ମାର୍ଚ୍ଚ ୬ରୁ ସର୍ବଭାରତୀୟ ଟିଲୋ କପ ଆରମ୍ଭ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ଟିଲୋସ୍ଥିତ ହନୁମାନ ଜୀଉ ଷ୍ଟାଡିୟମ ଠାରେ ଓଡିଶା କ୍ରିକେଟ ଆସୋସିଏସନ ସହଯୋଗରେ ମାର୍ଚ୍ଚ ୬ରୁ ସର୍ବଭାରତୀୟ ଟିଲୋ କପର ୩୦ତମ ସଂସ୍କରଣ ଆରମ୍ଭ ହୋଇ ମାର୍ଚ୍ଚ ୧୫ରେ ଶେଷ ହେବ । ଏନେଇ ଆଜି ଷ୍ଟାଡିୟମ ପରିସରରେ ଭୁବନେଶ୍ୱରସ୍ଥିତ ଗୀତା ଇଞ୍ଜିନୟରିଂ କଲେଜର ଅଧ୍ୟକ୍ଷ ଡ.ମନ୍ମଥ କୁମାର ରାଉଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଟିଲୋ ଆଥ୍‌ଲେଟିକ୍ ଆସୋସିଏସନ ଦ୍ୱାରା ଆୟୋଜିତ ପ୍ରତିଷ୍ଠିତ ଟି ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଦେଶର ୮ଟି ପ୍ରତିଷ୍ଠିତ ଦଳ ଅଂଶ ଗ୍ରହଣ କରିବେ । ସେଥିମଧ୍ୟରୁ ଓଡିଶାରେ ଗୋଟିଏ ଦଳ ରହିଥିବା ବେଳେ ରାଜ୍ୟ ବାହାରୁ ୭ ଦଳ ରହିଛନ୍ତି । ଦୁଇ ଗୋଟି ଟର୍ଫ ୱିକେଟରେ ୧୫ଟି ମ୍ୟାଚ୍ ଅନୁଷ୍ଠିତ ହେବ । ୮ ଗୋଟି ଦଳରେ ୫୦ରୁ ଉର୍ଦ୍ଧ୍ୱ ପୂର୍ବରୁ ଆଇପିଏଲ ଖେଳିଥିବା ଏବଂ ଚଳିତ ବର୍ଷ ଆଇପିଏଲ ଖେଳିବାକୁ ଯାଉଥିବା ଖେଳାଳୀ ରହିଛନ୍ତି । ସେଥିମଧ୍ୟରେ ଇଣ୍ଡିଆ ଏ-ଟିମ୍‌ର ଖେଳାଳୀ, ଇଣ୍ଡିଆ ଅଣ୍ଡର ୧୯ ଖେଳାଳୀ, ଇରାନୀ ଟ୍ରଫି ଖେଳାଳୀ, ବିଜୟ ହଜାରେ ଚମ୍ପିୟନ ହୋଇଥିବା ଏବର୍ଷର ଖେଳାଳୀ ମାନେ ରହିଥିବା ସୂଚନା ଦିଆଯାଇଛି । ସେହିପରି ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ଓ ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ କ୍ରୀଡା ମନ୍ତ୍ରୀ, ଭଦ୍ରକ ସାଂସଦ, ବିଧାୟକ, ଜିଲାପାଳ, ବ୍ଲକ ଅଧ୍ୟକ୍ଷଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି ମାନଙ୍କୁ ଆଣିବା ପାଇଁ ଯୋଗାଯୋଗ କରାଯାଇଛି ବୋଲି ଆଥଲେଟିକ୍ ଆସୋସିଏସର ସଭାପତି ଇଂ.ଲକି ମାଷ୍ଟର ସ୍ୱାଇଁ ସୂଚନା ଦେଇଛନ୍ତି । ସମ୍ମିଳନୀରେ ଉପଦେଷ୍ଟା ମନମୋହନ ସାହୁ, ଅବସରପ୍ରାପ୍ତ କ୍ରୀଡା ଅଧ୍ୟାପକ ରମେଶ ଚନ୍ଦ୍ର ବେହୁରା, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ଅବସରପ୍ରାପ୍ତ ଶିକ୍ଷକ ସୁଧାଂଶୁ ଶେଖର ମହାନ୍ତି, ପ୍ରଶାନ୍ତ କୁମାର ପୃଷ୍ଟି, ଟିଲୋ ସମିତି ସଭ୍ୟା ପ୍ରତିନିଧି ଉମେଶ ଚନ୍ଦ୍ର ସେଠୀ ମଞ୍ଚାସୀନ ଥିଲେ । ଶିକ୍ଷକ ସୁକାନ୍ତ କୁମାର ବେହେରା ଅତିଥି ପରିଚୟ ଓ ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଏଲ.ଅମରଜିତ୍ ସ୍ୱାଇଁ, ଅସିତ୍ କର, ପୂର୍ଣ୍ଣେନ୍ଦୁ ଜେନା, ଧନେଶ୍ୱର ଧଳ, ପ୍ରକାଶ ସ୍ୱାଇଁ, ବିଭୁତି ପଲେଇ, ସୁବ୍ରତ ପୃଷ୍ଟି, ସନ୍ତୋଷ ଧଳ, ପର୍ଶୁରାମ ସାହୁ, ମଳୟ କୁଅଁର, ପ୍ରକାଶ ରାଉତ, ପ୍ରସେନଜିତ ରାଜ, ଦୁଲିଆ ଲେଙ୍କା, ଗୋବିନ୍ଦ ଧଳ, ବାପୁ ବିଶ୍ୱାଳ, ମାଧବ ବିଶ୍ୱାଳ, ସନାତନ ନାୟକ, ଖଜ ବେହେରା, ଅର୍ଜ୍ଜୁନ ପଢିଆରୀ, ଶଙ୍କର୍ଷଣ ଧଳ ପ୍ରମୁଖ ସହଯୋଗ କରିଥିଲେ । ପ୍ରକାଶ ଥାଉକି, ଏଠାରେ ବିଗତ ଦିନରେ ଆନ୍ତର୍ଜାତୀୟ ସ୍ତରରେ ଖେଳ ହେଉଥିବା ବେଳେ ସୁରକ୍ଷା ଜନିତ କଟକଣା ପାଇଁ ବିଗତ ୩ ବର୍ଷ ଧରି ସର୍ବଭାରତୀୟ ଖେଳ ଅନୁଷ୍ଠିତ ହେଉଛି । ଗତ ୨୦୦୨ ମସିହାରେ ଭରାତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏଠାରେ ଖେଳିଥିବା ବେଳେ ବାଙ୍ଗଲାଦେଶ, ମାଲେସିଆ, ନେପାଳ, ଆଫଗାନିସ୍ତାନ ଆଦି ଦଳ ଏଠାରେ ଖେଳିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ