ଧାଇପୋଖରୀ ଗ୍ରାମରୁ ଜବର ଦଖଲ ଉଠାଇ ପାରୁନି ପ୍ରଶାସନ
ହାଟଡିହି (ଓ୍ବାଇଏନଏସ): ହାଟଡିହି ତହସିଲ ଅଧିନସ୍ଥ ଧାଇପୋଖରୀ ଗ୍ରାମରୁ ଜବର ଦଖଲ ଉଠାଇ ପାରୁନି ପ୍ରଶାସନ। ଗ୍ରାମବାସୀ ମାନେ ୨୦୨୩ ମସିହାରୁ ବାରମ୍ବାର ଆବେଦନ କରୁଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାଇ ଗ୍ରାମରେ ଥିବା ଅନେକ ଗୋଚର, ଗୋଦଣ୍ଡା, ଅନାବାଦୀ, ସରକାରୀ ଜମି ଜବରଦଖଲ ହୋଇଛି। ଯାହାଦ୍ୱାରା ଅନେକ ସମୟରେ ନାନା ସମସ୍ୟା ସୃଷ୍ଟି ହେଉଛି। ଗୋରୁ ଗାଈ ଚରିବାକୁ ସ୍ଥାନ ପାଉ ନଥିବା ବେଳେ ପିଲା ମାନେ ଖେଳାକୁଦ କରୁଥିବା ପଡିଆ ମଧ୍ୟ ସଂକୁଚିତ ହୋଇ ପଡିଛି। ଏହାକୁ ଦୃଷ୍ଟିରେ ରଖି ଗ୍ରାମବାସୀ ମାନେ ମିଳିତ ହୋଇ ବୈଠକ କରି ଜବର ଦଖଲ ଉଠାଇବାକୁ ସହମତି ପ୍ରକାଶ କରିବା ପରେ ୨୦୨୩ ମସିହାରେ ଗୋଚର, ଗୋଦଣ୍ଡା, ଅନାବାଦୀ, ସରକାରୀ ଜମି ଚିହ୍ନଟ ପାଇଁ ହାଟଡିହି ତହସିଲଦାରଙ୍କୁ ଅବଗତ କରାଇଥିଲେ। ତହସିଲ କର୍ତ୍ତୃପକ୍ଷ ଏନେଇ କିଛିଦିନ ସମୟ ମାଗିଥିଲେ। କିନ୍ତୁ ଇତି ମଧ୍ୟରେ ତିନିବର୍ଷ ବିତିଲାଣି, ଚାରି ଚାରି ଜଣ ତହସିଲଦାରଙ୍କ ବଦଳି ହେଲାଣି, କିନ୍ତୁ ଗ୍ରାମବାସୀଙ୍କ ଆବେଦନର କିଛି ସୁଫଳ ମିଳି ପାରିଲାନି ବୋଲି ଅରୁଣ କୁମାର ମଲ୍ଲିକ, ଅନାଦି ନାୟକ, ନିରାକାର ଜେନା, ରାହାସ ବିହାରୀ ନାୟକ, ପବିତ୍ର ସା, ରବୀନ୍ଦ୍ର ପେରେଇ, ରମେଶ ନାୟକ, ସୁଧାକର ପେରେଇ ପ୍ରମୁଖ ଗ୍ରାମବାସୀ ମାନେ କହିଛନ୍ତି। ଆଜି ଗ୍ରାମବାସୀ ଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ ବର୍ତ୍ତମାନ ର ତହସିଲଦାର ଙ୍କୁ ଭେଟି ସରକାରୀ ଜମି ଚିହ୍ନଟ ପାଇଁ ପୁନଃ ନିବେଦନ କରିଛନ୍ତି। ତହସିଲଦାର ଅତିଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଥିବା ଗ୍ରାମବାସୀ ମାନେ କହିଛନ୍ତି।


