ନିମ୍ନମାନର ରଙ୍ଗ ବ୍ୟବହାର ଯୋଗୁଁ ଆସିକା ସହରରେ ଚମକ ହରାଉଛି ପ୍ରାଚୀର ସୌନ୍ଦର୍ଯ୍ୟ
ଆସିକା (ୱାଇଏନ୍ଏସ୍) : ଆସିକା ସହରକୁ ସୁନ୍ଦର କରିବାକୁ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଆର୍ଥିକ ଅନୁଦାନରେ ଆଖିବୁଜା ଟଙ୍କା ଖର୍ଚ୍ଚ ହେବାରେ ଲାଗିଛି । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତାପାଶ୍ୱର୍ ପାଚେରୀ ଗୁଡିକରେ ଭଳିକି ଭଳି ୱାଲ୍ ପେଣ୍ଟିଂ କରାଯାଉଛି । ଆସିକା ସହରର କେତେକ ସ୍ଥାନରେ ୱାଲ୍ ପେଣ୍ଟିଂ ଗୁଡିକ ମାତ୍ର କିିଛି ଦିନ ମଧ୍ୟରେ ନଷ୍ଟ ହେବାକୁ ବସୁଥିବା ଯୋଗୁଁ ନିମ୍ନମାନର ରଙ୍ଗ କେତେକ ସ୍ଥାନରେ ବ୍ୟବହାର କରାଯାଉଛି ବୋଲି ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ଆସିକା ସହରର ୧୪ ନମ୍ବର ୱାର୍ଡର ନିରଞ୍ଜନ ନଗର ଅଞ୍ଚଳରେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ ଯୋଜନାରେ ହୋଇଥିବା କେତେକ ପାଚେରୀ ସୌନ୍ଦର୍ଯ୍ୟକରଣ କାମକୁ ମାସ ମାସ ବିତିଯାଇଥିଲେ ମଧ୍ୟ ଅସ୍ପଷ୍ଟ ସୂଚନା ଫଳକ ଲେଖାଯିବା ଘଟଣାକୁ ନେଇ ସାଧାରଣରେ ନାନା କଥା ଆଲୋଚିତ ହେଉଥିଲା ବେଳେ ଦାୟିତ୍ୱରେ ଥିବା କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ଶୈଳୀ ପ୍ରତି ମଧ୍ୟ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । ବିଗତ ଦିନରେ ଆସିକା ସହରର କେଉଁ କେଉଁ ପାଚେରୀ ସୌନ୍ଦର୍ଯ୍ୟକରଣ କରାଯାଇ କେତେକ ଟଙ୍କା ବିଲ୍ କରାଯାଇଛି ତାହାର ଏକ ସ୍ୱତନ୍ତ୍ର ଅଡିଟ୍ କରିବା ପାଇଁ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ ଏବଂ ଦୁର୍ନିତି ବିରୋଧରେ ଆମେ ସଂଗଠନର ସଭାପତି ପ୍ରସନ୍ନ କୁମାର ତ୍ରିପାଠୀ ଦୃଢ ଦାବୀ କରିଛନ୍ତି । ରଙ୍ଗର କାନ୍ଭାସ୍ରେ ଆସିକା ସହରର ବିଭିନ୍ନ ସାହିବସ୍ତିର ମୁଖ୍ୟରାସ୍ତା ପାଶ୍ୱର୍ର ପାଚେରୀରେ ଚମକୁଥିବା ସୌନ୍ଦର୍ଯ୍ୟକରଣ ଚିତ୍ରକଳା ମାତ୍ର କିଛି ଦିନ ମଧ୍ୟରେ ନଷ୍ଟ ହେବା ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ବହୁ ବରିଷ୍ଠ ତଥା ଅଭିଜ୍ଞ ଚିତ୍ରକଳା କାରିଗର ଥିଲେ ମଧ୍ୟ ଜିଲ୍ଲା ବାହାରୁ ଚିତ୍ରକରମାନଙ୍କୁ ଆଣି ବିଭିନ୍ନ ସମୟରେ ପାଚେରୀ ସୌନ୍ଦର୍ଯୀକରଣ କରାଯିବା ଘଟଣାକୁ ନେଇ ସାଧାରଣରେ ନାନା କଥା ଚର୍ଚ୍ଚା ହେଉଛି । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଆର୍ଥିକ ଅନୁଦାନରେ ବିଗତ କିଛି ମାସ ମଧ୍ୟରେ ଆସିକା ସହରର ବିଭିନ୍ନ ସାହିବସ୍ତିରେ ହୋଇଥିବା କେତେକ ପ୍ରାଚୀର ଚିତ୍ର ମାତ୍ର ଅଳ୍ପ ଦିନ ମଧ୍ୟରେ ରଙ୍ଗ ଫିକା ପଡିଯାଇଥିବା ଅଭିଯୋଗ ହେଉଛି । ଅତୀତରେ ସହରର ଶୋଭା ବଢାଉଥିବା କେତେକ ମନଲୋଭା କାନ୍ଥଚିତ୍ର କେଉଁ କାରଣରୁ ମାତ୍ର ଅଳ୍ପ ଦିନ ମଧ୍ୟରେ କଦର୍ଯ୍ୟ ଦିଶିବାକୁ ବସିଲାଣି ତାହାର ଏକ ଉଚ୍ଚସ୍ତରୀୟ ତଦନ୍ତ ଜରୁରୀ ହୋଇପଡିଛି । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ସହରର ପାଚେରୀ ଗୁଡିକରେ କାନ୍ଥଚିତ୍ର କରାଯାଉଛି ମାତ୍ର କେଇଟା ଦିନ ପରେ ସେସବୁ ଶୋଭା ହରାଇବସୁଥିବା ଅଭିଯୋଗ ହେଉଛି । ଖରା ବର୍ଷ ସାଙ୍ଗକୁ କମ୍ ସମୟରେ ନଷ୍ଟ ନହେବା ଭଳି ରଙ୍ଗ ବ୍ୟବହାର କରାଯାଉନଥିବା ଅଭିଯୋଗ ବି ହେଉଛି । ଆରମ୍ଭରୁ ଭଲ ଦିଶୁଥିବା ଚିତ୍ରଗୁଡିକ ମାତ୍ର କିଛି ଦିନ ପରେ ରଙ୍ଗ ଛାଡି ଫିକା ଦିଶୁଛି । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ତୁରନ୍ତ ଧ୍ୟାନ ଦେଇ କେଉଁ ନୀତିନିୟମକୁ ଆଧାର କରି ଆସିକା ସହରର ବିଭିନ୍ନ ସାହିବସ୍ତିର ପାଚେରୀରେ ସୌନ୍ଦର୍ଯ୍ୟକରଣ ପାଇଁ କରାଯାଇଥିବା ଚିତ୍ରକଳା ମଧ୍ୟରୁ କେତେକ ଚିତ୍ରକଳା ମାତ୍ର କିଛି ଦିନ ମଧ୍ୟରେ ମଳିନ ତଥା ଫିକା ପଡିବାରେ ଲାଗିଛି ତାହାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ ଏବଂ ଦୁର୍ନିତି ବିରୋଧରେ ଆମେ ସଂଗଠନର ସଭାପତି ପ୍ରସନ୍ନ କୁମାର ତ୍ରିପାଠୀ ଦୃଢ ଦାବୀ କରିଛନ୍ତି ।


