କିପରି ପାଇପାରିବେ ନାହିଁ, ତାହା ସନ୍ଦେହ ଘେରରେ ରହିଛି। ଗତ କିଛି ଦିନ ଧରି ହିଞ୍ଜିଳି ଥାନା ଇଲାକାରେ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହେବା ସହ ଗୋଟିଏ ପରେ ଗୋଟିଏ ଲୁଟ୍ କରି ଫେରାର ହେବାରେ ସକ୍ଷମ ହେଉଥିବା ବେଳେ ସଂପୃକ୍ତ ଲୁଟେରା ଗ୍ୟାଙ୍ଗଙ୍କୁ କାବୁ କରିବାରେ ସ୍ଥାନୀୟ ପୁଲିସ ପ୍ରଶାସନ ସମ୍ପୁର୍ଣ୍ଣ ବିଫଳ ହୋଇଛି। ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ରାତ୍ରୀକାଳୀନ ପାଟ୍ରୋଲି° କଡାକଡି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ନେଇ ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କୁ ପଚାରିବାରୁ ସେ କୁହନ୍ତି ଘଟଣାର ତଦନ୍ତ ଚାଲିଛି, ଯଥାଶୀଘ୍ର ଲୁଟେରା ଗୋଷ୍ଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ।


